ସଚିବମାନଙ୍କୁ ନିର୍ଦ୍ଦେଶ :ଦୁଇ ମାସରେ ଦୁଇ ଦିନ ନିଶ୍ଚିତ ଜିଲ୍ଲା ଗସ୍ତରେ ଯିବେ
ଭୁବନେଶ୍ୱର : ଆଇଏଏସ୍ ବାବୁମାନେ ଦୁଇ ମାସରେ ଦୁଇ ଦିନ ନିଶ୍ଚିତ ଜିଲ୍ଲା ଗସ୍ତରେ ଯିବେ । ପଞ୍ଚାୟତକୁ ଯାଇ ସରକାରୀ ଯୋଜନା ଓ କାର୍ୟ୍ୟକ୍ରମର ଅନୁଧ୍ୟାନ କରିବେ । ସ୍କୁଲରେ ମଧ୍ୟାହ୍ନଭୋଜନ ହେଉ ଅବା ଆହାର କେନ୍ଦ୍ରରେ ନିଶ୍ଚୟ ଖାଇବେ । ଖାଦ୍ୟର ମାନ ପରଖିବେ । ରାତି କାଟିବେ । ସ୍ୱାସ୍ଥ୍ୟ କେନ୍ଦ୍ର ଓ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି ହିତାଧିକାରୀଙ୍କ ସହ ଖୋଲା ଆଲୋଚନା କରିବେ । ଭଲମନ୍ଦ ପଚାରି ବୁଝିବେ । ସରକାରଙ୍କ ପକ୍ଷରୁ ସଚିବମାନଙ୍କୁ ଏମିତି ଜାରି ହୋଇଛି ନିର୍ଦ୍ଦେଶ ।
ନୂଆ ସରକାର ଆସିବା ପରେ ଶାସନ ବ୍ୟବସ୍ଥାକୁ ଲୋକାଭିମୁଖୀ କରିବାକୁ ବିଭାଗୀୟ ସଚିବମାନେ ଜିଲ୍ଲା ଗସ୍ତରେ ଯିବାକୁ ନିଷ୍ପତ୍ତି ହେଲା । ଏପରିକି ମନ୍ତ୍ରୀମାନଙ୍କୁ ମଧ୍ୟ ଦୁଇଟି ଲେଖାଏଁ ଜିଲ୍ଲାର ଦାୟିତ୍ୱ ଦିଆଗଲା । ମାତ୍ର ସରକାରୀ ନିର୍ଦ୍ଦେଶ କାଟୁ କଲାନି । ଅଧିକାଂଶ ଜିଲ୍ଲାକୁ ବାବୁମାନେ ଆଦୌ ଯାଇନାହାନ୍ତି । ଏହା ଗଣମାଧ୍ୟମରେ ଚର୍ଚ୍ଚା ପରେ ଏବେ ଉନ୍ନୟନ କମିଶନର ପୁଣି ଜାରି କରିଛନ୍ତି ନିର୍ଦ୍ଦେଶନାମା । ବିଭାଗୀୟ ବାବୁମାନେ ପଞ୍ଚାୟତକୁ ଯିବେ । ଯୋଜନାର ତଦାରଖ କରିବେ । ଅପହଞ୍ଚ ଓ ଆଦିବାସୀ ଅଞ୍ଚଳକୁ ଯାଇ ବିକାଶ କାମ କେଉଁଠି ପହଞ୍ଚିଛି, ତାକୁ ଦେଖିବେ । ସରକାରୀ ଯୋଜନାରେ ଲୋକେ ମୌଳିକ ସୁବିଧା ପାଉଛନ୍ତି ନା’ ବଞ୍ଚିତ ଅଛନ୍ତି, ପଚାରି ବୁଝିବେ । ଅନାଥାଶ୍ରମ କିମ୍ବା ଆହାର କେନ୍ଦ୍ରରେ ବାବୁ ମଧ୍ୟାହ୍ନଭୋଜନ ଖାଇବେ । ଯାଞ୍ଚ କରିବେ ଖାଦ୍ୟର ଗୁଣବତ୍ତା । ପରିଷ୍କାର, ପରିଚ୍ଛନ୍ନତା ଓ ସୁରକ୍ଷା ଦିଗକୁ ପରଖିବେ । କାର୍ୟ୍ୟକାରୀ ହେଉଥିବା ଯୋଜନାର ଟିକିନିଖି ସମୀକ୍ଷା ହେବ । ଅଭିଯୋଗ ଶୁଣାଣିରେ କେତେ ସମାଧାନ ହୋଇଛି ତାହାକୁ ମଧ୍ୟ ଯାଞ୍ଚ କରିବେ ସଚିବ ।