ଶ୍ରମିକଙ୍କ ସମସ୍ୟା ନେଇ ପୋର୍ଟ ମଜଦୁର ସଂଘର ଆନେ୍ଦାଳନ
ଛତ୍ରପୁର: ଭାରତୀୟ ମଜଦୂର ସଙ୍ଘର ସହ ବନ୍ଧିତ ପୋର୍ଟ ମଜଦୂର ସଙ୍ଘ, ଗୋପାଳପୁର ତରଫରୁ ଶ୍ରମିକ ମାନଙ୍କ ୧୪ଦଫା ଦାବି ନେଇ ଗୋପାଳପୁର ପୋର୍ଟ ମୁଖ୍ୟ ଫାଟକ ସମ୍ମୁଖରେ ଆନେ୍ଦାଳନ କରିବା ସହ ଏକ ଦାବିପତ୍ର ବନ୍ଦରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଉଦେ୍ଦଶ୍ୟରେ ପ୍ରଦାନ କରିଛନ୍ତି । ପ୍ରାରମ୍ଭରେ ଆର୍ଯ୍ୟପଲ୍ଲୀସ୍ଥିତ ସାମୁଦ୍ରିକ ଥାନା ଠାରୁ ସଂଘର ଶତାଧିକ ଶ୍ରମିକ ମାନେ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ମୁଖ୍ୟ ଫାଟକ ସମ୍ମୁଖରେ ପହଂଚିଥିଲେ । ସେଠାରେ ପୋର୍ଟ ମଜଦୂର ସଂଘର ସଭାପତି ଅର୍ଜୁନ ବେହେରାଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରତୀୟ ମଜଦୂର ସଂଘର ରାଜ୍ୟ ସଂଗଠନ ସମ୍ପାଦକ ଲକ୍ଷ୍ମଣ ଦାସ, ଧାମରା ପୋର୍ଟ ଉପସଭାପତି ମନୋଜ ବସନ୍ତ ରାୟ, ବିଏମଏସ ର ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ମୁକ୍ତିକାନ୍ତ ସାହୁ, ଗଞ୍ଜାମ ଜିଲ୍ଲା ସମ୍ପାଦକ ଉମାକାନ୍ତ ସାହୁ, ବ୍ରହ୍ମପୁର ମହାନଗର ନିଗମର ସଭାପତି ଧର୍ମା ରାଓ, ଛତ୍ରପୁର ସମ୍ପାଦକ ମନୋରଞ୍ଜନ ମହାପାତ୍ର, ଟାଟା ଏପିପିଏଲ କର୍ମଚାରୀ ସଂଘ ସଭାପତି ଦିଗାମ୍ବର ମହାଙ୍କୁଡ, ସମ୍ପାଦକ ହିମାଂଶୁ ଗୌଡ, ସମାଜସେବୀ ରାମକ୍ରିଷ୍ଣା ରେଡ୍ଡୀ ଓ ପ୍ରଭାକର ରେଡ୍ଡୀ ପ୍ରମୁଖ ଯୋଗ ଦେଇ ଶ୍ରମିକ ମାନଙ୍କ ହିତ ନିମନ୍ତେ ବିଭିନ୍ନ ଦାବି ଉପରେ ଆଲୋକପାତ କରିଥିଲେ ।
ଏହା ସହିତ ପୋର୍ଟ ମଜଦୂର ସଂଘର କାର୍ଯ୍ୟକାରୀ ସଭାପତି ବି. ଜଗନ୍ନାଥ, ସାଧାରଣ ସମ୍ପାଦକ ଜି. ଡାଲେୟା, ଉପସଭାପତି ଏନ୍. ଦୀନବନ୍ଧୂ ଓ ସିଏଚ୍ ଏରେୟା, ସମ୍ପାଦକ ଏ. କାଲେୟା, କୋଷାଧ୍ୟକ୍ଷ ଏନ୍ ନାଲେଡୁ ପ୍ରମୁଖ ଯୋଗଦେଇ ଚୁକ୍ତି ଭିତ୍ତିକ କର୍ମଚାରୀଙ୍କୁ ଶ୍ରମ ଆଇନ ଅନୁସାରେ ନିୟମିତ କରିବା, ସମସ୍ତ କର୍ମଚାରୀଙ୍କୁ କେନ୍ଦ୍ରୀୟ ଶ୍ରମ ଆଇନ ଅନୁଯାୟୀ ପ୍ରଦାନ କରିବା, ସେବା ନିବୃତ୍ତି ବୟସସୀମା ୫୮ ରୁ ୬୦କୁ ବୃଦ୍ଧି କରିବା, ଗ୍ରୁପ ଟର୍ମ ଲାଇଫ ଇନସୁରାନ୍ସ ୪ ଲକ୍ଷ ରୁ ୧୦ ଲକ୍ଷକୁ ବୃଦ୍ଧି କରିବା, ଅବସର ପରେ ଗ୍ରାଚୁ୍ୟଇଟି ୭ ଲକ୍ଷ ପ୍ରଦାନ କରିବା, ଶ୍ରମ ଆଇନ ବ୍ୟବସ୍ଥା ଅନୁଯାୟୀ ସମ୍ବିଧାନିକ ନୀତିର ପାଳନ କରିବା, ସମସ୍ତ ଶ୍ରମିକ ମାନଙ୍କୁ ବାର୍ଷୀକ ୨ ହଳ ୟୁନିଫର୍ମ ଯୋଗାଇଦେବା, ବହୁମୁଖି ଶ୍ରମିକଙ୍କୁ ସାପ୍ତାହିକ ଅଫ୍ ଦିଆଯିବା, ୱାଗନ ଲୋଡିଂ ଶ୍ରମିକ, ଟ୍ରାକ କ୍ଲିନିଙ୍ଗ ପୁରୁଷ ଶ୍ରମିକ ଓ ଟ୍ରକ ଟ୍ରାନସପୋର୍ଟିଂ ଶ୍ରମିକ ମାନଙ୍କୁ ମଧ୍ୟ ଯଥାଶୀଘ୍ର କାମ ଯୋଗାଇ ଦେବା, କାର୍ଯ୍ୟରତ ଶ୍ରମିକଙ୍କୁ ଡ୍ରଷ୍ଟ ଆଲାଉନ୍ସ ଯୋଗାଇ ଦେବା, ଶ୍ରମ ଆଇନ ଅନୁସାରେ ସମାନ କାମକୁ ସମାନ ଦରମା ଦେବା ଏବଂ ସମସ୍ତ ଶ୍ରମିକ ମାନଙ୍କୁ ବାର୍ଷିକ ଇନକ୍ରିିମେଣ୍ଟ ପ୍ରଦାନ କରିବା ଭଳି ବିଭିନ୍ନ ଦାବି ସମ୍ପର୍କରେ କହିଥିଲେ । ଦାବି ଗୁଡିକ ଯଥା ଶୀଘ୍ର ସମାଧାନ ନ ହେଲେ ଆଗାମୀ ଦିନରେ ସଂଘ ପକ୍ଷରୁ ଆନେ୍ଦାଳନ ପନ୍ଥା ଗ୍ରହଣ କରାଯିବ ବୋଲି ସଂଘ ଚେତାବନୀ ଦେଇଛନ୍ତି ।