ଦେଢ଼ ଲକ୍ଷ କୋଟିର ପ୍ରକଳ୍ପକୁ ମଞ୍ଜୁରୀ


ଦ୍ୱିତୀୟ ବର୍ଷ ଆରମ୍ଭରୁ ଶିଳ୍ପ କ୍ଷେତ୍ର ଉପରେ ଫୋକସ କରିଛନ୍ତି ମୋହନ ସରକାର  । ଆଜି ଦେଢ଼ ଲକ୍ଷ କୋଟିର ୮ ପ୍ରକଳ୍ପକୁ ଏଚଏଲସିଏ ଅନୁମୋଦନ କରିଛନ୍ତି  । ବିଶେଷକରି ବେଦାନ୍ତ ଆଲୁମିନିୟମ୍ ପ୍ରକଳ୍ପରେ ୧.୨୮ ଲକ୍ଷ କୋଟିର ନିବେଶ କରିବ  । ଏହି ୮ ପ୍ରକଳ୍ପରେ ୬୦ ହଜାର ନିଯୁକ୍ତି ସମ୍ଭାବନା ସୃଷ୍ଟିହେବ  । ନୂଆ ସରକାର ଆସିବା ପରଠାରୁ ଏଚଏଲସିଏ ୫.୬୭ ଲକ୍ଷ କୋଟିର ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଥିବାବେଳେ ୨.୪୨ ଲକ୍ଷ ନିଯୁକ୍ତି ସମ୍ଭାବନା ସୃଷ୍ଟିହୋଇଛି  । 
ଏହିସବୁ ପ୍ରକଳ୍ପଗୁଡ଼ିକ ଢେଙ୍କାନାଳ, ଗଞ୍ଜାମ, ଯାଜପୁର, କେନ୍ଦୁଝର, ଖୋର୍ଦ୍ଧା, ସମ୍ବଲପୁରରେ ହେବ  । ବିଶେଷକରି ଆଲୁମିନିୟମ୍, କେମିକାଲ, ଇସ୍ପାତ, ବୟନ ଶିଳ୍ପ ଓ ଧାତବ ଶିଳ୍ପ ଉପରେ ଗୁରୁତ୍ୱାରୋପ କରାଯାଇଛି  । ଢେଙ୍କାନାଳରେ ବେଦାନ୍ତ ଆଲୁମିନିୟମ୍ ଶିଳ୍ପ ପ୍ରତିଷ୍ଠା କରିବ  । ଏଥିପାଇଁ ୧ ଲକ୍ଷ ୨୮ ହଜାର କୋଟିର ନିବେଶ କରିବ  । ଯାହାଦ୍ୱାରା ୩୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟିହେବ  । ସେହିପରି ଗଞ୍ଜାମରେ ଏସଆରଏଫ ଲିମିଟେଡ଼୍ ପକ୍ଷରୁ ୧୦ ହଜାର କୋଟିରେ କେମିକାଲ କାରଖାନା କରିବ  । ସେଥିରେ ୨୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ  । ଅପରପକ୍ଷରେ ଢେଙ୍କାନାଳରେ ଜିନ୍ଦଲ ଇଣ୍ଡିଆ ଷ୍ଟିଲ୍ ଟେକ ଲିମିଟେଡ଼ ପକ୍ଷରୁ ୩୬ ଶହ କୋଟି ବ୍ୟୟରେ ଏକ ଇସ୍ପାତ ଡାଉନଷ୍ଟି୍ରମ୍ ଶିଳ୍ପ ପ୍ରତିଷ୍ଠା କରିବ  । ଖୋର୍ଦ୍ଧାରେ ସ୍ପୋର୍ଟକିଙ୍ଗ ଇଣ୍ଡିଆ ପକ୍ଷରୁ ବୟନ ଶିଳ୍ପ ପ୍ରତିଷ୍ଠା ହେବ  । ସେଥିରେ ୨୦୫୫ କୋଟି ନିବେଶ ହେବାର ଥିବାବେଳେ ୪୮ ଶହ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ  । ଅପରପକ୍ଷରେ କେନ୍ଦୁଝରରେ ଶ୍ୟାମ ଷ୍ଟିଲ ପକ୍ଷରୁ ଏକ ଇସ୍ପାତ, ଓ ଫେରୋ ଆଏଲଜ କାରଖାନା କରାଯିବ  । ୨୪୯୦ କୋଟି ନିବେଶରେ ହେବାକୁ ଥିବା ଏହି ଶିଳ୍ପ ଦ୍ୱାରା ୨୩୭୦ ନିଯୁକ୍ତି ସୃଷ୍ଟିହେବ  । ସମ୍ବଲପୁରରେ ଷ୍ଟାର ମେଟାଲ୍ ୱାର୍କସ ପକ୍ଷରୁ ୨୨୯୧ କୋଟିର ନିବେଶରେ ଏକ ଡାଉନଷ୍ଟି୍ରମ ଶିଳ୍ପ ପ୍ରତିଷ୍ଠା ହେବ  । ଫଳରେ ୨୫୦ ଜଣ ନିଯୁକ୍ତି ପାଇପାରିବେ  । କେନ୍ଦୁଝରରେ ସୁପ୍ରିମ ମେଟାଲ ଏକ୍ସପୋର୍ଟ ପକ୍ଷରୁ ଏକ ଡାଉନଷ୍ଟି୍ରମ ଶିଳ୍ପ ପାଇଁ ୧୫ ଶହ କୋଟି ନିବେଶ କରାଯିବାର ଥିବାବେଳେ ୬୮୦ ନିଯୁକ୍ତି ସୃଷ୍ଟି ହୋଇପାରିବ  । ଅପରପକ୍ଷରେ ଯାଜପୁରରେ ଲିଣ୍ଡେ ଇଣ୍ଡିଆ ପକ୍ଷରୁ ୧୩୦୩ କୋଟି ଟଙ୍କା ନିବେଶରେ ଏକ ଡାଉନଷ୍ଟି୍ରମ୍ ଶିଳ୍ପ ପ୍ରତିଷ୍ଠା ହେବ  ।