ମରାମତି ହୋଇନି ଚିତ୍ରୋତ୍ପଳା ଓ ମହାନଦୀର ଦୁର୍ବଳ ବନ୍ଧ
ନିଶ୍ଚିନ୍ତକୋଇଲି : ବର୍ଷା ଦିନ ଆସିବାକୁ ହେଲାଣି । ହେଲେ ଏପର୍ଯ୍ୟନ୍ତ ସରନି ଦୁର୍ବଳ ନଦୀ ବନ୍ଧର ମରାମତି କାର୍ଯ୍ୟ । ଯାହାକୁ ନେଇ ଚିତ୍ରୋତ୍ପଳା ମହାନଦୀ ଦ୍ୱୀପାଞ୍ଚଳର ଲୋକମାନେ ନିଜର ଜୀବନ ଓ ଧନସମ୍ପତ୍ତି ଉପରେ ବିପଦର ଆଶଙ୍କା କରି ଚିନ୍ତାରେ ପଡିଥିବା ଜଣାପଡିଛି ।
ପ୍ରକାଶ ଯେ, ଚିତ୍ରେତ୍ପଳା -ମହାନଦୀ ଦ୍ୱୀପାଂଚଳରେ ୧୦ ହଜାରରୁ ଊଦ୍ଧ୍ୱର୍ ପରିବାର ବସବାସ କରନ୍ତି । ବିଗତ ଦିନରେ ଚିତ୍ରୋତ୍ପଳା ନଦୀରେ କଳମିଶ୍ରି ଠାରେ ଘାଇ ହୋଇ ୫୦୦ରୁ ଊଦ୍ଧ୍ୱର୍ ପରିବାରଙ୍କ ଘରବାଡି ଉଛନ ହୋଇଥିବା ବେଳେ ବହୁ ଧନଜୀବନ ନଷ୍ଟ ହେବା ସହ ଜୀବଜନ୍ତୁ ମଧ୍ୟ ମରିଥିଲେ । ପରବର୍ତ୍ତୀ ସମୟରେ ଚିତ୍ରୋତ୍ପଳା ନଦୀର ପାଳଦା ଠାରେ ଘାଇ ହେବା ଦ୍ୱାରା ମଧ୍ୟ ବହୁ ପରିବାର କ୍ଷତିଗ୍ରସ୍ତ ହୋଇଥିଲେ । ଯାହାଫଳରେ ଚିତ୍ରୋତ୍ପଳା ନଦୀର ଗୁହାଳୀ ପାଖରୁ ହଳଦିଆଗଡା ପର୍ଯ୍ୟନ୍ତ ବନ୍ଧକୁ ସୁଦୃଢୀକରଣ କରିବା ପାଇଁ ଗତ ବିଜେଡି ସରକାରଙ୍କ ସମୟରେ୧୦୦କୋଟିରୁ ଊଦ୍ଧ୍ୱର୍ ଟଙ୍କା ବ୍ୟୟବରାଦ କରାଯାଇଥିଲା । ପ୍ରତି ୧୨କିମିରେ ଗୋଟିଏ ଲେଖାଏଁ ସେତୁ ନିର୍ମାଣ କରାଯାଇ ପ୍ରମୁଖ ଠିକାଦାରଙ୍କୁ କାର୍ଯ୍ୟଭାର ଦିଆଯାଇଛି । ଦାୟିତ୍ୱରେ ଥିବା ଠିକାଦାର ପୂର୍ବରୁ ଥିବା ବନ୍ଧକୁ ଆହୁରି ଦୁଇ ଫୁଟ ମାଟି ପକାଇ ଉଚ୍ଚ କରିବା ସହିତ ବନ୍ଧର ଉପରି ଭାଗକୁ ୩୦ଫୁଟ ଓସାର ରାସ୍ତା କରିବା ପାଇଁ ବିଧିବଦ୍ଧ ଭାବରେ ଚୁକ୍ତିବଦ୍ଧ ହୋଇଥିଲେ ମଧ୍ୟ ଠିକାଦାର ବନ୍ଧର କଡକୁ ମାଟି ପକାଇବା ଆଳରେ ଖୋଳି ଅଦ୍ୟାବଧି ମାଟିକାମ ସାରିନାହାଁନ୍ତି । କେତେକ ସ୍ଥାନରେ ମାଟି ଓ ମୋରମ ମେଣ୍ଟାଲ ପକାଇ ପିଚୁ କରିଥିଲେ ହେଁ ବହୁ ଜାଗା ଅଧା ଖୋଳା ହୋଇ ପଡିରହିଛି । ଫଳରେ ପାଳଦା ଠାରେ କଳମିଶ୍ରି, ବଳରାମପୁର, ଗୁହାଳି, ବାବୁଜଙ୍ଗ, ମହମ୍ମଦ, ମଣିଜଙ୍ଗ ଆଦି ସ୍ଥାନରେ ଦୁର୍ବଳ ବନ୍ଧର କାମ ନ ହୋଇ ଅଧା ହୋଇ ପଡିରହିଛି । ଏହି ସବୁ ସ୍ଥାନ ବର୍ଷା ଦିନ ପୂର୍ବରୁ କାମ ନ ହେଲେ ଯଦି ବନ୍ୟା ଆସେ, ତେବେ ଦ୍ୱୀପାଞ୍ଚଳବାସୀ ବିପଦ ମୁହଁକୁ ଚାଲିଯିବେ ଏଥିରେ ସନେ୍ଦହ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ସନେ୍ଦହ ପ୍ରକାଶ ପାଇଛି । ଠିକ୍ ସେହିପରି ମହାନଦୀର ବାବୁଜଙ୍ଗର ପିଁପୁରଠାରେ ବନ୍ଧ ଅତ୍ୟନ୍ତ ଦୁର୍ବଳ ଥିବାବେଳେ ତେଣ୍ଡାକୁଣ୍ଡା କାଳୀକାପୁର, ହରିପୁର, ସୁଦୁଖଣ୍ଡ, ମାହାଳହାଟ, ଖ୍ରୀଷ୍ଟାନନ୍ଦପୁର, ଓଡଖଣ୍ଡ ଆଦି ଅଞ୍ଚଳ ବିପଦପୂର୍ଣ୍ଣ ଅବସ୍ଥାରେ ରହିଥାଏ । ଏସବୁ ଅଞ୍ଚଳ ପ୍ରତି କଟକ ଜିଲ୍ଲାପାଳ ଦୃଷ୍ଟି ଦେଇ ଦୁର୍ବଳ ନଦୀବନ୍ଧ ସ୍ଥାନକୁ ମରାମତି ଦିଗ ପ୍ରତି ଦୃଷ୍ଟି ଦେଲେ ନଦୀକୂଳବାସୀ ବନ୍ୟା ଦାଉରୁ ରକ୍ଷା ପାଇବେ ବୋଲି ମତ ପ୍ରକାଶ ପାଇଛି ।