‘ଶାଶ୍ୱତ’ ସିଏମଙ୍କ ପ୍ରମୁଖ ସଚିବ

 ଭୁବନେଶର:୧୯୯୬ ବ୍ୟାଚର ଆଇଏଏସ ଅଫିସର ଶାଶ୍ୱତ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦିଆଯାଇଛି  । ବରିଷ୍ଠ ଆଇଏଏସ ଅଫିସର ନିକୁଞ୍ଜ ଧଳ କେନ୍ଦ୍ରକୁ ଯିବା ପରେ ଏହି ପଦବୀଟି ଖାଲି ପଡ଼ିଥିଲା  । ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଭାବେ ସେ ଦାୟିତ୍ୱ ନିର୍ବାହ କରିବା ସହ ଅତିରିକ୍ତ ଭାବେ ଅର୍ଥ ବିଭାଗର ପ୍ରମୁଖ ସଚିବ ଓ ଇଡ଼କୋର ଅଧ୍ୟକ୍ଷ ଭାବେ ବି ଦାୟିତ୍ୱ ନିର୍ବାହ କରିବେ  । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି  । 
ସମ୍ପ୍ରତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଅର୍ଥନୈତିକ ପ୍ରଗତି, ବଜେଟର ସୁପରିଚାଳନା ସହ ଶିଳ୍ପ ବିକାଶ ଉପରେ ଗୁରୁତ୍ୱାରୋପ କରୁଛନ୍ତି  । ରାଜ୍ୟର ଅର୍ଥନୀତି ଓ ଶିଳ୍ପ ବିକାଶ କ୍ଷେତ୍ରରେ ଶ୍ରୀ ମିଶ୍ରଙ୍କ ବହୁ ଅଭିଜ୍ଞତା ରହିଛି  । ଅର୍ଥ ବିଭାଗର ପ୍ରମୁଖ ସଚିବ ଓ ଇଡ଼କୋର ଅଧ୍ୟକ୍ଷ ଭାବେ ଶ୍ରୀ ମିଶ୍ର ଦୁଇ ଗୁରୁଦାୟିତ୍ୱକୁ ସଫଳତାର ସହ ତୁଲାଇ ଆସୁଛନ୍ତି  । ତେଣୁ ତାଙ୍କ ଉପରେ ମୁଖ୍ୟମନ୍ତ୍ରୀ ଆସ୍ଥା ପ୍ରକଟ କରି ଆଉ ଏକ ଗୁରୁ ଦାୟିତ୍ୱ ପ୍ରଦାନ କରିଛନ୍ତି  ।