ଶିଶୁ କୁକର୍ମ ଓ ହତ୍ୟାକାରୀ ମାମୁଁକୁ ଆଜୀବନ
ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲା ସ୍ୱତନ୍ତ୍ର ପୋକ୍ସୋ ଅଦାଲତ ଜନୈକ ନାବାଳିକାଙ୍କୁ ଦୁଷ୍କର୍ମ ଏବଂ ହତ୍ୟା କରିବା ଭଳି ସଙ୍ଗୀନ ମାମଲାର ରାୟ ପ୍ରକାଶ କରିଛନ୍ତି । ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ସମ୍ପର୍କୀୟ ମାମୁଁ କାଳିଆ ନାହାକକୁ ଆଜୀବନ ସଶ୍ରମ କାରାଦଣ୍ଡାଦେଶ ( ସ୍ୱାଭାବିକ ଜୀବନ ବଞ୍ଚିଥିବା ପର୍ଯ୍ୟନ୍ତ) ସହ ୨୫ ହଜାର ଟଙ୍କା ଜୋରିମାନା କରିଛନ୍ତି । ମାମଲାରୁ ପ୍ରକାଶ ଯେ, ଗତ ଏପ୍ରିଲ ୨୫ ତାରିଖ ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଧୀନ ଖଲିଙ୍ଗି ଗାଁରେ ଜଣେ ୪ ବର୍ଷର ନାବାଳିକାଙ୍କୁ ଅପହରଣ, ଦୁଷ୍କର୍ମ ