ବିଜେଡି ଫୋକାସ୍ରେ ନଈ କୂଳ ପଞ୍ଚାୟତ

 ଯାଜପୁର: କିଏ କେତେ ଭୋଟ ପାଇବ, କୋଉ ଜୋନରୁ କିଏ ଅଧିକ ପାଇବ । କାହାର ବିଜୟ ହେବ ଆଉ କାହାର ପରାଜୟ ଏଭଳି ଚର୍ଚ୍ଚା ସବୁ ନିର୍ବର୍ାଚନମଣ୍ଡଳୀରେ କର୍ମୀଙ୍କ ଠାରୁ ଆରମ୍ଭ କରି ସମର୍ଥକ ଭିତରେ ଚାଲିଛି । ତେବେ ସୁକିନ୍ଦାରେ ଏହା ଟିକେ ଅଧିକ । ସୁକିନ୍ଦା ବିଧାନସଭା କ୍ଷେତ୍ରରେ ବିଜେଡ଼ି-ବିଜେପି ମଧ୍ୟରେ କଡ଼ା ଟକର ହେବ ବୋଲି ରାଜନୈତିକ ମହଲରେ ଆଲୋଚନା ପରେ ଏବେ ଠାରୁ ବିଜୟ-ପରାଜୟର କଥାଟି ଅଧିକ ମାତ୍ରାରେ ହେଉଛି । 
ଆଉ ତାରି ଭିତରେ ପ୍ରଚାର ଯୋରଦାର । ସୁକିନ୍ଦା ନିର୍ବାଚନମଣ୍ଡଳୀର ଗୁରୁତ୍ୱ ଅନେକ । ସୁକିନ୍ଦାକୁ ନେଇ ଅତୀତରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ଦଳଦଳ ମାନଙ୍କ ମଧ୍ୟରେ ଜୋରଦାର ଲଢେଇ ଦେଖିବାକୁ ମିଳେ । ଆଗାମୀ ସାଧାରଣ ନିର୍ବାଚନରେ ସୁକିନ୍ଦା ନିର୍ବାଚନମଣ୍ଡଳୀରେ ବିଜେଡି ଓ ବିଜେପି ମଧ୍ୟରେ ଅସଲ ଲଢ଼େଇ ଦେଖିବାକୁ ମିଳିବ । ପ୍ରାୟତିନି ଦଶନ୍ଧି ଧରି ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ନିଜର ଦବଦବା ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ରଖିଥିବାର ଦେଖାଯାଏ । ସୁକିନ୍ଦା ନିର୍ବାଚନ ମଣ୍ଡଳୀର ସୁକିନ୍ଦା ଓ ଦାନଗଦୀ ବ୍ଲକ୍ରେ ନିଜର ପତିଆର ପାଇଁ ଲଢେଇ ଜୋରଦାର କରିଛନ୍ତି । ଯଦି ଆମେ ସୁକିନ୍ଦା ବ୍ଲକରେ ୩୯ ନମ୍ବର ଜୋନ କଥା ବିଚାରକୁ ନେବା ତେବେ ସେଠାରେ ଉଭୟ ବିଜେଡି ଓ ବିଜେପି ମଧ୍ୟରେ ବଡ଼ ଲଢେଇ ହେବାକୁ ଯାଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ୩୯ ନମ୍ବର ଜୋନ ସାଧାରଣତଃ ନଈ କୂଳ ପଞ୍ଚାୟତ ସବୁକୁ ନେଇ ଗଠିତ ଯଥା । ସୁକିନ୍ଦା, ହରିପୁର, ହାତିବାରି, ଅତା,ବର୍ତଣ୍ଡା ଆମ୍ପୋଲବା, ଆମ୍ବସାର, ମଙ୍ଗରାଜପୁର. ପିଙ୍ଗଲ ସବୁ ପଞ୍ଚାୟତ । ଏହି ସବୁ ପଞ୍ଚାୟତକୁ ନେଇ ବର୍ତ୍ତମାନ ଉଭୟ କଂଗ୍ରେସ, ବିଜେଡି, ବିଜେପି ମଧ୍ୟରେ ଛକପଞ୍ଝା ଲାଗିରହିଛି । ମାତ୍ର ଏସାଧାରଣ ନିର୍ବାଚନରେ ଏସବୁ ପଞ୍ଚାୟତକୁ ନେଇ ଲଢେଇ ଜୋରଦାର ହେବାକୁ ଯାଉଛି । ଉଭୟ ବିଜେଡି ଓ ବିଜେପି ଫୋକସରେ ନଈକୂଳ ପଞ୍ଚାୟତ । ଉଭୟ ଦଳ ଭୋଟର ମାନଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ବେଶ୍ କସରତ କରୁଥିବାର ଦେଖାଯାଏ । ବିଜେଡି ନିଜର ବିକାଶର ବାର୍ତା ନେଇ ଲୋକମାନଙ୍କ ପାଖକୁ ଯାଉଥିବା ବେଳେ ବିଜେପି ଏଥର ପରିବର୍ତ୍ତନ ଓ ମୋଦି ସରକାରର ବିକାଶକୁ ନେଇ ଯାଉଛି । ଯଦିଓ ୩୯ ନମ୍ବର ଜୋନ ଜିଲାପରିଷଦ ବିଜେଡି ପାଖରେ ଅଛି ତାହା ବିଜେଡି ପାଇଁ କିଛି ମାତ୍ରାରେ ସହାୟତା ହେବ । 
ନିର୍ବାଚନ ଯେତେ ନିକଟତର ହେଉଛି ନଇ କୂଳ ପଞ୍ଚାୟତକୁ ନେଇ ଉଭୟ ବିଜେଡି ଓ ବିଜେପି ମଧ୍ୟରେ ଲଢ଼େଇ ତୀବ୍ର ହେଉଛି । ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଏତେ ସ୍ଥାନ ଥାଉ ଥାଉ ବିଜେଡି ତାର ଫୋକସ ନଈକୂଳ ପଞ୍ଚାୟତ ଉପରେ ରଖିଛି । ସେହିଦୃଷ୍ଟିରୁ ରାଜ୍ୟ ବିଜେଡିର ପ୍ରଚାର ମଙ୍ଗ ଧରିଥିବା ଭି କେ ପାଣ୍ଡିଆନ ଜନ ସଭାରେ ସାମିଲ ହୋଇ ପ୍ରୀତିଙ୍କୁ ଭୋଟ ଦେବାକୁ ନିବେଦନ ରଖିଥିଲେ । ଭୋଟର ଭିକେପାଣ୍ଡିଆନଙ୍କୁ ପାଖରେ ପାଇ ତାଙ୍କ ସହ ଫଟୋ ନେବାକୁ ଆଗ୍ରହି ହୋଇପଡ଼ିଥିିଲେ । ଆଉ ଜନସଭାରେ ଜନ ସମୁଦ୍ର ଦେଖି ଭିକେପାଣ୍ଡିଆନ ମା’ ମାନଙ୍କ ସହ ସେଲଫି ନେଇଥିଲେ । ପ୍ରାୟ ୨୫ ରୁ ୩୦ ହଜାର ବିଜେଡି କର୍ମୀଙ୍କ ଉପସ୍ଥିତ ସୂଚାଇ ଦେଉଥିଲା କି ବିଜେଡି ନିଶ୍ଚିତ ଭାବରେ ନଈକୂଳ ପଞ୍ଚାୟତ ଉପରେ ଫୋକସ କରିଛି । ନଈକୂଳିଆ ପଞ୍ଚାୟତର ଭାର ବିଜେଡିର ବରିଷ୍ଟ ନେତା ବେବି ଦାସ ହାତରେ ଥିଲା ସେଠାରେ ତାଙ୍କର ବି ବେଶ୍ ଦବଦବା ରହିଥିବାର ନଜରକୁ ଆସେ । କାରଣ ବେବି ଦାସ ବିଗତ ଦିନରେ ସୁକିନ୍ଦା ପଞ୍ଚାୟତ ସମିତିର ଅଧକ୍ଷ ଥିଲେ । ଫଳରେ ସେ ପଞ୍ଚାୟତ ମାନଙ୍କରେ ତାଙ୍କର ପତିଆରା ଅଛି କହିଲେ ଭୁଲ ହେବନାହିଁ । ଯାହା ଆଗାମୀ ଦିନରେ ବିଜେଡିକୁ ସୁହାଇବ । ବିଜେପି ମଧ୍ୟ ପଛରେ ପଡ଼ି ନାହିଁ । କାରଣ ଗଲା ପଞ୍ଚାୟତ ନିର୍ବାଚନରେ ହାତିବାରି, ଅତା ପଞ୍ଚାୟତରେ ବିଜେପି ସରପଞ୍ଚ ଥିବାବେଳେ ଅମ୍ପୋଲବା ପଞ୍ଚାୟତର ସମିତି ସଭ୍ୟ ଅଛନ୍ତି ଖୋଦ୍ ଜିଲା ବିଜେପି ଯୁବ ସଭାପତି ବାବୁନି ରାଜ୍ । ଯାହାକୁ ପାଥେୟ କରି ବିଜେପି ଭୋଟ ଅଧିକ ନେବ ବୋଲି ଆକଳନ କରୁଛି । ପୁଣି ରହିଛି ସୁକିନ୍ଦା ପଞ୍ଚାୟତ । ସୁକିନ୍ଦାରେ ବିଜେପି ପ୍ରାର୍ଥୀ ଟୁଟୁ ବଳର ନିଜସ୍ୱ ପଞ୍ଚାୟତ ହୋଇଥିବାରୁ ବିଜେପି ମଧ୍ୟ ନଈକୂଳ ପଞ୍ଚାୟତକୁ ଫୋକସରେ ରଖିଛି ।