୧୫ ମାସରେ ନିଯୁକ୍ତି ଲକ୍ଷେ ଟପିଲା

ଭୁବନେଶ୍ୱର: ୧୫ ମାସରେ ସରକାରୀ ଓ ବେସରକାରୀସ୍ତରରେ ଲକ୍ଷେରୁ ଉଦ୍ଧ୍ୱର୍ ନିଯୁକ୍ତି ସୁଯୋଗ ସୃଷ୍ଟିହୋଇଛି । କେବଳ ସରକାରୀସ୍ତରରେ ୩୦ ହଜାରରୁ ଉଦ୍ଧ୍ୱର୍ ପଦବୀ ପୂରଣ ହୋଇଛି । ଆସନ୍ତା ବର୍ଷ ଜୁନ୍ ସୁଦ୍ଧା ଆଉ ୪୦ ହଜାର ପଦବୀ ପୂରଣ ହେବ । ସରକାରୀ ଚାକିରୀ କେବଳ ସୁରକ୍ଷିତ ଜୀବନ ଜୀବିକା ପ୍ରଦାନ କରିନଥାଏ, ଏହା ହେଉଛି ଜନସେବାର ଏକ ପ୍ରକୃଷ୍ଟ ଓ ପ୍ରଭାବୀ ମାଧ୍ୟମ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଯୁକ୍ତି ମେଳା ଅବସରରେ ନବ ନିଯୁକ୍ତ ଅଧିକାରୀମାନଙ୍କୁ ଉଦ୍ବୋଧନ ଦେଇ ଏହା କହିଛନ୍ତି ।
ଭୁବନେଶ୍ୱର ଇଡ୍କୋ ପ୍ରଦର୍ଶନୀ ପଡିଆ ଠାରେ ଏକାଦଶତମ ନିଯୁକ୍ତି ମେଳା ଆଜି ଅନୁଷ୍ଠିତ ହୋଇଛି । ଏଥିରେ ୭ଟି ବିଭାଗ ଯଥା- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ସର୍ବାଧିକ ୯୮୨ ଜଣ, ଜଳ ସମ୍ପଦ ବିଭାଗରେ ୪୧୩ ଜଣ, କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ୩୪ ଜଣ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ୧୩୬ ଜଣ, ମସô୍ୟ ଓ ପ୍ରାଣୀସମ୍ପଦ ବିଭାଗରେ ୨୩ ଜଣ, ଅର୍ଥ ବିଭାଗରେ ୬୧ ଜଣ ଓ ଆଇନ୍ ବିଭାଗରେ ୩୭ ଜଣଙ୍କୁ ଏହିଭଳି ସମୁଦାୟ ୧୬୮୬ ଜଣଙ୍କୁ ବିଭିନ୍ନ ବର୍ଗରେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ସରକାରଙ୍କ ଦ୍ୱିତୀୟ ବର୍ଷ ପ୍ରାରମ୍ଭର ଏହା ହେଉଛି ଦ୍ୱିତୀୟ ନିଯୁକ୍ତି ମେଳା ।ମୁଖ୍ୟମନ୍ତ୍ରୀ ଉପସ୍ଥିତ ନବ ନିଯୁକ୍ତଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇ କହିଥିଲେଯେ, ଆପଣମାନଙ୍କର କର୍ତ୍ତବ୍ୟ ହେଉଛି ସରକାରଙ୍କ ନୀତି ନିୟମର ମର୍ଯ୍ୟାଦାରେ ରହି ନିଜ କାର୍ଯ୍ୟ ସମ୍ପାଦନ କରିବା । ଦୁର୍ନୀତିରୁ ଉର୍ଦ୍ଧ୍ୱରେ ରହି ସମସ୍ତେ ଭଲ କାମ କରନ୍ତୁ, ସୁନାମ ଅର୍ଜନ କରନ୍ତୁ, ସଚ୍ଚୋଟତାକୁ କର୍ମ ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ ବନାନ୍ତୁ । ଅସୀମିତ ଆତ୍ମସନ୍ତୋଷ ପାଇବେ । ସାଧାରଣ ଗରିବ ଜନତାଙ୍କ ଆଶୀର୍ବାଦ ହେବ ଆପଣଙ୍କ ପାଇଁ ସବୁଠାରୁ ବଡ ପୁଞ୍ଜି ।
ସେ ପୁଣି କହିଥିଲେ, ସାଂପ୍ରତିକ ପରିସ୍ଥିତିରେ ଯୁବ ସମାଜ ପାଇଁ ସବୁଠାରୁ ବଡ ଆହ୍ୱାନ ହେଉଛି ରୋଜଗାର ବିଶେଷ ଭାବେ ନିଯୁକ୍ତି । ସେଥିପାଇଁ ମାତ୍ର ୧୫ ମାସ ମଧ୍ୟରେ ୧୧ଟି ନିଯୁକ୍ତି ମେଳା ଜରିଆରେ ସରକାରୀ କ୍ଷେତ୍ରରେ ଆମେ ଆଜିକୁ ମିଶାଇ ସମୁଦାୟ ୩୦,୦୩୨ ଟି ପଦବୀରେ ନିଯୁକ୍ତି ପ୍ରଦାନ କରିଛୁ । ସରକାର ଆସିବାର ପ୍ରଥମ ଦୁଇ ବର୍ଷରେ ୬୫ ହଜାର ସରକାରୀ ପଦବୀ ପୂରଣ କରାଯିବାର ଲକ୍ଷ୍ୟ ରହିଥିଲା । ଜୁନ୍ ୨୦୨୬ ଶେଷ ସୁଦ୍ଧା ଆହୁରି ୪୦ ହଜାର ସରକାରୀ ପଦବୀ ପୂରଣ ହେବ । ସରକାରୀ ପଦବୀ ପୂରଣ କରିବାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରାଯାଉଛି । ମେରିଟ୍ ବେସିସ୍ରେ ଚୟନ କରାଯାଉଛି । ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ରାଜ୍ୟରେ ଯୁବ ବର୍ଗଙ୍କ ପାଇଁ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଉଛି । ୧୫ ମାସ ମଧ୍ୟରେ ସରକାରଙ୍କ ପକ୍ଷରୁ ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ୧ ଲକ୍ଷ ୭ ହଜାର ୯୨୬ ଜଣଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତକରି କହିଥିଲେଯେ, ଆମ ସରକାରରେ ଯେତେବି ପରୀକ୍ଷା ହେଉଛି କୌଣସି ଠାରେ ଦୁର୍ନୀତି ବା ଅନିୟମିତତାର ଅଭିଯୋଗ ଆସିନାହିଁ । ଯେତେବେଳେ ବି ସାମାନ୍ୟତମ ସୁରାକ ଆସୁଛି, ତା ଉପରେ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।
ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ କହିଥିଲେଯେ, ଆମ ସରକାର ଯାହା ପ୍ରତିଶ୍ରୁତି ଦିଅନ୍ତି, ତାହା ପୂରଣ କରିଥାନ୍ତି । ଆମର ଲକ୍ଷ୍ୟ ରହିଛି ୫ ବର୍ଷରେ ୧.୫୦ ଲକ୍ଷ ନିଯୁକ୍ତି ପ୍ରଦାନ । ଆଜି ସୁଦ୍ଧା ୩୦ ହଜାରରୁ ଉର୍ଦ୍ଧ୍ୱ ନିଯୁକ୍ତି ପ୍ରଦାନ କରାଗଲାଣି । ପାଞ୍ଚ ବର୍ଷ ଭିତରେ ଆମେ ଖାଲି ଥିବା ସମସ୍ତ ପଦବୀ ପୂରଣ କରିବୁ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଓ ଇଲୋକ୍ଟ୍ରୋନିକସ୍ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ, ଆମ ସରକାର ଆସିବା ପରେ ପ୍ରତିବଦ୍ଧତାର ସହ ଆମେ ବିଭିନ୍ନ ବିଭାଗରେ ଖାଲିଥିବା ପଦବୀଗୁଡିକ ପୂରଣ କରିବା ପାଇଁ ନିଯୁକ୍ତି ମେଳା ମାଧ୍ୟମରେ ଉଦ୍ୟମ ଜାରି ରଖିଛୁ । ରାଜ୍ୟବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ପାଇଁ ଆମେ ନିଷ୍ଠାର ସହ କାମ କରୁଛୁ । କାର୍ଯ୍ୟକ୍ରମରେ ଆଇନ, ଅବକାରୀ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମସô୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସଂପଦ ଚନ୍ଦ୍ର ସ୍ୱାଇଁ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ ।