ସୁବର୍ଣ୍ଣମଣ୍ଡିତ ଶ୍ରୀଜୀଉ : ସୁନାବେଶ ଦେଖିଲେ ୧୨ ଲକ୍ଷ ଭକ୍ତ
ପୁରୀରୁ ବିଶ୍ୱଜିତ୍ ମିଶ୍ର : ସୁବର୍ଣ୍ଣ ଶ୍ରୀପୟର, ଶ୍ରୀଭୁଜ, କିରିଟି, ଓଡ଼ିଆଣୀ, ଚନ୍ଦ୍ରକାନ୍ତ ଆଦିରେ ଝଲସୁଥିଲେ ପ୍ରଭୁ ଶ୍ରୀବଳଭଦ୍ର । ହାତରେ ଶୋଭାବର୍ଦ୍ଧନ କରୁଥିଲା ସୁନାର ହଳ ମୂଷଳ । କାଳିଆ ଠାକୁର ବି ସୁବର୍ଣ୍ଣ ଶ୍ରୀପୟର, ଶ୍ରୀଭୁଜ ଆଦି ସହ ହରିଡ଼ା, କଦମ୍ବ ମାଳି, ସେବତୀ ମାଳି ନାଇ ଚମକୁଥିଲେ । ହାତରେ ଶୋଭ ପାଉଥିଲା ରୂପାର ଶଙ୍ଖ ଓ ସୁନାର ଚକ୍ର । ଦେବୀ ସୁଭଦ୍ରା ସ୍ୱର୍ଣ୍ଣ କିରିଟି, ଚନ୍ଦ୍ରସୂର୍ଯ୍ୟ, ଘାଘଡ଼ାମାଳି ସହ ତଡଗି ନାଇ ଝଲସୁଥିଲେ । ରଥ ଉପରେ ଦିବ୍ୟ ସୁନାବେଶ ଦେଖି ଭକ୍ତ ବିମୋହିତ ହୋଇଯାଉଥିଲେ । ପବିତ୍ର ହରିଶୟନ ଏକାଦଶୀ ବା ବଡ଼ ଏକାଦଶୀରେ ରଥ ଉପରେ ଅନୁଷ୍ଠିତ ହୋଇଯାଇଛି ଶ୍ରୀଜୀଉମାନଙ୍କ ପ୍ରସିଦ୍ଧ ବଡ଼ତଢାଉ ବା ସୁନା ବେଶ । ବିବିଧ ସ୍ୱର୍ଣ୍ଣ ଆଭୂଷଣ, ଅଳଙ୍କାର ଓ ଆୟୁଧରେ ସଜ୍ଜିତ ହୋଇ ଦାରୁଦେବତାମାନେ ରଥ ଉପରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି । ମହାପ୍ରଭୁଙ୍କ ଏହି ମନୋରମ ମହାର୍ଘ ବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ପ୍ରାୟ ୧୨ଲକ୍ଷରୁ ଉଦ୍ଧ୍ୱର୍ ଭକ୍ତଙ୍କ ସମାଗମ ହୋଇଥିଲା । ମହାପ୍ରଭୁଙ୍କର ଏହି ବେଶ ଦର୍ଶନ କରିବା ପାଇଁ ରଥ ଓ ବାହୁଡ଼ାଯାତ୍ରା ପରେ ଆଗ୍ରହର ସହ ଅପେକ୍ଷା କରି ରହିଥିଲେ ଭକ୍ତଗଣ । ଦାରୁ ବିଗ୍ରହମାନଙ୍କୁ ପାଟବସ୍ତ୍ର, ପୁଷ୍ପାଳଙ୍କାର, ସ୍ୱର୍ଣ୍ଣ ଆଭୂଷଣ ଓ ଆୟୁଧରେ ସୁନ୍ଦର ଭାବେ ସଜ୍ଜିତ କରାଯାଇଥିଲା । ଶ୍ରୀମନ୍ଦିର ରତ୍ନ ସିଂହାସନରେ କାର୍ତ୍ତିକ ପୂର୍ଣ୍ଣମୀ, କୁମାର ପୂର୍ଣ୍ଣିମା, ଦୋଳପୂର୍ଣ୍ଣିମା, ବିଜୟାଦଶମୀ, ବାମନ ଜନ୍ମ ଆଦି ବିଭିନ୍ନ ପର୍ବରେ ସୁନାବେଶ ହେଉଥିଲେ ମଧ୍ୟ ରଥ ଉପରେ ଠାକୁରଙ୍କ ସୁନାବେଶ ସବୁଠାରୁ ଅଧିକ ଚିତ୍ତାକର୍ଷକ । ଏହି ବେଶରେ ଦାରୁଦେବତାମାନେ ସର୍ବାଧିକ ସ୍ୱର୍ଣ୍ଣାଳଙ୍କାରରେ ସଜ୍ଜିତ ହୋଇଥାନ୍ତି । ଆଜି ଅପରାହ୍ନ ୪ଟା ୪୫ରେ ସୁନାବେଶ ଆରମ୍ଭ ହୋଇଥିଲା । ସନ୍ଧ୍ୟା ୫ଟା ୫୫ ମିନିଟ୍ରେ ଶ୍ରୀଜୀଉଙ୍କ ସୁନାବେଶ ଶେଷ ହୋଇଥିଲା । ରବିବାର ଅପରାହ୍ନରେ ସୁନାବେଶ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭଣ୍ଡାର ଘରୁ ଅଣାଯାଇଥିଲା ବିଭିନ୍ନ ସ୍ୱର୍ଣ୍ଣ ଆଭୂଷଣ ଓ ଆୟୂଧ । ପୁଷ୍ପାଳକ, ପାଳିଆମେକାପ, ଖୁଣ୍ଟିଆ, ମାଜିଷ୍ଟ୍ରେଟ, ପୋଲିସ ଫୋର୍ସ, ମନ୍ଦିରର ଅଧିକାରୀ ତଥା ଗାରଦ କର୍ମଚାରୀମାନଙ୍କ ସହାୟତାରେ ବେଶ ସାମଗ୍ରୀ ରଥ ଉପରକୁ ଅଣାଯାଇଥିଲା । ପାଳିଆ ପୁଷ୍ପାଳକ, ଦଇତାପତି,ଖୁଣ୍ଟିଆ, ମେକାପ, ତଳୁଚ୍ଛ ଓ ଭିତରଚ୍ଛ ସେବାୟତମାନଙ୍କ ଦ୍ୱାରା ଶ୍ରୀ ବିଗ୍ରହମାନଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଥିଲା । ଏହି ବେଶରେ ପ୍ରଭୁ ବଳଭଦ୍ରଙ୍କୁ ସୁବର୍ଣ୍ଣ ଶ୍ରୀପୟର, ଶ୍ରୀଭୁଜ, କିରିଟି, ଓଡ଼ିଆଣି, ଝୋବାକଣ୍ଠି, ଆଡ଼କାନି, ଚନ୍ଦ୍ରସୂର୍ଯ୍ୟ, ତିଳକ, ଚନ୍ଦ୍ରିକା, ଅଳକା, କଦମ୍ବମାଳି, ସେବତୀମାଳି, ବାହାଡ଼ାମାଳି, ଘାଗଡ଼ାମାଳି, ବାଘନଖି ମାଳି, ତ୍ରିଖଣ୍ଡିକା ଓ କମରପଟି ଲାଗି କରାଯାଇଥିଲା । ପ୍ରଭୁ ବଳଭଦ୍ର ଶ୍ରୀହସ୍ତରେ ଧାରଣ କରିଥିଲେ ସ୍ୱର୍ଣ୍ଣ ନିର୍ମିତ ହଳ ଓ ମୂଷଳ । ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ମଧ୍ୟ ସୁବର୍ଣ୍ଣ ଶ୍ରୀପୟର, ଶ୍ରୀଭୁଜ, କିରିଟି, ଓଡ଼ିଆଣି, ଆଡ଼କାନି, ଚନ୍ଦ୍ରସୂର୍ଯ୍ୟ, କର୍ଣ୍ଣ, ଝୋବାକଣ୍ଠି, ତିଳକ, ଚନ୍ଦ୍ରିକା, ଅଳକା, ତ୍ରିଖଣ୍ଡିକା ଓ କମର ପଟିରେ ସଜ୍ଜିତ କରାଯାଇଥିଲା । ହରିଡ଼ା କଦମ୍ବମାଳି, ବାହାଡ଼ାମାଳି, ତାବିଜମାଳି ଓ ସେବତୀମାଳି ସମେତ ବିଭିନ୍ନ ସ୍ୱର୍ଣ୍ଣ ଆଭୂଷଣ । ମହାପ୍ରଭୁଙ୍କ ଶ୍ରୀ ହସ୍ତରେ ଶୋଭା ପାଉଥିଲା ରୌପ୍ୟ ଶଙ୍ଖ ଓ ସ୍ୱର୍ଣ୍ଣ ଚକ୍ର । ଦେବୀ ସୁଭଦ୍ରାଙ୍କୁ ସ୍ୱର୍ଣ୍ଣ କିରିଟି, ଓଡ଼ିଆଣୀ, ଚନ୍ଦ୍ରସୂର୍ଯ୍ୟ, କଦମ୍ବମାଳି, ସେବତୀମାଳି, ଘାଘଡ଼ା ମାଳିରେ ବେଶ କରାଯାଇଥିଲା । ଦେବୀ ସୁଭଦ୍ରା ଧାରଣ କରିଥିଲେ ୨ଟି ତଡ଼ଗି । ବେଶ ଆରମ୍ଭ ହେବାର ବହୁ ପୂର୍ବରୁ ୩ ରଥର ଚତୁଃପାଶ୍ୱର୍ ହୋଇଉଠିଥିଲା ଲୋକାରଣ୍ୟ । ସୁନାବେଶରେ ଥାଇ ଠାକୁରମାନଙ୍କର ସନ୍ଧ୍ୟାଅଳତି, ସନ୍ଧ୍ୟାଧୂପ ନୀତି କରାଯାଇଥିଲା । ସହରର ବିଭିନ୍ନ ଅଞ୍ଚଳ ଓ ସହର ବାହାରୁ ସୁନାବେଶ ଦର୍ଶନ ପାଇଁ ଛୁଟିଥିଲା ଜନସ୍ରୋତ । ରତ୍ନଭଣ୍ଡାରରୁ ସୁନାବେଶ ସାଜ ଅଣାଯିବା ପରେ ବହୁଭକ୍ତ ଶ୍ରୀଭୁଜ ଓ କିରିଟିକୁ ଭାବ ବିହ୍ୱଳ ହୋଇ ପ୍ରଣିପାତ କରୁଥିବା ଦେଖାଯାଇଥିଲା । ଅପରାହ୍ନରୁ ସହରର ରାସ୍ତାସବୁ ଭକ୍ତମାନଙ୍କ ଦ୍ୱାରା ହୋଇ ଉଠିଥିଲା ଭରପୁର ଓ କୋଳାହଳ ମୁଖରିତ । ଦର୍ଶନାର୍ଥୀମାନଙ୍କୁ ମାର୍କେଟ ଛକରୁ ବ୍ୟାରିକେଡ଼ ଦେଇ ଶୃଙ୍ଖଳିତ ଭାବେ ରଥ ପାଖକୁ ଛଡ଼ାଯାଇଥିଲା । ଭକ୍ତମାନେ ବ୍ୟାରିକେଡ଼ ଦେଇ ଧାଡ଼ିରେ ଦୀର୍ଘ ପଥ ଅତିକ୍ରମ କରି ସିଂହଦ୍ୱାରରେ ପହଞ୍ଚôବା ପରେ ମହାପ୍ରଭୁଙ୍କର ଏହି ମନୋରମ ବେଶ ଦର୍ଶନ କରିଥିଲେ । ରଥ ଚୁତଃପାଶ୍ୱର୍ ଓ ସମଗ୍ର ସିଂହଦ୍ୱାର ଅଞ୍ଚଳ ଉଦ୍ଭାସିତ ହୋଇଉଠିଥିଲା ଉଜ୍ଜ୍ୱଳ ଆଲୋକର ବନ୍ୟାରେ । ଅତ୍ୟାଧୁନିକ ଲାଇଟିଂ ସରଞ୍ଜାମ ଦ୍ୱାରା ସିଂହଦ୍ୱାର ଅଞ୍ଚଳକୁ ଆଲୋକିକରଣ କରାଯାଇଥିଲା । ପ୍ରବଳ ଗହଳି ଯୋଗୁଁ ଏକ ମୁଖୀ ରାସ୍ତାରେ ପ୍ରବେଶ ଓ ପସ୍ଥାନର ବ୍ୟବସ୍ଥା କରାଯାଇଥିଲା । ରାତ୍ର ପ୍ରାୟ ୧୧ଟା ସମୟରେ ମହାପ୍ରଭୁ ବେଶ ଓଲାଗି ହୋଇଥିଲେ । ଭକ୍ତମାନେ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ କରି କୃପା ଲାଭ କରିଥିଲେ । ଶୃଙ୍ଖଳିତ ଦର୍ଶନ ଓ ଆଇନଶୃଙ୍ଖଳା ରକ୍ଷା ପାଇଁ ୨୦୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିଲେ । ବହୁ ସଂଖ୍ୟକ ଏସଓପି, ର୍ୟାପିଡ଼ ଆକ୍ସନ ଫୋର୍ସ ଏବଂ ଏସ୍ଓଜିଙ୍କୁ ମୁତୟନ କରାଯାଇଥିଲା । ଅତିରିକ୍ତ ଡ଼ିଜି ସୌମେନ୍ଦ୍ର