କର୍କଟ ହାରିବ, ଜୀବନ ଜିତିବ : ବାଚସ୍ପତିଙ୍କୁ ଭେଟିଲେ କର୍କଟ ଯୋଦ୍ଧା
ଭୁବନେଶ୍ୱର : ଗୋଲାପ ଫୁଲକୁ ସ୍ନେହ ଓ ପ୍ରେମର ପ୍ରତୀକ ଭାବେ ଧରାଯାଏ । କ୍ୟାନ୍ସର ପରି ଏକ ମାରାତ୍ମକ ବ୍ୟାଧି ସହ ଲଢୁଥିବା ରୋଗୀଙ୍କୁ ଗୋଲାପ ଫୁଲଟିଏ ଦେଇ ସେମାନଙ୍କ ମନୋବଳ ବୃଦ୍ଧି କରିବା ସହ ଜୀବନ ପ୍ରତି ନୂତନ ଆଶା ସଞ୍ଚାର କରିବା ଉଦେ୍ଦଶ୍ୟରେ ପ୍ରତିବର୍ଷ ସେପ୍ଟେମ୍ବର ୨୨ ତାରିଖକୁ ‘ବିଶ୍ୱ ଗୋଲାପ ଦିବସ’ ଭାବେ ପାଳନ କରାଯାଏ । କର୍କଟ ରୋଗ ସହ ସଂଘର୍ଷ କରୁଥିବା ଲୋକଙ୍କୁ ଜୀଇଁବା ପାଇଁ ପ୍ରେରଣା ଦେବା ତଥା ତାଙ୍କ ଜୀବନରେ ଖୁସି ଆଣିଦେବା ଏହି ଦିବସ ପାଳନର ଉଦେ୍ଦଶ୍ୟ ।
ଏହି ପରିପ୍ରେକ୍ଷୀରେ ଆୱାକେନ୍ ଟ୍ରଷ୍ଟ ପକ୍ଷରୁ ସ୍ମାଗତିକା ଆଚାର୍ଯ୍ୟଙ୍କ ପ୍ରୟାସରେ କର୍କଟ ରୋଗ ସହ ଲଢି ସେଥିରୁ ମୁକ୍ତ ହୋଇଥିବା କର୍କଟ ଯୋଦ୍ଧା ବିଧାନସଭାଠାରେ ବାଚସ୍ପତି ସୁରମା ପାଢୀଙ୍କୁ ଭେଟିଥିଲେ । ବାଚସ୍ପତି ସେମାନଙ୍କୁ ଗୋଲାପଗୁଚ୍ଛ ପ୍ରଦାନ କରି ସେମାନଙ୍କର ଦୃଢ ମନୋବଳର ଭୂୟସୀ ପ୍ରଶଂସା କରିବା ସହ ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ । ଏହି ଅବସରରେ ଉପବାଚସ୍ପତି ଭବାନୀଶଙ୍କର ଭୋଇ, ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ମନ୍ତ୍ରୀ ରବିନାରାୟଣ ନାଏକ, ବିଧାୟକ ଇରାଶିଷ ଆଚାର୍ଯ୍ୟ ଓ ବାବୁ ସିଂ, ବିଧାନସଭାର ସଚିବ ସତ୍ୟବ୍ରତ ରାଉତ ପ୍ରମୁଖ ଉପସ୍ଥିତ ରହି କର୍କଟ ଯୋଦ୍ଧାମାନଙ୍କର ମନବଳ ବୃଦ୍ଧି କରିବା ସହ ଏହି ଯାତ୍ରାରେ ଲଢେଇ ଜାରି ରଖିବା ପାଇଁ ଉସôାହିତ କରିଥିଲେ ।