ଶିକ୍ଷକ ଅଭାବ, ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀଙ୍କ ଧାରଣା

 ନାଉଗାଁ : ପାଖେଇ ଆସୁଛି ଦଶମ ବୋର୍ଡ ପରୀକ୍ଷା, ସେଥିରେ ପୁଣି ସରକାର ଘୋଷଣା କଲେଣି ଏହି ଶ୍ରେଣୀରେ ଦୁଇଥର ହେବ ବୋର୍ଡ ପରୀକ୍ଷା । ଏମିତିରେ ବିଦ୍ୟାଳୟ ଗୁଡ଼ିକ ଆବଶ୍ୟକୀୟ ଶିକ୍ଷକ ନଥିବାରୁ ପାଠପଢାରେ ସମସ୍ୟା ଦେଖାଯାଉଛି । ଏଭଳି ଏକ ସମସ୍ୟା ଦେଖିବାକୁ ମିଳିଛି ନାଉଗାଁ ବ୍ଲକ ଅନ୍ତର୍ଗତ ଘୋଡାଂସ ପଞ୍ଚାୟତର ବାସୁଦେବ ସରକାରୀ ଉଚ୍ଚ ବିଦ୍ୟାଳୟରେ । ଉକ୍ତ ବିଦ୍ୟାଳୟରେ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀରେ ୮୦ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ମାନେ ଅଧ୍ୟୟନ କରୁଥିବା ବେଳେ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ ସମେତ ଅନ୍ୟ ଦୁଇଜଣ ସହକାରୀ ଶିକ୍ଷକଙ୍କୁ ନେଇ ମୋଟ ନିଯୁକ୍ତ ଅଛନ୍ତି ତିନିଜଣ ଶିକ୍ଷକ । ୬ମାସ ହେଲା ଗଣିତ ଶିକ୍ଷୟିତ୍ରୀ ଛୁଟିରେ ଥିବାବେଳେ ଏକ ବର୍ଷ ହେଲା ବିଜ୍ଞାନ, ହିନ୍ଦୀ, ସଂସ୍କୃତ, ଖେଳ ଆଦି ଶିକ୍ଷକ ମାନଙ୍କ ପଦବୀ ଖାଲି ପଡ଼ିଛି । ଏଭଳି ସ୍ଥିତିରେ ଗୁରୁତ୍ୱପୂର୍ଣ୍ଣ ବିଷୟ ଗୁଡ଼ିକରେ ଛାତ୍ରଛାତ୍ରୀ ମାନେ ଅଧ୍ୟୟନ କ୍ଷେତ୍ରରେ ବିଭିନ୍ନ ପ୍ରକାର ସମସ୍ୟା ଭୋଗୁଥିବା ଅଭିଭାବକ ମାନେ ଅଭିଯୋଗ କରୁଛନ୍ତି । ଅନ୍ୟପଟେ ଏନେଇ ବିଭାଗକୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣଷି ସୁଫଳ ମିଳୁନଥିବାରୁ ଆଜି ଏହି ବିଦ୍ୟାଳୟରେ ଅଭିଭାବକ ମାନଙ୍କ ସହିତ ଛାତ୍ରଛାତ୍ରୀ ମାନେ ଏଠାରେ ତୁରନ୍ତ ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ବାହାରେ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା । ଏମିତିକି ବିଦ୍ୟାଳୟ ସମ୍ମୁଖରେ କିଛି ସମୟ ବସିବା ପରେ ଛାତ୍ରଛାତ୍ରୀ ମାନେ ନାଉଗାଁ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଭିମୁଖେ ଚାଲିଚାଲି ରାସ୍ତାରେ ଯିବାବେଳେ ନାଉଗାଁ ଥାନା ଅଧିକାରୀ ପ୍ରଦୀପ୍ତ କାନୁନଗୋ ଘଟଣାସ୍ଥଳରେ ପହଁଚି ଛାତ୍ରଛାତ୍ରୀ ମାନଙ୍କ ସହିତ ଅଭିଭାବକ ମାନଙ୍କୁ ବୁଝାସୁଝା କରିବା ପରେ ଘଟଣା ଥମିଥିବା ଦେଖିବାକୁ ମିଳିଥିଲା । କିନ୍ତୁ ଯଥାଶୀଘ୍ର ଏହି ସମସ୍ୟାର ସମାଧାନ କରାନଗଲେ ଆଗାମୀଦିନରେ ଛାତ୍ରଛାତ୍ରୀଙ୍କ ସହିତ ଅଭିଭାବକ ମାନେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେବୋଲି ଚେତାବନୀ ଦେଇଛନ୍ତି । ଏ ସମ୍ପର୍କରେ ନାଉଗାଁ ବ୍ଲକ ଶିକ୍ଷାଧିକାରୀଙ୍କୁ ପଚାରିବାରୁ ସେ ଏନେଇ ଜିଲା ଶିକ୍ଷାଧିକାରୀଙ୍କୁ ଅବଗତ କରିଛନ୍ତି ଓ ଯଥାଶୀଘ୍ର ଏଥିପ୍ରତି ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ।