ଫୁଲୁଛି ୩ ନଦୀ, ବନ୍ୟା ସ୍ଥିତ

ଭୁବନେଶ୍ୱର : ଝାଡ଼ଖଣ୍ଡ ଏବଂ ଓଡ଼ିଶାର ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ଲଗାଣ ବର୍ଷା ହେତୁ ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଓ ଜଳକା ନଦୀରେ ଜଳସ୍ତର ବୃଦ୍ଧିପାଉଛି  । ଫଳରେ ବାଲେଶ୍ୱର ଓ ମୟୂରଭଞ୍ଜରେ ବନ୍ୟା ସ୍ଥିତି ସୃଷ୍ଟିହୋଇଛି  । ବୁଢାବଳଙ୍ଗ ନଦୀର ଗୋବିନ୍ଦପୁର, ଜଳକା ନଦୀର ମାଥାନୀ ଓ ସୁବର୍ଣ୍ଣରେଖାର ରାଜଘାଟଠାରେ ଜଳସ୍ତର ବିପଦ ସଂକେତ ପାଖାପାଖି ହୋଇଛି  । ଆଜି ମଧ୍ୟରାତ୍ର ବା ଆସନ୍ତାକାଲି ସୁଦ୍ଧା ଏଠାରେ ଜଳସ୍ତର ବିପଦ ସଂକେତ ଛୁଇଁବା ନେଇ ଆକଳନ କରାଯାଇଛି  । ଏନେଇ ଜଳସମ୍ପଦ ବିଭାଗ ପକ୍ଷରୁ ବନ୍ୟା ସମୀକ୍ଷା କରାଯିବା ସହ ବରିଷ୍ଠ ଅଧିକାରୀମାନଙ୍କୁ ପଠାଯାଇଛି  । ସେହିପରି ତଳିଆ ଅଞ୍ଚଳର ଲୋକମାନଙ୍କୁ ସ୍ଥାନାନ୍ତର ପାଇଁ ନିଦେ୍ର୍ଦଶ ଦିଆଯାଇଛି  । 
ଏହାକୁ ଆଖି ଆଗରେ ରଖି ରାଜ୍ୟ ଜଳ ସମ୍ପଦ ବିଭାଗର ସେଚ ସଦନ ଠାରେ ଥିବା ବନ୍ୟା ନିୟନ୍ତ୍ରଣ କକ୍ଷ ୨୪ ଘଣ୍ଟିଆ କାର୍ଯ୍ୟ କରୁଛି  ।  ସ୍ଥିତିକୁ ଏଠାରୁ ସତର୍କତାର ସହ ତଦାରଖ କରାଯାଉଛି । ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଏଥିପାଇଁ ତଳିଆ ଅଞ୍ଚଳରେ ଥିବା ଲୋକମାନଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତରଣ ଏବଂ ଆବଶ୍ୟକ ରିଲିଫ୍ କାର୍ଯ୍ୟ ପରିଚାଳନା ପାଇଁ କୁହାଯାଇଛି  । କ୍ଷେତ୍ରସ୍ତରରେ ସ୍ଥିତି ଅନୁଧ୍ୟାନ ଓ ତଦାରଖ କରିବା ଏବଂ ସମ୍ଭାବ୍ୟ ବନ୍ୟା ସ୍ଥିତି ପରିଚାଳନାରେ ସହାୟତା ପାଇଁ ଜଳ ସଂପଦ ବିଭାଗର ଜଣେ ସର୍ବୋଚ୍ଚ ଯନ୍ତ୍ରୀ ପାହ୍ୟାର ଯନ୍ତ୍ରୀ ଏବଂ ଅନ୍ୟ ଜଣେ ମୁଖ୍ୟ ଯନ୍ତ୍ରୀ ବାଲେଶ୍ୱର ଗସ୍ତ କରିଛନ୍ତି । ସେହିପରି ବାଲେଶ୍ୱରରେ ଇଞ୍ଜିନିୟର ଚିଫ ପହଁଚିଥିବା ଜାଣିବାକୁ ମିଳିଛି  । ଜଳସମ୍ପଦ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ମହାନଦୀର ଖଇରାମାଳ, ଟିକରପଡ଼ା ଓ ନରାଜରେ ବି ଜଳସ୍ତର ବଢୁଛି  । ତେବେ ବିପଦ ସଂକେତ ଠାରୁ ତାହା ବହୁତ ତଳେ ରହିଛି  । ସେହିପରି ଆଳିପିଙ୍ଗଳ ଠାରେ ଦେବୀ ନଦୀ, ଚମ୍ପୁଆ, ସ୍ୱମପାଟଣା, ଆନନ୍ଦପୁର ଓ ଆଖୁଆପଦାରେ ବି ବୈତରଣୀ ବଢୁଥିବା ଲକ୍ଷ୍ୟ କରାଯାଇଛି  । ଅପରପକ୍ଷରେ ଚନ୍ଦନପୁର, ଏନଏଚ-୫ ଗୋବିନ୍ଦପୁର ଓ ବାରିପଦା ଠାରେ ବୁଢ଼ାବଳଙ୍ଗ, ଜାମସେଦପୁର, ଜାମଶୋଳାଘାଟ ଓ ରାଜଘାଟରେ ସୁବର୍ଣ୍ଣରେଖା, ମାଥନି ରୋଡ଼ ବ୍ରିଜ୍ଠାରେ ଜଳକା ନଦୀ ବି ବଢୁଛି  ।