ଶ୍ରାବଣର ପ୍ରଥମ ସୋମବାର: ଶିବମୟ ଗାଁଠୁ ସହର

 ଭୁବନେଶ୍ୱର :  ଆଜି ଶ୍ରାବଣ ମାସର ପ୍ରଥମ ସୋମବାର  । ଦେବ ଦେବ ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁ,ବିଶେଶ୍ୱର ମହାପ୍ରଭୁ, ଗଣ୍ଡମୁଣ୍ଡା ମହାକାଳେଶ୍ୱର ମନ୍ଦିର ସମେତ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି  । ଦୂର ଦୂରାନ୍ତରୁ ପାଣି ଆଣି କାଉଡିଆଙ୍କ ଲମ୍ୱାଧାଡି ବିଭିନ୍ନ ଶୈବ ପୀଠକୁ ଲମ୍ୱିଛି  । ଅନେକ ଶ୍ରଦ୍ଧାଳୁ ମାଇଲ ମାଇଲ ବାଟ ଚାଲି ଚାଲି ପାଣି ଭାର ଉଠାଇ ବୋଲ ବୋମ ହର ହର ବମରେ ଶିବଙ୍କୁ ଜଳ ଲାଗି କରିଥିଲେ  । ଶ୍ରାବଣ ମାସରେ ଦେବ ଦେବ ମହାଦେବଙ୍କୁ ଜଳ ଲାଗି କଲେ ମାନସିକ ପୂରଣ ହୁଏ ବୋଲି ବିଶ୍ୱାସ ରହିଛି  । ସେଥିପାଇଁ ମାସକ ପୂର୍ବରୁ ଜଳ ଲାଗି କରିବାକୁ ଯାଉଥିବା କାଉଡିଆ ରୀତି ନୀତି ପାଳନ କରିଥା’ନ୍ତି  । ଶ୍ରାବଣ ମାସ ସାରା ପ୍ରତିଟି ସୋମବାର ବିଭିନ୍ନ ନଦୀରୁ ଜଳ ସଂଗ୍ରହ କରି ଖାଲିପାଦରେ ବାହୁଙ୍ଗା ବୋହି ପାଦରେ ଚାଲି ଚାଲି ନିଷ୍ଠାର ସହ ଶୈବପୀଠକୁ ଆଣି ଭୋଳାବାବାଙ୍କୁ ଜଳ ଲାଗି କରିଥା’ନ୍ତି  । ତେବେ ଏନେଇ ବିଭିନ୍ନ ନଦୀ ଘାଟ ଓ ତୀର୍ଥସ୍ଥଳୀ ଗୁଡିକରେ କଡା ସୁରକ୍ଷାର ବନେ୍ଦାବସ୍ତ କରାଯାଇଛି  । ଅନ୍ୟପଟେ ଶୃଙ୍ଖଳିତ ଦର୍ଶନ ପାଇଁ ମଧ୍ୟ ଶୈବପୀଠ ଗୁଡିକରେ ପୁଲିସ ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏଥିପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ଆଗରେ କାଉଡିଆଙ୍କ ଭିଡ ଦେଖିବାକୁ ମିଳିଥିଲା  । କାଉଡିଆ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ଆଗରେ ପୂର୍ତ୍ତ ବିଭାଗ ପକ୍ଷରୁ  ଲୁହା ବ୍ୟାରିକେଡ୍ ପ୍ରସ୍ତୁତ କରାଯାଇଥିଲା  । ଏଥିସହ ମନ୍ଦିର ସମ୍ମୁଖରେ ପୁରୁଷ ଓ ମହିଳାଙ୍କ ଆଶ୍ରୟସ୍ଥଳ ତିଆରି ହୋଇଛି । ସେହିପରି ବିଭିନ୍ନ ଦାତବ୍ୟ ଅନୁଷ୍ଠାନ ପକ୍ଷରୁ ରନ୍ଧା ଖାଦ୍ୟ ପ୍ରସ୍ତୁତ କରାଯାଇଛି । ମନ୍ଦିର ଭିତରେ ଏଏସ୍ଆଇ ପକ୍ଷରୁ ବ୍ୟାରିକେଡ୍ ବନ୍ଧା ହୋଇଛି । କାଉଡିଆମାନେ ଅପରାହ୍ଣରୁ ଝିପିଝିପି ବର୍ଷାରେ ଭିଜିଭଜି ଏକାମ୍ର କ୍ଷେତ୍ରକୁ ଆସି ଜଳଲାଗି କରିଥିଲେ  । ଶ୍ରାବଣୀ ନୀତି ନିର୍ଘଣ୍ଟ ଅନୁଯାୟୀ ଭୋରରେ ମନ୍ଦିର ଖୋଲାଯିବା ସହ ମଙ୍ଗଳଆଳତି ଓ ଅବକାଶ ନୀତି କରାଯିବା ପରେ ୪ଟାରେ ସାହାଣମେଲା ଦର୍ଶନ ପରେ କାଉଡିଆମାନେ ଧାଡିକରି ମନ୍ଦିରକୁ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କରି ଜଳଲାଗି କରିଥିଲେ । କାଉଡିଆଙ୍କ ଭିଡକୁ ଦୃଷ୍ଟିରେ ରଖି ସହରର ବିଭିନ୍ନ ଶୈବ ପୀଠ ଏବଂ ଏହାକୁ ସଂଯୋଗ କରୁଥିବା ଛକ ଗୁଡିକ ଏବଂ ରାସ୍ତାରେ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା  ।
ରାଜକନିକା : କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାର ମଧ୍ୟଭାଗ ବୈତରଣୀ କୂଳରେ ଅଧିଷ୍ଟ୍ରିଟ ପ୍ରଭୂ ବାବା ଆଖଣ୍ଡଳ ମଣି ଆରଡ଼ି ପୀଠକୁ ଲାଗି କଉଡ଼ିଆଙ୍କ ଲମ୍ବା ଧାଡି । କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ କଉଡ଼ିଆ ମାନେ ବିଭିନ୍ନ ନଦୀରୁ ଜଳ ଉଠାଇ ରାଜକନିକା ମାନପୁର ଘାଟରେ ଭିଡ଼ ଜମାଇ ଛନ୍ତି । ବୈତରଣୀ ପାର ହୋଇ ବାବା ଆଖଣ୍ଡଳ ମଣିଙ୍କ ପୀଠକୁ ଯିବାକୁ ସେମାନଙ୍କ ମନରେ ଉସôାହ ଓ ଉଦିପନ୍ନା ରହିଛି ।ଅଗ୍ନିଶମ ବାହିନୀ ପକ୍ଷରୁ ପାୱାର ବୋଟ ଯୋଗେ ନଦୀରେ ପଇଁତରା ଦିଆ ଯାଉଛି । ଆଜି ଶ୍ରାବଣର ପ୍ରଥମ ସୋମବାର ହୋଇଥିବାରୁ ଅଧୁକ କଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳୁଛି ।
ସମ୍ବଲପୁର :  ପ୍ରଥମ ସୋମବାରର ଅବ୍ୟବହିତ ପୂର୍ବରୁ କାଉଡିଆଙ୍କ ଚଳଚଞ୍ଚଳ ପରିଲକ୍ଷିତ ହୋଇଛି । ଗୈରିକ ବସନ ପରିହିତ ବହୁ ସଂଖ୍ୟାରେ ଲୋକେ ଆଜି ବିଭିନ୍ନ ଶିବାଳୟ ଉଦେ୍ଦଶ୍ୟରେ ଯାତ୍ରାରମ୍ଭ କରିଛନ୍ତି । ଅନେକ ଲୋକ ଏଠାରୁ ପୁରୀ ଶ୍ରୀଲୋକନାଥ ବାବା ଏବଂ ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମହାପ୍ରଭୁଙ୍କ ଉଦେ୍ଦଶ୍ୟରେ ବାହାରିଥିବା ବେଳେ ଆଉ କେତେକ ଢ଼େଙ୍କାନାଳର କପିଳାସ ମନ୍ଦିରକୁ ଯାତ୍ରା କରିଛନ୍ତି । ଯୁଯୋମୁରାର କଳ୍ପେଶ୍ୱର, ଜମନକିରାର ମୁକ୍ତେଶ୍ୱର, ହୁମାର ବିମଳେଶ୍ୱର, ମାନେଶ୍ୱରର ମାନ୍ଧାତା ବାବା ଏବଂ ଅନ୍ୟାନ୍ୟ ଶିବାଳୟ ଉଦେ୍ଦଶ୍ୟରେ ଯାତ୍ରା କରିଛନ୍ତି । ସମ୍ବଲପୁର ଜିଲ୍ଲାରେ ଥିବା ଶିବାଳୟଗୁଡ଼ିକ ସକାଶେ କାଉଡିଆମାନେ ସ୍ଥାନୀୟ ବାଲିବନ୍ଧା ଘାଟରେ ମହାନଦୀରୁ ଜଳ ବହନ କରି ଯାତ୍ରା କରିଛନ୍ତି ।  ଏ ଅବସରରେ ବିଭିନ୍ନ ଧର୍ମୀୟ ଅନୁଷ୍ଠାନ, ଭକ୍ତମଣ୍ଡଳୀ ଏବଂ ବଦାନ୍ୟ ବ୍ୟକ୍ତିଙ୍କ ପକ୍ଷରୁ ଅନେକ ସ୍ଥାନରେ କାଉଡିଆଙ୍କ ପାଇଁ ବିଶେଷ ଆୟୋଜନ କରାଯାଇଥାଏ । ମନ୍ଦିରଗୁଡ଼ିକରେ ଭଜନ ସମାରୋହ ତଥା ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି ।
ପୁରୀ : ଶ୍ରାବଣ ମାସର ପ୍ରଥମ ସୋମବାରରୁ ଆରମ୍ଭ ହୋଇଛି ବୋଲବମ୍ ବା କାଉଡ଼ିଆ ଯାତ୍ରା । ଭକ୍ତମାନେ ବିଭିନ୍ନ ଶୈବ ପୀଠରେ ଜଳଲାଗି କରିବା ସହ ଦେବ ଦେବ ମହାଦେବଙ୍କ ପୂଜାର୍ଚ୍ଚନା କରିଛନ୍ତି । ପୁରୀର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଲୋକନାଥଙ୍କ ମନ୍ଦିରରେ ପ୍ରଥମ ସୋମବାରରେ ଜଳଲାଗି କରିଥିଲେ ବିଭିନ୍ନ ଅଞ୍ଚଳରୁ ଜଳ ଭାର ଧରି ଆସିଥିବା ହଜାର ହଜାର ବୋଲବମ୍ ଭକ୍ତ । ବୋଲବମ୍ ଭକ୍ତମାନଙ୍କ ସମାଗମ ଯୋଗୁଁ ଶ୍ରୀକ୍ଷେତ୍ରରେ ସୃଷ୍ଟି ହୋଇଥିଲା ଭକ୍ତିମୟ ପରିବେଶ । ବର୍ଷା ପାଗକୁ ଖାତିର ନକରି ବିଭିନ୍ନ ଜଳାଶୟରୁ ପବିତ୍ର ଜଳ ନେଇ ଆସିଥିବା କାଉଡ଼ିଆମାନେ ଶ୍ରୀ ଲୋକନାଥଙ୍କ ମନ୍ଦିର ସହ ଅନ୍ୟାନ୍ୟ ଶିବ ମନ୍ଦିରରେ ମଧ୍ୟ ଜଳ ଲାଗି କରିଥିଲେ । ସିଂହଦ୍ୱାର ଠାରୁ ଆରମ୍ଭ କରି ଲୋକନାଥ ଘାଟ ପର୍ଯ୍ୟନ୍ତ ପ୍ରକମ୍ପିତ ହୋଇଉଠିଥିଲା ବୋଲବମ୍ ହରହର ବମ୍ ଧ୍ୱନିରେ । ମନ୍ଦିରର ଦ୍ୱାର ଫିଟି ମଙ୍ଗଳଆଳତି, ଅବକାଶ ଓ ଅନ୍ୟାନ୍ୟ ନୀତିକାନ୍ତି ସଂପନ୍ନ ହେବା ପରେ ଆରମ୍ଭ ହୋଇଥିଲା ଜଳଲାଗି । ଶୃଙ୍ଖଳିତ ଭାବେ ଜଳାଭିଷେକ ପାଇଁ ମନ୍ଦିର ଭିତରେ ଓ ବାହାରେ ବାରିକେଡ଼ ନିର୍ମାଣ କରାଯାଇଥିଲା । ବାହୁଙ୍ଗୀ ଝୁଲାଇବା ପାଇଁ ବାଉଁଶ ବନ୍ଧାଯାଇ ବ୍ୟବସ୍ଥା କରାଯାଇଥିଲା । ମନ୍ଦିର ପରିସରରେ ସୃଷ୍ଟି ହୋଇଥିଲା ଦିବ୍ୟ ଭକ୍ତିପୂତ ପରିବେଶ । ଶାନ୍ତିଶୃଙ୍ଖଳା ରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ତଥା ମନ୍ଦିର ବାହାରେ ବ୍ୟାପକ ପୋଲିସ ମୂତୟନ କରାଯାଇଥିଲା । 
ଢେଙ୍କାନାଳ : ଶ୍ରାବଣ ମାସର ପ୍ରଥମ ସୋମବାର ବ୍ରତ ଧାରୀ କାଉଡ଼ିଆ ଭକ୍ତ ମାନେ ନିଜ ନିଜର ମାନସିକ ପୂରଣ କରିବାପାଈଁ ବିଭିନ୍ନ  ନଦୀରୁ ପୂଜା ଅର୍ଚ୍ଚନା କରି କାନ୍ଧରେ ପାଣିଭାର ଧରି ଶୈବ ପୀଠ ବାବା ଚନ୍ଦ୍ରଶେଖରଙ୍କ କ୍ଷେତ୍ର କପିଳାଶ ପୀଠରେ କାଉଡ଼ିଆ ଭକ୍ତ ମାନେ ସମାଗମ ହୋଇଥିଲେ  । ପ୍ରାୟ ୨୦ହଜାର  କାଉଡିଆ ଭକ୍ତ ମାନଙ୍କର ଗହଳି ଦେଖିବାକୁ ମିଳିଥିଲା  । ଜିଲ୍ଲା ତଥା ପଡୋଶୀ ଜିଲ୍ଲା ଅନୁଗୋଳ ଯାଜପୁର, କେନ୍ଦୁଝର,କଟକ, ପୁରୀଭଦ୍ରକ, ଖୋର୍ଦ୍ଧା ଆଦିଜିଲ୍ଲାର ବିଭିନ୍ନ ଅଂଚଳରୁ ଭକ୍ତ ମାନଙ୍କର ସମାଗମ ହୋଇଥିଲା  । ଏହି ଉପଲକ୍ଷେ ପ୍ରାତ ସମୟରୁ ଠାକୁରଙ୍କର ସକାଳ ଧୂପ ନୀତି କାନ୍ତି ସମାପନ କରଯାଇଥିଲା  । ଭକ୍ତ ମାନେ ଯେପରି ଶାନ୍ତି ଶୃଙ୍ଖଳାର ସହ ଠାକୁରଙ୍କର ଦର୍ଶନ କରିପାରିବେ ସେଥିପାଇଁ ଦେବୋତ୍ତର ବିଭାଗ, ଜିଲ୍ଲାପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଥିଲା  ।