ଶୋଷଣର ଶିକାର କେନ୍ଦୁପତ୍ର ଶ୍ରମିକ

  ସୋନପୁର : ପଶ୍ଚିମ ଓଡ଼ିଶା ସବୁଜ ହୀରକ କୁହାଯାଉଥିବା କେନ୍ଦୁପତ୍ର ଶ୍ରମିକମାନେ ସୁବର୍ଣ୍ଣପୁର ଜିଲ୍ଲାରେ ଶୋଷଣର ଶିକାର ହେଉଥିବା ଅଭିଯୋଗ ହେଉଛି । ଏମାନଙ୍କ ପାଇଁ ଥିବା ବିଭିନ୍ନ ଯୋଜନା ମଧ୍ୟ ଠିକ୍ ଭାବରେ କାର୍ଯ୍ୟକାରୀ ହେଉନାହିଁ । ଜିଲ୍ଲାରେ ଆଜି ପର୍ଯ୍ୟନ୍ତ କେନ୍ଦୁପତ୍ର ଡିଭିଜନ କାର୍ଯ୍ୟାଳୟ ଖୋଲାଯାଇ ନାହିଁ । ଜିଲ୍ଲାରେ ଥିବା ୯ଟି କେନ୍ଦୁପତ୍ର ରେଞ୍ଜ ବଲାଙ୍ଗୀର, ସମ୍ବଲପୁର ଏବଂ ରେଢାଖୋଲ ଡିଭିଜନ କାର୍ଯ୍ୟାଳୟ ଅଧିନରେ କାର୍ଯ୍ୟ କରୁଛି । ଜିଲ୍ଲାର ଖଲିଆପାଲି, ତରଭା, ସିଂହବାହାଲି ଆଦି ରେଞ୍ଜ ବଲାଙ୍ଗୀର ଡିଭିଜନ ଅଧିନରେ ଥିବାବେଳେ ଜାଲୋଏ, ଉଲୁଣ୍ଡା, ସିଣ୍ଡୋଲ ରେଞ୍ଜ ସମ୍ବଲପୁର ଡିଭିଜନ ଅଧିନରେ ରହିଛି । ବହଳ ପଦର, ଖଣ୍ଡହତା ରେଞ୍ଜ ରେଢାଖୋଲ ଡିଭିଜନ ଅଧିନରେ ରହିଛି । ଜିଲ୍ଲାରେ ପ୍ରାୟ ୨୫ ହଜାର କେନ୍ଦୁପତ୍ର ଶ୍ରମିକ କାମ କରୁଛନ୍ତି । ଶ୍ରମିକମାନେ କେନ୍ଦୁପତ୍ର ତୋଳିବା ଠାରୁ ଆରମ୍ଭ କରି ଶୁଖାଇବା ଏବଂ ଗୋଦାମ ଗୃହରେ ପହଞ୍ଚାଇବା ପର୍ଯ୍ୟନ୍ତ ସବୁ କାର୍ଯ୍ୟ କରିଥାନ୍ତି । କେନ୍ଦୁପତ୍ର ତୋଳାଳି ଓ ବନ୍ଧାଳି ପାଇଁ କଲ୍ୟାଣ ଟ୍ରଷ୍ଟ ଗଠନ କରିଛନ୍ତି । ତୋଳାଳିଙ୍କୁ ଚପଳ ଯୋଗାଇବା ସହିତ ଅବସରକାଳୀନ ସହାୟତା ସ୍ୱରୂପ ଗ୍ରାଚୁ୍ୟଇଟି ପ୍ରଦାନ କରାଯାଉଛି । ବନେ୍ଧଇ ଶ୍ରମିକମାନଙ୍କୁ ୫ଶହ ଟଙ୍କାର ମଶାରୀ, କମ୍ବଳ, ଲଣ୍ଠନ ଯୋଗାଇ ଦେବାର ବ୍ୟବସ୍ଥା ରହିଛି । ସରକାରଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ଭାବରେ ବୀମା ପ୍ରିମିୟମ ପୈଠ କରାଯାଇ କେନ୍ଦୁପତ୍ର ତୋଳାଳି ଏବଂ ବନ୍ଧାଳିଙ୍କୁ ଜୀବନ ବୀମା ଦ୍ୱାରା ପରିଚାଳିତ ଜନ ଶ୍ରୀ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରାଯିବାର ମଧ୍ୟ ନିୟମ ରହିଛି । ବୀମାଧାରୀଙ୍କ ଅସମୟରେ ମୃତୁ୍ୟ ଘଟିଲେ ୩୦ ହଜାର ଟଙ୍କା ଏବଂ ଦୁର୍ଘଟଣାରେ ମୃତୁ୍ୟ ଘଟିଲେ ୧ ଲକ୍ଷ ବୀମା ରାଶି ପ୍ରଦାନ ସହ ପରିବାରର ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ୨ଟି ପିଲା ଛୁଆଙ୍କୁ ବାର୍ଷିକ ୧୨ ଶହ ଟଙ୍କା ଲେଖାଏଁ ଛାତ୍ର ବୃତ୍ତି ପ୍ରଦାନ କରାଯିବାର ନିୟମ ରହିଛି । ତେବେ ବିଭାଗୀୟ କର୍ମଚାରୀମାନଙ୍କ ଉଦାସୀନତା ମନୋବୃତ୍ତି ଯୋଗୁଁ ଏହି ସବୁ ଯୋଜନା ବାଟବଣା ହୋଇପଡ଼ିଛି । ଜିଲ୍ଲାରେ ଯେତିକି କେନ୍ଦୁପତ୍ର ତୋଳାଳି ଏବଂ ବନ୍ଧାଳି ଏହି ସବୁ ଯୋଜନାର ଅନ୍ତର୍ଭୁକ୍ତ ହେବା କଥା ତାହା କରାଯାଉନାହିଁ ବୋଲି ଅଭିଯୋଗ ହେଉଛି ।
ଉଲ୍ଲେଖଯୋଗ୍ୟ, ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରତି ବର୍ଷ କେନ୍ଦୁପତ୍ରରୁ ୭ କୋଟିରୁ ଅଧିକ ରାଜସ୍ୱ ଆଦାୟ ହୋଇଥାଏ । କିନ୍ତୁ ଏଠାରେ କେନ୍ଦୁପତ୍ର ଶ୍ରମିକମାନେ ଦୁଃଖ କେହି ବୁଝୁନାହାନ୍ତି । ଜିଲ୍ଲାରେ ଏହି ସବୁଜ ହୀରକ ଗରିବ ପରିବାରଙ୍କ ରୋଜଗାର ମାଧ୍ୟମ ହୋଇଥିଲେ ମଧ୍ୟ ସେମାନେ ବିଭାଗୀୟ କର୍ମଚାରୀମାନଙ୍କ ଦ୍ୱାରା ଶୋଷଣର ଶିକାର ହେଉଛନ୍ତି । ପ୍ରତିବର୍ଷ କେନ୍ଦୁପତ୍ର ଶ୍ରମିକମାନଙ୍କୁ ଶୋଷଣ କରାଯାଇ ବ୍ୟାପକ ହରି ଲୁଟ ହେଉଥିବାର ଅଭିଯୋଗ ହେଉଛି । ସୁବର୍ଣ୍ଣପୁର ଜିଲ୍ଲାରେ ଡିଭିଜନ କାର୍ଯ୍ୟାଳୟ ନ ଥିବାରୁ ଏହି ସମସ୍ୟାମାନେ ସମାଧାନ ହୋଇ ପାରୁନାହିଁ ବୋଲି କୁହାଯାଉଛି ।