ପିୟଦର୍ଶୀ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ରଥଯାତ୍ରା ଦାୟିତ୍ୱରେ ଥିବା ଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲ, ଏସପି ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀ ପିନାକ ମିଶ୍ର, ଜିଲ୍ଳାପାଳ ଚଞ୍ଚଳ ରାଣା ଉପସ୍ଥିତ ରହି ମହାପ୍ରଭୁଙ୍କ ନୀତିକାନ୍ତି ଓ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାର ତଦାରଖ କରିଥିଲେ । ରାଜ୍ୟ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ସାଂସଦ ଡ଼. ସମ୍ବିତ ପାତ୍ର ଓ ବିଜେପି ନେତାମାନେ ଉପସ୍ଥିତ ଥିଲେ । ବଡ଼ ଏକାଦଶୀ ଅବସରରେ ରଥାରୂଢ ଶ୍ରୀଜୀଉମାନଙ୍କୁ ଭକ୍ତମାନଙ୍କ ପକ୍ଷରୁ ବିପୁଳ ପରିମାଣର ଚୁଡ଼ାଘଷା ଓ କଦଳୀ ଭୋଗ କରାଯାଇଥିଲା । ରଥ ଠାରୁ ଅନତି ଦୂରରେ ବ୍ରାହ୍ମଣମାନଙ୍କ ଦ୍ୱାରା ପ୍ରସ୍ତୁତି କରାଯାଉଥିଲା ସ୍ୱାଦିଷ୍ଟ ଚୁଡ଼ାଘଷା । ରାସ୍ତାରେ ବଡ଼ବଡ଼ ତାଟ ପକାଇ ବ୍ରାହ୍ମଣମାନେ ଚୁଡ଼ାଘଷା ପ୍ରସ୍ତୁତ କରିଥିଲେ । ଏହାଛଡ଼ା ପୂଜାପଣ୍ଡା ସେବକମାନେ ରଥତଳୁ ଠାକୁରମାନଙ୍କୁ ଭକ୍ତଙ୍କ ଦ୍ୱାରା ପ୍ରଦତ୍ତ ନଡ଼ିଆ,କଦଳୀ ଓ ବିଭିନ୍ନ ଫଳମୂଳ ଭୋଗ କରିଥିଲେ । ଚୁଡ଼ାଘଷାର ମହକରେ ମହକି ଉଠିଥିଲା ରଥ ପାଶ୍ୱର୍ବର୍ତ୍ତୀ ଅଞ୍ଚଳ । ଏହି ଅବସରରେ ହଜାରହଜାର ଭକ୍ତ ଶ୍ରୀଜୀଉମାନଙ୍କ ଉଦେ୍ଦଶ୍ୟରେ ଧୂପ, ଦୀପ ଓ ନୈବେଦ୍ୟ ଅର୍ପଣ କରିଥିଲେ । ବିଭିନ୍ନ ଗାଁର କୋଠ ପକ୍ଷରୁ ମଧ୍ୟ ବହୁ ପରିମାଣର ଚୁଡ଼ାଘଷା ଭୋଗ କରାଯାଇଥିଲା । ସୁନାବେଶ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ପରିପ୍ରେକ୍ଷୀରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଥିଲା । ଭକ୍ତମାନଙ୍କ ଆଗମନକୁ ଦୃଷ୍ଟିରେ ରଖି ସହର ବାହାରେ ଓ ସହରର ବିଭିନ୍ନ ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଥିଲା ।