କୋରାପୁଟରେ ୬ ରୋଗୀଙ୍କ ମୃତ୍ୟୁ ଘଟଣା: ମେଡିକାଲ ପରିଦର୍ଶନ କଲେ ସ୍ବାସ୍ଥ୍ୟମନ୍ତ୍ରୀ
କୋରାପୁଟ : କୋରାପୁଟ ମେଡିକାଲରେ ୬ ରୋଗୀଙ୍କ ମୃତ୍ୟୁ ଘଟଣାର ଅନୁଧ୍ୟାନ କରିବା ନେଇ ଗୁରବାର ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କୋରାପୁଟ ମେଡିକାଲରେ ପହଞ୍ଚିଛନ୍ତି। ମନ୍ତ୍ରୀ ମେଡିକାଲ କଲେଜର ସର୍ଜରୀ ୱାର୍ଡ ପରିଦର୍ଶନ କରିଥିବା ଜଣାପଡ଼ିଛି। ଏହି ଗ୍ରସ୍ତ ବେଳେ କଂଗ୍ରେସ ମେଡିକାଲର ବିଭିନ୍ନ ସମସ୍ୟା ନେଇ ମନ୍ତ୍ରୀଙ୍କ ସହ ଆଲୋଚନା କରିବା ପାଇଁ ଚାହୁଁଥିବାବେଳେ ମନ୍ତ୍ରୀ ତାଙ୍କୁ ସୁଯୋଗ ନ ଦେବାରୁ ଦଳ ପକ୍ଷରୁ ଏହାର ତୀବ୍ର ପ୍ରତିବାଦ କରାଯାଇଛି। ଏପରିକି ମାଲକାନଗିରିର ପୂର୍ବତନ ବିଧାୟକ ନିମାଇଁ ସରକାର ଓ କୋରାପୁଟ ବିଧାୟକ ରଘୁରାମ ମାଛ, ରୂପକ ତୁରୁକ, ଭଗବାନ ବାହିନୀପତି ମଧ୍ୟରେ କଥା କଟାକଟି ହୋଇଥିଲା।
ପରେ ସ୍ବାସ୍ଥ୍ୟମନ୍ତ୍ରୀ ମାତ୍ର ୫ ମିନିଟ୍ ଆସି ବୁଲି ଯାଇଥିବା କହି କଂଗ୍ରେସ ସମାଲୋଚନା କରିଛି। ଭାଜପା ସରକାରରେ ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ବିଗିଡି ଯାଇଛି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। କୋରାପୁଟ ବିଧାୟକ କଂଗ୍ରେସ କର୍ମୀଙ୍କୁ ଧକ୍କା ମାରିଥିବା ମାଲକାନଗିରିର ପୂର୍ବତନ ବିଧାୟକ ନିମାଇଁ ସରକାର ଅଭିଯୋଗ କରିଛନ୍ତି। ମନ୍ତ୍ରୀ ଆଇସିୟୁ ବିଭାଗ ଯାଇ ସ୍ଥିତି ପରଖିବା କଥା। କିନ୍ତୁ ସେ ଆଇସିୟୁ ନ ଯାଇ ଏଠାକୁ କ’ଣ ଦେଖିବାକୁ ଆସିଥିଲେ ବୋଲି ରୂପକ ତୁରୁକ ପ୍ରଶ୍ନ କରିଛନ୍ତି। ବର୍ତ୍ତମାନ ଘଟଣାର ତଦନ୍ତ ପାଇଁ କଟକ ଏସ୍ସିବି ମେଡିକାଲ ଓ ଏମ୍କେସିଜି ମେଡିକାଲରୁ ୨ ଟିମ ମେଡିକାଲ ଟିମ ପହଞ୍ଚି ମେଡିକାଲରେ ତଦନ୍ତ ଚଳାଇଥିବା ସୂଚନା ମିଳିଛି।