ହେଉଥିଲା ଚାଲାଣ କଇଁଛ : ଟ୍ରକ୍‌ରୁ ମିଳିଲା ୧୪୪୮ କଇଁଛ

ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅଧୀନ ୧୬ନମ୍ବର ଜାତୀୟ ରାଜପଥର ଗୋଡ଼ିପଡ଼ା ଟୋଲଗେଟ୍‌ ନିକଟରେ ରବିବାର ଡାଇରେକ୍ଟର ଅଫ୍‌ ଇଣ୍ଟେଲିଜେନ୍ସ ବିଭାଗ ଚଢ଼ାଉ କରି କଇଁଛ ବୋଝେଇ ଏକ ମିନିଟ୍ରକ୍‌ ଜବତ କରିଛି। ଏଥିରୁ ୭୧ଟି ମାଛ ପାର୍ସଲ ଟ୍ରେ-ରେ ଥିବା ୧୪୪୮ଟି କଇଁଛଙ୍କୁ ଉଦ୍ଧାର କରାଯାଇଛି। ତନ୍ମଧ୍ୟରେ ୧୦୨ଟି ମୃତ କଇଁଛ ଥିବା ବେଳେ ୧୩୪୬ଟି ଜୀବନ୍ତ ଅବସ୍ଥାରେ ଉଦ୍ଧାର ହୋଇଛି।

ପ୍ରତ୍ୟେକ କଇଁଛର ଓଜନ ପ୍ରାୟ କେଜିଏରୁ ଅଢ଼େଇ କେଜି ମଧ୍ୟରେ ହୋଇଥିବା ଜଣାପଡିଛି। ଜବତ କଇଁଛଙ୍କୁ ଟାଙ୍ଗୀ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି। ଏଥିସହ ମିନିଟ୍ରକ୍‌ ଚାଳକ ବନ୍ଧଗଁାର ମହାଦେବ ଦେଙ୍କୁ ଗିରଫ କରାଯାଇଛି। ତେବେ ଏହି କଇଁଛଗୁଡ଼ିକ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ପଶ୍ଚିମବଙ୍ଗକୁ ଚୋରାଚାଲାଣ ହେଉଥିବା ଖୋର୍ଦ୍ଧା ବନ ବିଭାଗ ଏସିଏଫ୍‌ ସୁଶାନ୍ତ ବନ୍ଧ କହିଛନ୍ତି।

ସୂଚନା ମୁତାବକ, ଏକ ମିନିଟ୍ରକରେ କଇଁଛ ଚୋରାଚାଲାଣ ହେଉଥିବା ନେଇ ଡାଇରେକ୍ଟର ଅଫ୍‌ ଇଣ୍ଟେଲିଜେନ୍ସ ବିଭାଗକୁ ସୂଚନା ମିଳିଥିଲା। ଏହା ପରେ ବିଭାଗୀୟ ଅଧିକାରୀମାନେ ଗୋଡ଼ିପଡ଼ା ଟୋଲଗେଟ୍‌ ନିକଟରୁ ଉକ୍ତ କଇଁଛ ବୋଝେଇ ମିନିଟ୍ରକ୍‌କୁ ଜବତ କରି ଟାଙ୍ଗୀ ବନ ବିଭାଗକୁ ହସ୍ତାନ୍ତର କରିଥିଲେ। ଟାଙ୍ଗୀ ବନାଞ୍ଚଳ ଅଧିକାରୀଙ୍କ ଉପସ୍ଥିତିରେ ଭୂଷଣ୍ଡପୁର ବନପାଳଙ୍କ କାର୍ଯ୍ୟାଳୟରେ କଇଁଛଗୁଡ଼ିକୁ ଗାଡ଼ିରୁ ଉଦ୍ଧାର ପରେ ଗଣତି କରାଯାଇଥିଲା। ତେବେ ଏହି କଇଁଛ ଚୋରାଚାଲାଣରେ ଅନ୍ୟ କେଉଁମାନଙ୍କ ସମ୍ପୃକ୍ତି ରହିଛି ସେ ନେଇ ତଦନ୍ତ ଜାରି ରହିଛି।

ଏନେଇ ଖୋର୍ଦ୍ଧା ବନ ବିଭାଗ ଏସିଏଫ୍‌ ସୁଶାନ୍ତ ବନ୍ଧ କୁହନ୍ତି, ଏହି କଇଁଛ ମଧୁର ଜଳରେ ରୁହନ୍ତି। ଏହାକୁ ଖାଦ୍ୟ ଉଦ୍ଦେଶ୍ୟରେ ନିଆଯାଇଥାଏ ବୋଲି ଅନୁମାନ କରାଯାଉଛି। ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା ପରେ ଜବତ କଇଁଛଗୁଡ଼ିକୁ କେଉଁଠାରେ ଛଡ଼ାଯିବ ସେନେଇ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।