ଦିଲ୍ଲୀର ହ୍ୟାଟ୍ରିକ୍ ବିଜୟ
ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲର ଦମଦାର ବିଜୟ । ୨୫ ରନ୍ରେ ସିଏସକେକୁ ହରାଇ ଜିତିଲା ଦଳ । ଚଳିତ ସିଜିନରେ ଡିସିର ଏହା ହାଟ୍ରିକ୍ ବିଜୟ । ଏହି ବିଜୟ ସହିତ ଦିଲ୍ଲୀ କ୍ୟାପିଟାଲ୍ସ ପଏଣ୍ଟ ଟେବୁଲର ଶୀର୍ଷସ୍ଥାନ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ସିଏସକେକୁ ୧୮୪ ରନର ଟାର୍ଗେଟ୍ ଦେଇଥିଲା ଦିଲ୍ଲୀ । ଚିପକରେ ବିଜୟ ଲକ୍ଷ୍ୟକୁ ପିଛା କରି ଚେନ୍ନାଇ ଶେଷ ପରାସ୍ତ ହୋଇଛି ସିଏସ୍କେ । ସିଏସ୍କେର ଏହା କ୍ରମାଗତ ତୃତୀୟ ପରାଜୟ । ଶନିବାର ଚେନ୍ନାଇ ସୁପର କିଙ୍ଗସ ଓ ଦିଲ୍ଲୀ କ୍ୟାପିଟାଲ୍ ମଧ୍ୟରେ ୧୭ତମ ମ୍ୟାଚ୍ ଖେଳାଯାଇଥିଲା ।
ଡିସି ଟିସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲା । ଦଳ ପକ୍ଷରୁ ଜ୍ୟାକ୍ ଫ୍ରିଜର ଓ କେଏଲ ରାହୁଲ ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇଥିଲେ । ମାତ୍ର ସିଏସ୍କେର ଘାତକ ବୋଲିଂରେ ଦିଲ୍ଲୀକୁ ପ୍ରାରମ୍ଭିକ ଝଟକା ଲାଗିଥିଲା । ପ୍ରଥମ ଓଭରରେ ଜ୍ୟାକ୍ ଫ୍ରିଜର ଖଲିଲ୍ ଅହମ୍ମଦଙ୍କ ଶିକାର ହୋଇଥିଲେ । ଏହାପରେ ଦ୍ୱିତୀୟ ଓଭରରୁ ଚେନ୍ନାଇ ବୋଲରଙ୍କ ଉପରେ ପ୍ରହାର ଆରମ୍ଭ କରିଥିଲେ ପୋରେଲ୍ । ସେ ୨୦ଟି ବଲ୍ ଖେଳି ୩୩ ରନ ସଂଗ୍ରହ କରିଥିଲେ । ପରେ ରାହୁଲ ଦେଖାଇଥିଲେ କରିସ୍ମା । ସେ ଡିସି ପାଇଁ ଚମକôାର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ସ୍ଲୋ ପିଚ୍ରେ ୭୭ ରନ୍ର ପାଳି ଖେଳି ସିଏସକେକୁ ବ୍ୟାକ୍ ଫୁଟକୁ ଠେଲି ଦେଇଥିଲେ । ସେହିପରି ଅଧିନାୟକ ଅକ୍ଷର ପଟେଲ୍, ସମୀର ରିଜଭୀ ଓ ଖ୍ରୀଷ୍ଟନ ଷ୍ଟବ୍ସ କ୍ରମାଗତ ଭାବେ ୨୧, ୨୦ ଓ ୨୪ ରନର ଇନିଂସ ଖେଳି ଦଳଗତ ସ୍କୋରକୁ ୧୮୩ରେ ପହଞ୍ଚାଇଥିଲେ । ଦ୍ୱିତୀୟ ଇନିଂସରେ ୧୮୪ ରନର ଟାର୍ଗେଟ୍କୁ ପିଛା କରିଥିଲା ଚେନ୍ନାଇ ସୁପର କିଙ୍ଗସ । ରଚିନ ରବିନ୍ଦ୍ରା ଏବଂ ଡେଭନ କନୱେଙ୍କ ଓପନିଂ ଯୋଡି ପଡିଆକୁ ଓହ୍ଲାଇଥିଲେ । ମାତ୍ର ଦ୍ୱିତୀୟ ଓଭରେ ମୁକେଶ କୁମାର ରଚିନଙ୍କୁ ଆଉଟ୍ କରି ଘରୋଇ ଷ୍ଟାଡିମୟରେ ଚେନ୍ନାଇକୁ ଶକ୍ତ ଝଟକା ଦେଇଥିଲେ । ଏହାପରେ ଆସିଥିଲେ ଅଧିନାୟକ ଋତୁରାଜ ଗାଏକ୍ୱାଡ୍ । ହେଲେ ଦଳକୁ ସଂକଟରୁ ଉଦ୍ଧାର କରିପାରିନଥିଲେ । ମାତ୍ର ୫ ରନ୍ କରି ସେ ଆଉଟ୍ ହୋଇଯାଇଥିଲେ । ଏହାପରେ କନୱେ ୧୩ ରନ୍ କରି ଡଗଆଉଟକୁ ଫେରିଥିଲେ । ବିଜୟ ଶଙ୍କର ଓ ମହେନ୍ଦ୍ର ସିଂହ ଧୋନି ଶେଷ ପର୍ଯ୍ୟନ୍ତ ରହିଥିଲେ ମଧ୍ୟ ଦଳକୁ ଜିତାଇବାରେ ସକ୍ଷମ ହୋଇନଥିଲେ । ସିଏସକେ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୫୮ ରନ କରିଥିଲା । ବିଜୟ ଶଙ୍କରଙ୍କ ଅର୍ଦ୍ଧଶତକ ବେକାର ହୋଇଥିଲା । ଫଳରେ ଦିଲ୍ଲୀ କ୍ୟାପିଟାଲ୍ ୨୫ ରନରେ ବିଜୟୀ ହୋଇଥିଲା । କେଏଲ୍ ରାହୁଲ ମ୍ୟାନ୍ ଅଫି ଦି ପ୍ଲେୟାର ହୋଇଥିଲେ ।