ଶରଧାବାଲି ଦଳାଚକଟା ତଦନ୍ତ : ଗଢ଼ା ହେଲା ଟିମ୍
ଭୁବନେଶ୍ୱର: ଶରଧାବାଲି ଦଳାଚକଟାର ପ୍ରଶାସନିକ ତଦନ୍ତ କରିବେ ଉନ୍ନୟନ କମିଶନର ଅନୁ ଗର୍ଗ । ଇତିମଧ୍ୟରେ ଶ୍ରୀମତୀ ଗର୍ଗ ପୁରୀ ଯାଇ ଘଟଣାସ୍ଥଳରେ ପ୍ରାରମ୍ଭିକ ଅନୁଧ୍ୟାନ କରିଥିବାବେଳେ ଆଜି ତାଙ୍କୁ ସହଯୋଗ କରିବା ପାଇଁ ଟିମ୍ ଗଠନ କରାଯାଇଛି । ସାଧାରଣ ପ୍ରଶାସନ ବିଭାଗର ସୂଚନା ଅନୁଯାୟୀ ଉନ୍ନୟନ କମିଶନରଙ୍କୁ ତଦନ୍ତରେ ବରିଷ୍ଠ ଓଏଏସ ଅଧିକାରୀ ମାନସ ରଞ୍ଜନ ସାମଲ, ବିନୟ କୁମାର ଦାସ, ରଶ୍ମୀରଞ୍ଜନ ନାୟକ ଓ ପ୍ରଦୀପ କୁମାର ସାହୁ ସହଯୋଗ କରିବେ । ପ୍ରତିଦିନ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଉନ୍ନୟନ କମିଶନରଙ୍କ ଅଫିସରେ ବୈଠକ ବସିବ । ସୂଚନାଯୋଗ୍ୟଯେ, ଶରଧାବାଲିରେ ଦଳାଚକଟାରେ ୩ ଭକ୍ତଙ୍କର ଜୀବନଦୀପ ଲିଭି ଯାଇଥିଲା । ପ୍ରଶାସନିକ ଓ ପୁଲିସ୍ ଅବହେଳା କାରଣରୁ ଏତେବଡ଼ କାଣ୍ଡ ଘଟିଥିବାରୁ ଏନେଇ ତଦନ୍ତ ଆରମ୍ଭ ହୋଇଛି । ଅପରପକ୍ଷରେ ରାଜ୍ୟ ସରକାର ମଧ୍ୟ ପୁରୀର ଜିଲ୍ଲାପାଳ ଓ ଏସପିଙ୍କୁ ବଦଳାଇ ଦେଇଛନ୍ତି । ସେହିପରି ଦୁଇ ପୁଲିସ ଅଫିସରଙ୍କୁ ବି ନିଲମ୍ବିତ କରିଛନ୍ତି । ଉନ୍ନୟନ କମିଶନର ତଦନ୍ତ ପାଇଁ ପୁରୀ ଯିବା ସହ ସେଠାରେ ପୁଲିସ, ସେବାୟତ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ ।