‘ଶ୍ରୀଜଗନ୍ନାଥ ହିଁ ଓଡ଼ିଆଙ୍କର ସାଂସ୍କୃତିକ ଚେତନାର ପ୍ରତୀକ’
ଭୁବନେଶ୍ୱର : ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦର ଆଜୀବନ ସଦସ୍ୟସଦସ୍ୟାଙ୍କ ସାଧାରଣ ସଭା ସ୍ଥାନୀୟ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପରିଷଦର ସଭାପତି ସଞ୍ଚିତା ମହାନ୍ତି ସଭାପତିତ୍ୱ କରିବା ସହ ସ୍ୱାଗତ ଭାଷଣରେ ସ୍ୱର୍ଗତ ଗୋପୀନାଥ ମହାନ୍ତିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସଦସ୍ୟସଦସ୍ୟାମାନେ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାରରେ ନିଜକୁ ସମର୍ପିତ କରିଛନ୍ତି ବୋଲି ପ୍ରକାଶ କରିଥିଲେ । ପରିଷଦର ମୁଖ୍ୟ ଉପଦେଷ୍ଟା ପ୍ରଭାତ ନନ୍ଦ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦର ଇତିହାସ ସମ୍ପର୍କରେ ଆଲୋଚନା କରିଥିଲେ । ପରିଷଦର ସମ୍ପାଦକ ସନତ ରଞ୍ଜନ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏଥିରେ ମୁଖ୍ୟଅତିଥି ଭାବେ ଆଇନ, ଅବକାରୀ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗ ଦେଇ ପୁରୀକୁ ଏକ ଆନ୍ତର୍ଜାତିକ ତୀର୍ଥ କ୍ଷେତ୍ରରେ ପରିଣତ କରି ବିଭିନ୍ନ ବେଶ, ରୀତିନୀତିର ପ୍ରଚାର କରାଯିବ ବୋଲି କହିଥିଲେ । ଅନ୍ୟତମ ଅତିଥି ବିଧାୟକ ବାବୁ ସିଂହ ଶ୍ରୀଜଗନ୍ନାଥ ହିଁ ଓଡ଼ିଆଙ୍କର ସାଂସ୍କୃତିକ ଚେତନାର ପ୍ରତୀକ ବୋଲି କହିଥିଲେ । କୋରେଇ ବିଧାୟକ ଆକାଶ ଦାସ ନାୟକ ବିଶ୍ୱବ୍ୟାପୀ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ନିମିତ୍ତ ପ୍ରୟାସ କରିବା ପାଇଁ ମତ ଦେଇଥିଲେ । ପରିଷଦର ଅନ୍ୟତମ ସମ୍ପାଦକ ସନ୍ତୋଷ ଦାଶ ବାର୍ଷିକ ବିବରଣୀ ପାଠ କରିଥିବାବେଳେ ପୁରୀ ଚୁନରା ସେବକ ଡ. ଶରତ ମହାନ୍ତି ଶ୍ରୀଜଗନ୍ନାଥଙ୍କ ମହିମା ଆଲୋଚନା କରିବା ସହ ଗଜପତି ଓ ବିଶ୍ୱଜନଙ୍କର ମଙ୍ଗଳ ନିମିତ୍ତ କହୁଥିବା ବାଣୀ ଶୁଣାଇଥିଲେ । ଡ. ସୁଶୀଲ ପଟ୍ଟନାୟକ ସଭା ପରିଚଳନା କରିଥିବା ବେଳେ ପରିଷଦ ଉପଦେଷ୍ଟା ମନୋରଞ୍ଜନ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।
ସଭା ପୂର୍ବରୁ ମୁରଲୀଧର ପଲାଇ ବିଷ୍ଣୁ ସହସ୍ର ନାମ ଗାନ କରିଥିଲେ । ଶିଶୁ ନୃତ୍ୟଶିଳ୍ପୀ ଚୁନ୍ମୁନ୍ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । ଓଡ଼ିଶୀ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ ଓ ଗ୍ରୁପ୍ ମହାପ୍ରଭୁଙ୍କ ବିଭିନ୍ନ ଭଜନ ଗାନ କରି ନୃତ୍ୟ ପରିବେଷଣ କରିଥିଲେ । ଏହି ସଭାରେ ଅଫତାବ ହୁସେନ, ସୁରେନ୍ଦ୍ରନାଥ ଦାଶ, ସୁଶାନ୍ତ ଦାଶ ଓ ଡ. ହରିହର କାନୁନଗୋଙ୍କୁ ଶ୍ରୀ ପୁରୁଷୋତ୍ତମ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଶ୍ରୀଜଗନ୍ନାଥ ମନ୍ଦିରର ନବଗଠିତ ପରିଚାଳନା ସମିତି ସଭ୍ୟ ଗଣେଶ ଦାସ ମହାପାତ୍ର ଓ ଅନ୍ୟ ସଦସ୍ୟମାନଙ୍କୁ ପରିଷଦ ଦ୍ୱାରା ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ପରିଷଦର ସଂଶୋଧିତ ସଭ୍ୟସଭ୍ୟାମାନଙ୍କର ସୂଚୀ ପୁସ୍ତିକା ଓ ଇଂ ସୁଶାନ୍ତ ପଣ୍ଡାଙ୍କ ଲିଖିତ କବିତା ପୁସ୍ତକ ‘ପୁଷ୍ପାଞ୍ଜଳୀ' ଉନ୍ମୋଚିତ ହୋଇଥିଲା । ପରିଷଦର ସମ୍ବିଧାନ ସଂଶୋଧନ ନେଇ ସଭାପତି ସଞ୍ଚିତା ମହାନ୍ତି ପ୍ରସ୍ତାବ ଆଗତ କରିଥିବା ବେଳେ ତାହା ଗୃହୀତ ହୋଇଥିଲା ।