ଗୋଚର ଜମିରେ ବେଆଇନ ଭାବେ ଘର ନିର୍ମାଣ

 ଭୁବନେଶ୍ୱର:  ଭଦ୍ରକ ଜିଲ୍ଲାର ଧାମନଗର ତହସିଲ ଅଧିନ ସୋଧ ରାଜସ୍ୱ ମଣ୍ଡଳର ଆନନ୍ଦପୁର ମୌଜାରେ ରକ୍ଷିତ, ଅନାବାଦି ଓ ଗୋଚର ଜମିରେ ବେଆଇନ ଭାବେ ଘର ନିର୍ମାଣ ବଢ଼ିବାରେ ଲାଗିଛି । ଆନନ୍ଦପୁର ମୌଜାର ଖାତା ନମ୍ବର ୫୯୯ରେ ଥିବା ପ୍ଲଟ ନମ୍ବର ୧୧୪ରେ ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅଂଚଳର ଜଣେ ବ୍ୟକ୍ତି ଆସି ଏଠାରେ ଘର କରି ରହିଛନ୍ତି । ସଂପୃକ୍ତ ବ୍ୟକ୍ତିଙ୍କ ଶ୍ୱଶୁର ଘର ଜମିକୁ ଲାଗିଥିବା ଗାଁ ଚଂପାବାଗରେ । ଏଣୁ ସ୍ଥାନୀୟ ଲୋକଙ୍କ ପ୍ରରୋଚନାରେ ସେ ଏଠାରେ ଘର କରି ରହୁଛନ୍ତି । କରୋନା କାଳରେ ୨୦୨୦ରେ ସେ ଏଠାରେ ପ୍ରାୟ ଦୁଇ ଡିସିମିଲ ଜାଗାରେ ଘର କରିଥିଲେ । ହେଲେ ପରବର୍ତ୍ତୀ ମୁହୂର୍ତରେ ପ୍ରାୟ ୪ ଗୁଣ୍ଠ ଜମି ଘେରାଉ କରି ଦଖଲକୁ ନେଇ ସାରିଲେଣି । ଏବେ ସେହି ଜମିକୁ ପକ୍କା କାନ୍ଥ କରି ପାଚେରୀ ବୁଲାଉଥିବା ଦେଖିବାକୁ ମିଳିଛି । କେବଳ ଏହି ପ୍ଲଟ ନମ୍ବର ୧୧୪ ର ଜମି ନୁହଁ, ତାକୁ ଲାଗିକି ଥିବା ୧୧୫ ନମ୍ବର ପ୍ଲଟ (କିସମ- ଗୋଚର) ଜମିରେ ଘର ତିଆରି ହେଉଛି । ୨୦୦୮ ମସିହାରୁ ଏଠାରେ ଗୋଟିଏ ପରେ ଗୋଟିଏ ଘର ହେବାରେ ଲାଗିଛି । ପ୍ରଥମେ ପ୍ଲଟ ନମ୍ବର ୧୧୦ରେ ସ୍ୱର୍ଗତ ବଂଶୀଧର ସାହୁଙ୍କ ପୁଅ ଘରଟିଏ କରିଥିଲେ । ୧୯୯୯ ମସିହାରେ ତାଙ୍କ ପୈତୃକ ବାସଭବନ ମହାବାତ୍ୟା ପରବର୍ତ୍ତୀ ବନ୍ୟାରେ ଭାଙ୍ଗି ଯିବାରୁ ଓ ଘାଇ ମୁହଁରେ ଜମି ଢିଅ ଚାଲି ଯିବାରୁ ସେ ଆସି ଏହି ଗୋଚର ଜମି ପ୍ଲଟ ନମ୍ବର ୧୧୦ ରେ ଘର କରିଥିଲେ । ତା ପରେ ସୁଧାକର କର ନାମକ ଜଣେ ପୂଜକ ଆସି ରହିଥିଲେ । ବିଗତ କିଛିବର୍ଷ ହେଲା ଏହି ଘରକୁ ବିଜୁ କଲୋନି ବୋଲି କୁହାଯାଉଛି । ଏଠାରେ ଗଞ୍ଜେଇ ଓ ମଦ ବେପାର ମଧ୍ୟ ଚାଲିଚି । ଆଉ ଜଣେ ଲୋକର ଉପଯୁକ୍ତ ପରିମାଣର ବାସ ଉପଯୋଗୀ ଘର ଡିହ ଥିବା ସତ୍ତ୍ୱେ ସେ ଏଠାରେ ଘର କରି ରହୁଛି । ଏପରିକି ୨୦୧୬ ମସିହାରେ ଗେଙ୍ଗୁଟି ନଦୀବନ୍ଧ ସୁଦୃଢ଼ୀକରଣ କାମକୁ ଏହି ଲୋକମାନେ ବିରୋଧ କରିଥିଲେ । ଘର ଚାଲିଯିବା ଭୟରେ ବନ୍ଧକୁ ନଦୀପଟକୁ ଚଉଡ଼ା କରାଇଥିଲେ । ବିଭିନ୍ନ ସମୟରେ ଏନେଇ ସ୍ଥାନୀୟ ତହସିଲଦାରଙ୍କୁ ଗାଁ ଲୋକଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି । ୨୦୨୧ ମସିହାରେ ସ୍ଥାନୀୟ ବ୍ୟକ୍ତି ତତ୍କାଳୀନ ତହସିଲଦାରଙ୍କୁ ମେଲ ମାଧ୍ୟମରେ ଜଣାଇଥିଲେ । ପୂର୍ବତନ ଜିଲ୍ଲାପାଳ ତ୍ରିଲୋଚନ ମାଝିଙ୍କୁ ମଧ୍ୟ ଭେଟି ଗାଁ ଲୋକେ ଦରଖାସ୍ତ ପ୍ରଦାନ କରିଥିଲେ । ହେଲେ ଆଜି ପର୍ଯ୍ୟନ୍ତ ଏହି ବସ୍ତି ଉଚ୍ଛେଦ ପାଇଁ କୌଣସି ପଦକ୍ଷେପ ନିଆଗଲା ନାହିଁ । ଯାହା ଫଳରେ ଲୋକଙ୍କର ସାହସ ବଢୁଛି । ଜଣକ ପରେ ଜଣେ ଆସି ଏଠାରେ ଘର କରି ରହୁଛନ୍ତି । ପ୍ରଥମେ ଚାଳିଆ ଘର କରୁଛନ୍ତି । ଆଉ ପର୍ଯ୍ୟାୟକ୍ରମେ କୋଠାଘର ତା ପରେ ପକ୍କା ପାଚେରୀ କରୁଛନ୍ତି । ଏ ନେଇ ଧାମନଗର ତହସିଲଦାର ଦୀପକ ଦାସଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ ଖୁବଶୀଘ୍ର ଏହି ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ପଦକ୍ଷେପ ନିଆଯିବ ।