ସତୀ ଚଉରା ଶ୍ମଶାନର ହେବ ନବୀକରଣ : ମେୟର ଓ କମିଶନରଙ୍କ ପରିଦର୍ଶନ 

 କଟକ: ସତୀ ଚଉରା ଶ୍ମଶାନ ଓଡ଼ିଶାର ଗର୍ବ ଓ ଗୌରବର ପରିଚୟ ପ୍ରଦାନ କରିଥାଏ । ସ୍ୱାଧୀନତା ସଂଗ୍ରାମୀଙ୍କ ଠାରୁ ଆରମ୍ଭ କରି ଅନେକ ପ୍ରଖ୍ୟାତ ବ୍ୟକ୍ତିମାନଙ୍କର ଏଠାରେ ଶେଷକୃତ୍ୟ ସଂପନ୍ନ ହୋଇଛି । କରୋନା ମହାମାରୀ ସମୟରେ ହଜାର ହଜାର ଶବ ଏଠାରେ ଦାହ କରାଯାଇଥିଲା । ସଂପ୍ରତି ଏହି ଶ୍ମଶାନଟି ଅବହେଳିତ ଅବସ୍ଥାରେ ରହିଛି । ଶ୍ମଶାନରେ ଅଧାପନ୍ତରିଆ ହୋଇ ଇଲେକ୍ଟି୍ର ଚୁଲା ପଡ଼ି ରହିଛି । ଏହାଛଡ଼ା ଶବ ଦାହ ନିମନ୍ତେ ମୌଳିକ ସୁବିଧାର ମଧ୍ୟ ଏଠାରେ ଅଭାବ ରହିଛି । ପାନୀୟଜଳ ଓ ବିଶ୍ରାମଗାର ମଧ୍ୟ ଏଠାରେ ଉପଲବ୍ଧି ନାହିଁ  । ଏହି ଶ୍ମଶାନର ନବୀକରଣ ନିମନ୍ତେ ସଂପ୍ରତି ପ୍ରୟାସ ଆରମ୍ଭ ହୋଇଛି । ଆଜି ମେୟର ସୁବାସ ସିଂହ ଓ ସିଏମସି କମିଶନର କିରଣଦୀପ କୌର ସହୋତା ସତୀ ଚଉରା ଶ୍ମଶାନ ପରିଦର୍ଶନ କରି ଏହା ନବୀକରଣ ନିମନ୍ତେ ଯୋଜନା ପ୍ରସ୍ତୁତି କରିଥିଲେ  । ଖୁବ ଶିଘ୍ର ସତୀ ଚଉରା ଶ୍ମଶାନର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହେବ ବୋଲି ମେୟର ସୂଚନା ଦେଇଛନ୍ତି । ଏଠାରେ ୨ଟି ଇଲେକ୍ଟି୍ର ଚୁଲା, ନୂତନ ବିଶ୍ରାମସ୍ଥଳ ଓ ଶୌଚାଳୟ ନିର୍ମାଣ କରାଯିବ ବୋଲି ମେୟର କହିଛନ୍ତି । ଏଥିସହିତ ପିଇବା ପାଣି ଓ ଆଲୋକ ବ୍ୟବସ୍ଥା କରିବାକୁ ମଧ୍ୟ ଯୋଜନା ରହିଛି । ଏଥି ନିମନ୍ତେ ୪କୋଟି ଟଙ୍କାର ଡିପିଆର ରାଜ୍ୟ ସରକାରଙ୍କୁ ଦିଆଯାଇଥିବା ମେୟର ସୂଚନା ଦେଇଛନ୍ତି । ସତୀ ଚଉରା ଶ୍ମଶାନର ମୁଖଶାଳା ଓ ଶବଦାହ ପିଣ୍ଡିର ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ କରାଯିବ । ଏଥି ସହିତ ଏହାକୁ ସ୍ମାରକୀ ପୀଠ ଭାବେ ଉନ୍ନତି କରାଯିବା ଚେଷ୍ଟା କରାଯିବ ବୋଲି ମେୟର ଶ୍ରୀ ସିଂହ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କର୍ପୋରେଟର ରିତାଞ୍ଜଳୀ ବେହେରା, ଅଦେ୍ର୍ଧନ୍ଦୁ ଶେଖର ମାଝି, କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସୁବାସ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।