ଶାହଙ୍କ ଦ୍ୱାରା ୩ ନୂଆ ଅପରାଧିକ ଆଇନର ସମୀକ୍ଷା
ନୂଆଦିଲ୍ଲୀ : କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ କେନ୍ଦ୍ର ଶାସିତ ଅଞ୍ଚଳରେ ତିନୋଟି ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ସମୀକ୍ଷା କରିଛନ୍ତି । ନୂଆଦିଲ୍ଲୀ ଠାରେ ପୁଡୁଚେରୀ ଉପରାଜ୍ୟପାଳ (ଏଲଜି) କେ କୈଳାସନଥନଙ୍କ ଉପସ୍ଥିତିରେ ସେ ଏନେଇ ଏକ ସମୀକ୍ଷା ବୈଠକ କରିଛନ୍ତି । ଆଲୋଚନାରେ ପୁଲିସ, କାରାଗାର, ନ୍ୟାୟାଳୟ, ଅଭିଯୋଜନ ଏବଂ ଫରେନସିକ ସେବା ସମ୍ବନ୍ଧୀୟ ପ୍ରମୁଖ ବ୍ୟବସ୍ଥାଗୁଡ଼ିକର ଅଗ୍ରଗତି ଏବଂ ବର୍ତ୍ତମାନର ସ୍ଥିତି ଉପରେ ଦୃଷ୍ଟିଗୋଚର କରିଥିଲେ । ବୈଠକରେ ପୁଡୁଚେରୀର ସ୍ୱରାଷ୍ଟ୍ର ମନ୍ତ୍ରୀ, କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ, କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ସଚିବ ଏବଂ ପୁଲିସ ମହାନିଦେ୍ର୍ଦଶକ, ପୁଲିସ ଗବେଷଣା ଏବଂ ବିକାଶ ବୁ୍ୟରୋ (ବିପିଆର ଆଣ୍ଡ ଡି)ର ମହାନିଦେ୍ର୍ଦଶକ, ଜାତୀୟ ଅପରାଧ ରେକର୍ଡ ବୁ୍ୟରୋ (ଏନସିଆରବି)ର ନିଦେ୍ର୍ଦଶକ, ଗୃହ ମନ୍ତ୍ରଣାଳୟ ଏବଂ ପୁଡୁଚେରୀ ପ୍ରଶାସନର ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।
ଶାହ ତାଙ୍କ ଅଭିଭାଷଣରେ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଅଣାଯାଇଥିବା ତିନୋଟି ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ଦିଗରେ ଭଲ କାର୍ଯ୍ୟ କରିଛି ବୋଲି କହିଥିଲେ । ନୂତନ ଅପରାଧିକ ଆଇନର ଶୀଘ୍ର କାର୍ଯ୍ୟକାରିତା ସୁନିଶ୍ଚିତ କରିବା ଉପରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ଏଫ୍ଆଇଆର୍ କେବଳ ତାମିଲ ଭାଷାରେ ପଞ୍ଜୀକୃତ ହେବା ଉଚିତ । ଯେଉଁମାନେ ଆବଶ୍ୟକ କରିବେ ସେମାନଙ୍କୁ ଅନ୍ୟ ଭାଷାରେ ଏହା ଉପଲବ୍ଧ କରାଇବା ପାଇଁ ବ୍ୟବସ୍ଥା କରାଯିବା ଉଚିତ । ଶାହ କହିଥିଲେ ଯେ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀର ମୁଖ୍ୟ ଶାସନ ସଚିବ ଏବଂ ପୁଲିସ ମହାନିଦେ୍ର୍ଦଶକ ସପ୍ତାହରେ ଥରେ, ପ୍ରତି ୧୫ ଦିନରେ ଗୃହମନ୍ତ୍ରୀ ଏବଂ ମାସରେ ଥରେ ଉପରାଜ୍ୟପାଳ ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତାର ଅଗ୍ରଗତି ସମୀକ୍ଷା କରିବା ଉଚିତ ।