ପାନ୍ଥଶାଳା ପାଲଟିଛି ମିଶନଶକ୍ତି କାଫେ
ଯାଜପୁର ସଦର : ପାନ୍ଥଶାଳା ବା ଧର୍ମଶାଳା ପାଲଟିଗଲା ମିଶନଶକ୍ତି କାଫେ । ଯାହା ସରକାରୀ ଅର୍ଥରେ ନିର୍ମିତ ହୋଇ ପରିବର୍ତ୍ତନ ଘଟିବା ପରେ ଦିଆଯାଇଛି ଲିଜ୍ ସୂତ୍ରରେ । ଯେଉଁଠି ରାତିଟିଏ ରହିବାକୁ ପର୍ଯ୍ୟଟକଙ୍କ ଠାରୁ ନିଆଯାଇଛି ହଜାରେରୁ ୧୨ଶହ ଟଙ୍କା । ତାହା ପୁଣି ବିନା ଏସିରେ । ଜିଲ୍ଲା ହେଉ କି ରାଜ୍ୟ ବା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକ ମିଶନ କାଫେରେ ରହିବା ବଦଳରେ ବେସରକାରୀ ହୋଟେଲରେ ରହିବାକୁ ବାଧ୍ୟ ହେଉଛନ୍ତି । ସରକାର କୋଟି କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ମିଶନ କାଫେ ପର୍ଯ୍ୟଟକଙ୍କୁ ପସନ୍ଦ ହେଉନଥିବା ବେଳେ ମା’ ବିରଜାଙ୍କ ଦର୍ଶନାର୍ଥେ ଆସୁଥିବା ଶ୍ରଦ୍ଧାଳୁ ବା ପର୍ଯ୍ୟଟକଙ୍କୁ ବିରଜାକ୍ଷେତ୍ରରେ ରାତ୍ରୀ ଯାପନ ପାଇଁ ହେବାକୁ ପଡ଼ୁଛି ହନ୍ତସନ୍ତ । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର ଦର୍ଶନ କରିବା ପାଇଁ ବାହାର ରାଜ୍ୟରୁ ଦୈନନ୍ଦିନ ଶହଶହ ଯାତ୍ରୀ ଆସିଥାନ୍ତି । ଯେଉଁମାନଙ୍କ ମଧ୍ୟରୁ ଅନେକ ରାତ୍ରୀ ଯାପନ କରିଥାନ୍ତି । ହେଲେ ପର୍ଯ୍ୟଟକରାତ୍ରୀ ଯାପନ କରିବା ପାଇଁ ବହୁ ସମସ୍ୟାର ସମ୍ମୁଖିନ ହୋଇଥାନ୍ତି । ମୁଖ୍ୟ କାରଣ ହେଲା ଏ ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ସେଭଳି କୌଣସି ସୁ ବ୍ୟବସ୍ଥା ନାହିଁ । ବହୁ ପୂର୍ବରୁ ବିରଜା ମନ୍ଦିରକୁ ଆସୁଥିବା ଭକ୍ତମାନଙ୍କ ପାଇଁ ମନ୍ଦିର ପାର୍ଶ୍ୱରେ ରାତ୍ରୀ ଯାପନ ନିମନ୍ତେ ଏକ ଧର୍ମଶାଳା ବା ପାନ୍ଥନିବାସ ଥିଲା । ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀ ଖୁବ୍ କମ ଖର୍ଚ୍ଚରେ ଏଠାରେ ରହିବାର ବ୍ୟବସ୍ଥା ଥିଲା । କିନ୍ତୁ ପୂର୍ବ ସରକାରଙ୍କ ଅମଳରେ ବିରଜା ମନ୍ଦିର ରାସ୍ତା ପ୍ରଶସ୍ତିକରଣ ପାଇଁ ବହୁ ଘର ଭାଙ୍ଗିଯିବା ସହ ପାନ୍ଥନିବାସଟିକୁ ଭାଙ୍ଗି ଦିଆଗଲା । ବିଡ଼ମ୍ବନାର ବିଷୟ, ପୂର୍ବରୁ ଯେଉଁ ସ୍ଥାନରେ ପାନ୍ଥଶାଳାଟି ଥିଲା, ସେ ସ୍ଥାନରେଏକ ବିଶାଳ ଅଟ୍ଟାଳିକା ତିଆରି ହେଲା ସତ ତାହା କିନ୍ତୁ ପାନ୍ଥନିବାସ ପରିବର୍ତ୍ତେ ମିଶନଶକ୍ତିକୁ ରୂପାନ୍ତରିତ କରାଗଲା । ଯାହା ଫଳରେ ମା’ବିରଜାଙ୍କ ମନ୍ଦିର ଦର୍ଶନ ପାଇଁ ଆସୁଥିବା ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଯାଏ । ରାଜ୍ୟ ସରକାରଙ୍କ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚରେ ତିଆରି ହେଇଥିବା ପାନ୍ଥଶାଳାକୁ ଲିଜ୍ ଆକାର ଦିଆଯାଇଥିବାରୁ ଅତ୍ୟଧିକ ଟଙ୍କା ପାଇଁ ଯାତ୍ରୀମାନେ ରାତ୍ରୀ ଯାପନ କରିବା ପାଇଁ ଇଛୁକ ନଥିବା ଜଣାପଡ଼ିଛି । ଆଖପାଖରେ ଏସି ରୁମ କମ୍ ଟଙ୍କାରେ ମିଳୁଥିବାରୁ ସରକାର ରାଜସ୍ୱ ବହୁ ମାତ୍ରାରେ ହରାଉଛି । ଶକ୍ତି କେଫ୍ ନାଁରେ ରୋଜଗାର ହେଉଥିବା ଅର୍ଥ ବହୁ ବାଟମାରଣା ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । କିଛି ଅସାଧୁ ବ୍ୟକ୍ତି ବିଶେଷ ସରକାରୀ ଅର୍ଥରେ ଗଢା ଯାଇଥିବା ବହୁ ତଳ ବିଶିଷ୍ଟ କୋଠାଘରର ଚାବି କାଠି ନିଜ ପାଖରେ ରଖିଥିବା ଅଭିଯୋଗ ହେଉଛି । ମିଶନ ଶକ୍ତି କେଫ୍ର ଅବସ୍ଥା ଅତି ଶୋଚନୀୟ । ବହୁ ମାତ୍ରାରେ ଅର୍ଥ ହେରଫେର ହେଉଥିବାର ଅଭିଯୋଗ ଆସୁଥିବାରୁ ଜିଲ୍ଲା ପ୍ରଶାସନ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।