ସଂତ୍ରା ବନ୍ଧ ରାସ୍ତା କଡ଼ରେ ଟ୍ରିପ୍ ଟ୍ରିପ୍ ପାଉଁଶ ଗଦା 

 ଛେଣ୍ଡିପଦା : ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ସନ୍ତରାବନ୍ଧ ଗ୍ରାମକୁ ଯାତାୟାତ କରିବା ପାଇଁ ହୋଇଥିବା କଚା ରାସ୍ତା କଡରେ ଶହ ଶହ ଟ୍ରିପ୍ ପାଉଁଶ ଗଦା ଖୋଲା ପଡିଆରେ ପଡିଥିବା ବେଳେ, ଟିକେ ପବନ ବହିବା ଯୋଗୁଁ ରାସ୍ତା ଉପରେ ଜନ ସାଧାରଣଙ୍କ ଯାତାୟାତ କରିବାରେ ଅସୁବିଧା ହେଉଛି । 
ପାଉଁଶ ଉଡି ପରିବେଶ ନଷ୍ଟ ହେଉଥିବା ବେଳେ ଅଖି, କାନ, ପାଟି ଭିତରେ ପାଉଁଶ ପସି ଯାଉଥିବା ବେଳେ, ନାନା ପ୍ରକାର ରୋଗ ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି । ତେବେ ଏ ବିଷୟରେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଅଧିକାରୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛି ଲାଭ ହେଉନାହିଁ ବରଂ ପାଉଁଶ ଅଧିକରୁ ଅଧିକ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ସମୟରେ ପକାଇଥିବା ବେଳେ, ବିରୋଧ କଲେ ପୋଲିସରେ ଅଭିଯୋଗ କରି ତୁମମାନଙ୍କ ବିରୋଧରେ ମାମଲା ରୁଜୁ କରି ଜେଲ୍ ପଠାଇ ଦେବାକୁ ପାଉଁଶ ପରିବହନ ପାଇଁ ନେଇଥିବା ଠିକାଦାର ଓ ଜେଆଇଟିପିଏଲ୍ କଣିହାଁ କର୍ତ୍ତୃପକ୍ଷ ଧମକ୍ ଚମକ୍ ଦେଉଥିବା ଅଭିଯୋଗ ହୋଇଛି । ତେବେ ରିପୋର୍ଟ ନେବାରେ ଜଣା ଯାଇଛି ଯେ, ଜେଆଇଟିପିଏଲ୍ କଣିହାଁରୁ ବିଭିନ୍ନ ସ୍ଥାନରେ ପାଉଁଶ ପକାଇବା ନିମନ୍ତେ ବିଭିନ୍ନ ଠିକାଦାର ଟେଣ୍ଡର ନେଇଥିବା ବେଳେ, ଯିଏ ମାସକୁ ଯେତେ ଅଧିକା ପାଉଁଶ ଉଠାଇବ ସେହି ଠିକା ସଂସ୍ଥାକୁ ସେତେ ଟଙ୍କା ଅଧିକ ଗିଫ୍ଟ ରୂପେ ମିଳିବ ବୋଳି ଜେଆଇଟିପିଏଲ୍ କଣିହାଁ କର୍ତ୍ତୃପକ୍ଷ ଠିକା ସଂସ୍ଥାଙ୍କୁ କହିଛନ୍ତି ଆଉ ଅଧିକ ରାସ୍ତାକୁ ଟନ୍ ପିଛା ଅଧିକ ଦାମ୍ ଥିବା ବେଳେ, କମ୍ ରାସ୍ତା ପାଇଁ କମ୍ ଟଙ୍କା ବୋଲି କୁହାଯାଉଛି । ହେଲେ କିଛି ଅସାଧୁ ଜେଆଇଟିପିଏଲ୍ କଣିହାଁର କର୍ମଚାରୀ ଠିକା ସଂସ୍ଥାଙ୍କ ସହିତ ମିଶି ବେଆଇନ ଭାବେ ଏହି ରାସ୍ତାକଡରେ ଅଧିକା ରାସ୍ତା ପାଇଁ ଠିକା ନେଇ ଅଳ୍ପ ଦୂରତାରେ ପକାଇଥିବା ଜୈନେକ ଠିକାଦାର ନିଜର ନାମକୁ ପ୍ରକାଶ ନ କରିବା ସର୍ତ୍ତରେ କହିଥିବା ବେଳେ, ଏହା ଉପରେ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି । ତେବେ ବେଆଇନ ଭାବେ ଏହି ରାସ୍ତାକଡରେ ପଡିଥିବା ଶହ ଶହ ଟ୍ରିପ ପାଉଁଶରୁ କିଭଳି ସର୍ବସାଧାରଣ ଲୋକ ମୁକ୍ତି ପାଇ ପାରିବେ ତା ଉପରେ ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ରେ ଦାବି ହେଉଛି । ଏ ବିଷୟରେ ତହସିଲଦାର ମତାମତ ନିମନ୍ତେ ଚେଷ୍ଟା କରାଯାଇଥିଲେ ମଧ୍ୟ ମତାମତ ମିଳିପାରିନାହିଁ ।