ପଦ୍ମ ଧରିଥିଲେ ସାଧୁ, ସମର୍ଥନ ଘୋଷଣା କଲେ ରବି 

ପଦ୍ମ ଧରିଥିଲେ ସାଧୁ, ସମର୍ଥନ ଘୋଷଣା କଲେ ରବି 

 ଯାଜପୁର-ଯଖପୁରା,: ଭୋଟ ତାରିଖ ଯେତିକି ପାଖେଇ ଆସୁଛି ସୁକିନ୍ଦା ବିଧାନସଭା କ୍ଷେତ୍ରରେ ନିର୍ବାଚନୀ ଉଷ୍ମତା ସେତେ ବଢିବାରେ ଲାଗିଛି । ଠାଏ ଠାଏ ନିର୍ବାଚନୀ ହିଂସା ଦେଖିବାକୁ ମିଳିଥିବା ବେଳେ କିଛି ସ୍ଥାନରେ ପ୍ରଚାରଗାଡ଼ିକୁ ଅଟକାଇବା ଭଳି ସ୍ଥିତି ଦେଖିବାକୁ ମିଳିଛି । ସୁକିନ୍ଦାରେ ବିଜେଡି ଓ ବିଜେପି ମଧ୍ୟରେ ଲଢ଼େଇ ହେଉଥିବାର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳୁଥିବା ବେଳେ ଉଭୟ ଦଳ ନିଜକୁ ଶଶକ୍ତ କରିବା ପାଇଁ ଲାଗିପଡିଛନ୍ତି । ଦଳଡ଼ିଅାଁ ପର୍ବ ଶେଷ ହୋଇନଥିବା ସୁକିନ୍ଦାରେ ବିଜେପି ପାର୍ଟିରେ ବିଭିନ୍ନ ସଙ୍ଗଠନ ଛାମୁଆ ନେତା ସାମିଲ ହେଉଥିବାର ଦେଖିବାକୁ ମିଳୁଛି । ବିଜେପି ପାର୍ଟି ବଡ଼ ବଡ଼ ନେତାଙ୍କୁ ଆଖିରେ ରଖିଥିବା ବେଳେ ବିଜେଡି ସାଧାରଣ ଜନତାଙ୍କ ଉପରେ ନଜର ରଖିଛି । ତେବେ ବିଜେପି ଶିଳ୍ପାଞ୍ଚଳ ଆଦିବାସୀଙ୍କୁ ନିଜ ସପକ୍ଷରେ ନେଇ ବଳ ଗୋଟାଇକୁ ଅଧିକ ଗୁରୁତ୍ୱ ଦେଉଛି । ଯଦି ଦେଖିବା କିଛି ଦିନ ତଳେ ଜଣେ ଆଦିବାସୀ ଜିଲା ପରିଷଦଙ୍କୁ ନେବାରେ ସକ୍ଷମ ହୋଇଥିବା ବିଜେପିକୁ ନିର୍ବାଚନରେ ସମର୍ଥନ ଘୋଷଣା କରିଛି  ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଆଦିବାସୀ ସଂଗଠନର ଛାମୁଆ ନେତା ତଥା କଳିଙ୍ଗନଗର ବିସ୍ଥାପନ ବିରୋଧି ମଂଚର ଆବାହକ ରବୀନ୍ଦ୍ର କୁମାର ଜାରିକା । ରବିନ୍ଦ୍ର ବିଜେପିକୁ ସମର୍ଥନ ଘୋଷଣା କରିବା ଦଳକୁ ବଡ଼ ସଫଳତା  ରବି ଜାରିକା ନାମରେ ମିଳିଯାଇଛି । କିଛି ଦିନ ପୂର୍ବରୁ ସୁକିନ୍ଦା ନିର୍ବାଚନମଣ୍ଡଳୀର ୩୮ ନମ୍ବର ଜୋନର ବିଜେଡି ଜିଲା ପରିଷଦ ସଭ୍ୟ ତଥା କଳିଙ୍ଗନଗର ବିସ୍ଥାପନ ସପକ୍ଷବାଦି ନେତା ସାଧୁ ତିୟୂ ବିଜେଡି ଛାଡ଼ି ବିଜେପିରେ ସାମିଲ ହେଉଥିଲେ । ଏହାକୁ ଯଦି ଆମେ ନିରଖି ଦେଖିବା ତେବେ ବିଜେପି ଆଦିବାସୀ ଭୋଟ ବ୍ୟାଙ୍କ ଉପରେ ଆଖି ପକାଇଛି । ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଏକ ଆଦିବାସୀ ଅଧୂଷିତ ଅଞ୍ଚଳ । ଅନେକାଂଶରେ ଆଦିବାସୀଙ୍କ ଭୂମିକା ସୁକିନ୍ଦା ରାଜନୀତିକୁ ପ୍ରଭାବିତ କରିଥାଏ ।  ଆଦିବାସୀଙ୍କ ଭୋଟ ପ୍ରାର୍ଥୀଙ୍କ ବିଜୟ ପରାଜୟରେ ଗୁରୁତ୍ୱ ବହନ କରିଥାଏ । ସେହି ଦୃଷ୍ଟିରୁ ଯଦି ଦେଖିବା ତେବେ ବିଜେପି ସୁକିନ୍ଦାରେ ଆଦିବାସୀଙ୍କ ବଳ ଗୋଟାଇବାରେ ସଫଳ ହୋଇଛି ବୋଲି କୁହାଯାଇ ପାରେ । କଳିଙ୍ଗନଗର ଶିଳ୍ପାଞ୍ଚଳରେ ଅନେକ ସମୟରେ ଆଦିବାସୀଙ୍କ ବିଭିନ୍ନ ସମସ୍ୟାକୁ ନେଇ କାରଖାନା ସମ୍ମୁଖରେ ଅନେକ ବାର ମାସ ମାସ ଧରି ଧାରଣା କରାଯାଉଛି । ନିଜର ଅଧିକାର ପାଇଁ ଆଦିବାସୀ ମାନେ ଧାରଣାରେ ବସୁ ଥିବାର ଦେଖାଯାଉଛି । ଆଦିବାସୀ ମାନେ ତାଙ୍କର ସମସ୍ୟା ପାଇଁ କାରଖାନା ଅଧିକାରୀ ଓ ସ୍ଥାନୀୟ ପ୍ରଶାସନକୁ ଦାୟୀ କରନ୍ତି । ଯାହା ଫଳରେ ଅନେକ ସମୟରେ ଆଦିବାସୀ ମାନେ ସରକାର ବିରୋଧୀ ଧାରଣାରେ ସାମିଲ ହୁଅନ୍ତି । ଯାହାର ଫାଇଦା ନେବାରେ ବିଜେପି ସଫଳ ହୋଇଛି । ସୁଯୋଗ ଦେଖି ବିଜେପି ଫାଇଦା ଉଠାଇବାରେ ଲାଗିଛି । ଯାହାର ପ୍ରତିଫଳନ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ୩୮ ନମ୍ବର ଜୋନରେ ଦେଖିବାକୁ ମିଳିଛି । ଯେତେ ବେଳେ ସୁକିନ୍ଦା ନିର୍ବାଚନମଣ୍ଡଳୀର ବିଜେଡି ଭୋଟ ବ୍ୟାଙ୍କ୍ ଖଣି ଅଞ୍ଚଳର ଆଦିବାସୀ ଭୋଟ ଉପରେ ସର୍ବାଧିକ ନିର୍ଭର କରିଥାଏ ତାକୁ ସଫଳତାର ସହ ମୁକାବିଲା କରିବା ପାଇଁ ବିଜେପି ଶିଳ୍ପାଞ୍ଚଳ ଆଦିବାସୀଙ୍କ ଭୋଟ ଉପରେ ଫୋକସ କରିଛି । ଖଣି ଅଞ୍ଚଳର ଅଧିବାସୀ ବିଜେଡି ଭୋଟକୁ ମାତ୍ ଦେବାପାଇଁ ଶିଳ୍ପାଞ୍ଚଳ ଆଦିବାସୀଙ୍କ ଭୋଟକୁ ଢାଲ କରିବାକୁ ସୁକିନ୍ଦା ବିଜେପି ପ୍ରୟାସ କରିଛି । ପ୍ରକାଶ ଥାଉକି ଆଦିବାସୀ ନେତା ତଥା କଳିଙ୍ଗନଗର ବିସ୍ଥାପନ ବିରୋଧୀ ମଂଚର ଆବାହକ ରବୀନ୍ଦ୍ର ଜାରିକା ୨୦୧୪ ମସିହାରେ ଆମ ଓଡ଼ିଶା ପାର୍ଟିରୁ ସୁକିନ୍ଦା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢି ୬୩୧୪ ଖଣ୍ଡ ଭୋଟ ପାଇଥିଲେ । ଯାହା କଂଗ୍ରେସ ପରାଜୟର ପ୍ରମୁଖ କାରଣ ସାଜିଥିଲା । କଂଗ୍ରେସ ବିଧାୟକ ପ୍ରାର୍ଥୀ ଜିତୁ ଜିତୁ ହରିଯାଇଥିଲେ । ପୁଣି ସେହି ଆଦିବାସୀ ନେତା ଏବେ ପଦ୍ମ ଶିବିରରେ ଯୋଗଦେଇ ଥିବାରୁ ବିଜେପି ମହଲରେ ଉତ୍ସାହ ବଡିଯାଇଥିବାର ଦେଖାଦେଇଛି । ଆଗାମୀ ନିର୍ବାଚନରେ ଆଦିବାସୀ ଭୋଟ କେତେ ମାତ୍ରାରେ ବିଜେପି ବିଜୟ ପାଇଁ ସହାୟ ହେବ ତାହା ଦେଖିବାର ଅଛି ।