ଶିମିଳିପାଳ ଜାତୀୟ ଉଦ୍ୟାନରେ ଅଛନ୍ତି ୪୦ ମହାବଳ

ଭୁବନେଶ୍ୱର : ମୟୁରଭଞ୍ଜ ଜିଲାର ଶିମିଳିପାଳ ଅଭୟାରଣ୍ୟକୁ ଜାତୀୟ ଉଦ୍ୟାନ ମାନ୍ୟତା ମିଳିବା ପରେ ଆସିଛି ଆଉ ଏକ ଖୁସି ଖବର । ଶୁକ୍ରବାର ବନ୍ୟପ୍ରାଣୀ ପିସିସିଏଫ ପ୍ରେମ କୁମାର ଝା ଦେଇଥିବା ସୂଚନା ଅନୁଯାୟୀ ଜିନତ ଓ ଯମୁନାକୁ ମିଶାଇ ଶିମିଳିପାଳ ଜାତୀୟ ଉଦ୍ୟାନରେ ୪୦ ମହାବଳ ବାଘ ଅଛନ୍ତି । ତେବେ ଏହି ୪୦ରୁ ୬ ଶାବକ, ୧୭ଟି ବାଘୁଣୀ ରହିଛନ୍ତି । ସେହିଭଳି ଶିମିଳିପାଳରେ ଥିବା ମହାବଳ ମଧ୍ୟରେ ୧୮ ଟି କଳା ମହାବଳ ଅଛନ୍ତି । ଆଗାମୀ ୧୦ ବର୍ଷରେ ମହାବଳ ସଂଖ୍ୟା ଶହେକୁ ପହଞ୍ଚାଇବାକୁ ଲକ୍ଷ୍ୟ ଥିବା ପ୍ରେମ କୁମାର ପ୍ରକାଶ କରିଛନ୍ତି । ଗତବର୍ଷ ଶିମିଳିପାଳରେ ୨୭ ମହାବଳ ସହ ୮ ଶାବକ ଥିଲେ ।
ଅନ୍ୟପଟେ ମୟୂରଭଞ୍ଜ ଜିଲାର ଏହି ପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟକୁ ଗୁରୁବାରଠାରୁ ଜାତୀୟ ଉଦ୍ୟାନ ମାନ୍ୟତା ମିଳିଛି । କେନ୍ଦୁଝର ଜିଲା ଗସ୍ତରେ ଆସିଥିବା ଜଙ୍ଗଲ, ପରିବେଶ ତଥା ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ ଏନେଇ ସୂଚନା ଦେଇଥିଲେ । ଏହାକୁ ଜାତୀୟ ଉଦ୍ୟାନ ଘୋଷଣା ପରେ ଏହା ଭାରତର ୧୦୭ ଓ ଓଡିଶାର ୨ ନମ୍ବର ଜାତୀୟ ପାର୍କ ହୋଇଛି । ଆଜି ଠାରୁ ଏହା ଶିମିଳିପାଳ ଜାତୀୟ ଉଦ୍ୟାନ ବା ନ୍ୟାଶନାଲ ପାର୍କ ଭାବରେ ପରିଗଣିତ ହୋଇଛି ବୋଲି ଜଙ୍ଗଲ ମନ୍ତ୍ରୀ ଗଣେଶରାମ କହିଛନ୍ତି । ଏହା ଦ୍ୱାରା ସ୍ବତନ୍ତ୍ର ବଜେଟ କେନ୍ଦ୍ରରୁ ମିଳିବ। ସେହିପରି ବନ୍ୟପ୍ରାଣୀ ଓ ଜଙ୍ଗଲର ଅଧିକ ସୁରକ୍ଷା ହୋଇ ପାରିବ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଶିମିଳିପାଳ ସଂରକ୍ଷିତ ଜଙ୍ଗଲର ପରିସୀମା ୨୭୫୦ ବର୍ଗ କିଲୋମିଟର ରହିଥିବା ବେଳେ ସେଥିରୁ ୮୪୫.୭୦ ବର୍ଗ କିଲୋମିଟରକୁ ଘୋଷଣା କରାଯାଇଛି। ଏହା ବହୁ ଆଗରୁ ପେଣ୍ଡିଂ ଥିଲା ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ୮୪୫.୭୦ବର୍ଗ କିଲୋମିଟର (୮୪୫୭୦ ହେକ୍ଟର) ପରିମିତ ଶିମିଳିପାଳ ଜାତୀୟ ଉଦ୍ୟାନ ଅଧିନରେ ଶିମିଳିପାଳ ସାଉଥ ବନ୍ୟପ୍ରାଣୀ ଡିଭିଜନ ଓ ଶିମିଳିପାଳ ନର୍ଥ ବନ୍ୟପ୍ରାଣୀ ଡିଭିଜନ ରହିଛି । ଏଠାରେ ସୂଚନାଯୋଗ୍ୟ ଯେ, ଶିମିଳିପାଳରେ ରହିଛି ମହାବଳ ବାଘ ସମେତ ବହୁ ଜାତିପ୍ରଜାତିର ବନ୍ୟପ୍ରାଣୀ ଜୀବଜନ୍ତୁ। ସେହିପରି ବିଭିନ୍ନ ପ୍ରକାରର ବୃକ୍ଷଲତା, ଜଡିବୁଟି ରହିଛି। ପ୍ରତ୍ୟେକ ବର୍ଷ ବହୁ ପର୍ଯ୍ୟଟକ ଏଠାକୁ ବୁଲିଆସିବା ସହ ଗବେଷକମାନେ ଆସି ଗବେଷଣା କରୁଛନ୍ତି । ଜାତୀୟ ଉଦ୍ୟାନ ମାନ୍ୟତା ପାଇବା ନେଇ ସମସ୍ତ ପ୍ରକାରର ପ୍ରକ୍ରିୟା ଶେଷ ହୋଇଥିବା ସୂଚନା ମିଳିଛି। ପୂର୍ବରୁ ଏହାର କୋର ଓ ବଫର ଅଞ୍ଚଳରେ ବହୁ ଗ୍ରାମ, ଜମିବାଡ଼ି ଆଦି ରହିଥିଲା। ସେହି ଗ୍ରାମରେ ଲୋକମାନେ ବହୁ ବର୍ଷ ଧରି ଚାଷବାସ କରି ବସବାସ କରିଆସୁଥିଲେ ଏବଂ ବହୁ ଘରୋଇ ଜମିଥିଲା। ସେହିପରି ଶିମିଳିପାଳ ଜଙ୍ଗଲ ଉପରେ ସ୍ଥାନୀୟ ବନବାସୀଙ୍କ ଅଧିକାର ଥିଲା। ସରକାରଙ୍କୁ ସେମାନଙ୍କୁ ସମସ୍ତ ପ୍ରକାରର କ୍ଷତିପୂରଣ ପ୍ରଦାନ କରିବା ସହ ଅନ୍ୟଜଙ୍ଗଲ ଅଞ୍ଚଳରୁ ବାହାର କରି ଅନ୍ୟ ଅଞ୍ଚଳରେ ଥଇଥାନ କରିଛନ୍ତି। ସେହିପରି ଲୋକଙ୍କ ସବୁ ଅଧିକାର ପୂରଣ କରାଯାଇଛି। ଏଣୁ ଏବେ ଏହି ଅଭୟାରଣ୍ୟ ଶିମିଳିପାଳ ଜାତୀୟ ଉଦ୍ୟାନ ଘୋଷଣା ହୋଇଛି। ଏହା ଦ୍ୱାରା ଦେଶ ଓ ବିଦେଶରୁ ବହୁ ପର୍ଯ୍ୟଟକ ଆସିବେ ଏବଂ ଏହା ଦ୍ୱାରା ଉକ୍ତ ଅଞ୍ଚଳର ବିକାଶ ହୋଇ ପାରିବା ସହ ବନ୍ୟପ୍ରାଣୀ, ଜଙ୍ଗଲ ଓ ତଥା ପରିବେଶର ସୁରକ୍ଷା ହୋଇପାରିବ ବୋଲି ମତପ୍ରକାଶ ପାଉଛି ।