"ଶ୍ୟାମାପ୍ରସାଦଙ୍କ ପାଇଁ ଦେଶ ଗର୍ବିତ' : ଭିଜନ ଡକୁ୍ୟମେଣ୍ଟକୁ ସଫଳ କରିବା ପାଇଁ ମୋହନଙ୍କ ଆହ୍ୱାନ 


 ଭୁବନେଶ୍ୱର: ସ୍ଥାନୀୟ ଜୟଦେବ ଭବନ ଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ଡଃ ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ୧୨୫ ତମ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଆଜିର ଦିନକୁ ସଂକଳ୍ପ, ଏକ ପ୍ରେରଣା ଏବଂ ଏକ ଜାଗୃତିର ଦିବସ ବୋଲି କହିଛନ୍ତି  । ନିଜ ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଡଃ ମୁଖାର୍ଜୀଙ୍କ ଜୀବନ ଏହି ଦେଶ ପାଇଁ ଏମିତି ଏକ ଉପହାର ଯାହା ପ୍ରତିଟି ଭାରତବାସୀଙ୍କୁ ଆଦର୍ଶ ଓ ପ୍ରେରଣା ଦେଇଥାଏ  । ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଯେଉଁ କେତେଜଣ ମହାମନୀଷୀ ଭାରତୀୟ ଶିକ୍ଷା, ସଂସ୍କୃତି, ପରମ୍ପରା ଓ ରାଷ୍ଟ୍ରବାଦର ଉତ୍ଥାନ କରି ଦେଶ ମାତୃକାର ସେବା ପାଇଁ ଆଗେଇ ଆସିଥିଲେ, ସେମାନଙ୍କ ମଧ୍ୟରେ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ଥିଲେ ଅଗ୍ରଗଣ୍ୟ । ସେ କେବଳ ଜଣେ ଶିକ୍ଷାବିତ୍ ନ ଥିଲେ ବରଂ ଏକ ସମର୍ପିତ ରାଷ୍ଟ୍ର ନେତା, ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତକ ଓ ଦେଶପ୍ରେମୀ ଥିଲେ  । 
ଡଃ ମୁଖାର୍ଜୀଙ୍କ ଦ୍ୱାରା ଗଠିତ ଜନସଂଘ ବିଜେପିରେ ପରିଣତ ହେଲା ଏବଂ ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀ, ବିଜେପିର ପ୍ରତିଷ୍ଠାତା ରୂପେ ନାମିତ ହେଲେ । ତାଙ୍କ ବିଚାରଧାରା ଏବଂ ସାଂସ୍କୃତିକ ରାଷ୍ଟ୍ରବାଦ ହିଁ ହୋଇଥିଲା ବିଜେପିର ମୂଳମନ୍ତ୍ର  । ଡଃ ମୁଖାର୍ଜୀଙ୍କ ସ୍ୱପ୍ନ ଓ ସଂଘର୍ଷକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂରଣ କରିଛନ୍ତି  । ଡଃ ମୁଖାର୍ଜୀଙ୍କ ପରି ଜଣେ ମହାନ ଜନନାୟକଙ୍କ ପାଇଁ ଏ ଦେଶ ସର୍ବଦା ଗର୍ବିତ । ରାଜ୍ୟରେ ଓ ଦେଶରେ ବିକାଶ ହେଉଛି  । ରାଜ୍ୟରେ ମଧ୍ୟ ପୂର୍ବ ସରକାର ଡଃ ମୁଖାର୍ଜୀଙ୍କର ସ୍ମୃତି ଦିବସକୁ କେବେ ପାଳନ କରୁନଥିଲେ  । ଆମ ସରକାର ଏହାକୁ ଜାତୀୟ କର୍ତ୍ତବ୍ୟ ବୋଲି ସ୍ୱୀକାର କରି ପାଳନ କରୁଛି ଏବଂ ଆଗକୁ ମଧ୍ୟ କରିବ  ।
ଆମର ଯୁବ ଶକ୍ତି ହିଁ ଦେଶର ଭବିଷ୍ୟତ  । ରାଜ୍ୟ ସରକାର ଏକ ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ସାରା ଓଡିଶାରେ ଯୁବ ଶକ୍ତି ବିକାଶ କାର୍ଯ୍ୟକ୍ରମ କରୁଛନ୍ତି । ଏଣୁ ନୈତିକତା ବିନା ରାଜନୀତି, ଆଦର୍ଶ ବିନା ଶାସନ, ଓ ଦେଶପ୍ରେମ ବିନା ସ୍ୱାଧୀନତା କେବଳ ଏକ ଭ୍ରମ । ତ୍ୟାଗ ଓ ସେବା ଦ୍ୱାରା ଆମେ ଆମ ଭବିଷ୍ୟ ଗଢିବା । ଆଜି ଆମେ ଯେତେବେଳେ ଏକ ନୂଆ ଓଡ଼ିଶା ଗଢ଼ୁଛୁ, ଏକ ଶକ୍ତିଶାଳୀ ଭାରତର ଦିଗକୁ ବଢ଼ୁଛୁ, ଡଃ ମୁଖାର୍ଜୀଙ୍କ ନୀତି ଓ ଦୃଷ୍ଟିକୋଣ ଆମକୁ ସଠିକ ମାର୍ଗ ଦେଉଛି । ସମ୍ମାନିତ ଅତିଥି ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ଡଃ ମୁଖାର୍ଜୀଙ୍କୁ ଇତିହାସର ଶ୍ରେଷ୍ଠ ବ୍ୟକ୍ତିତ୍ୱ ଭାବେ ସମ୍ବୋଧିତ କରିଥିବା ବେଳେ ରାଜ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଥିଲେଯେ ଡଃ ମୁଖାର୍ଜୀ ଭାରତର ଅଖଣ୍ଡତାର ପ୍ରତୀକ । କାର୍ଯ୍ୟକ୍ରମର ମୁଖ୍ୟବକ୍ତା ଶ୍ରୀ ଅନିର୍ବାଣ ଗାଙ୍ଗୁଲି ଡଃ ମୁଖାର୍ଜୀଙ୍କୁ ପରାଧୀନ ଭାରତରେ ମଧ୍ୟ ଭାରତୀୟ ଭାଷାରେ ଶିକ୍ଷାର ଆଦି ପ୍ରବର୍ତ୍ତକ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ସରକାରୀ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଓ ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ ସମ୍ମାନନୀୟ ଅତିଥିଗଣ ଡଃ ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଜୀବନୀ ଆଧାରିତ ଫଟୋଚିତ୍ର ପ୍ରଦର୍ଶନୀ ଗ୍ୟାଲେରୀକୁ ଉଦଘାଟନ କରିଥିଲେ । ଡଃ ମୁଖାର୍ଜୀଙ୍କ ଉପରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା  । ଏହି ଅବସରରେ ଆୟୋଜିତ ତର୍କ ପ୍ରତିଯୋଗିତାର କୃତୀ ମହାବିଦ୍ୟାଳୟ ଓ ବିଦ୍ୟାଳୟସ୍ତରର ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଥିଲେ  । ଉକ୍ତ କାର୍ଯ୍ୟକ୍ରମରେ ସଂସ୍କୃତି ବିଭାଗ ସଚିବ ସଂଜୀବ କୁମାର ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ବିଭାଗୀୟ ନିଦେ୍ର୍ଦଶକ ବିଜୟ କେତନ ଉପାଧ୍ୟାୟ ଧନ୍ୟବାଦ ଦେଇଥିଲେ  । ଏହି କାର୍ଯ୍ୟକ୍ରମ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସମେତ ବାଚସ୍ପତି ସୁରମା ପାଢ଼ୀ ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିଗଣ ଭୁବନେଶ୍ୱରର ସତସଙ୍ଗ ବିହାରଠାରେ ଶ୍ୟାମା ପ୍ରସାଦ ମୁଖାର୍ଜୀ ପାର୍କରେ ସ୍ୱର୍ଗତ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ  ।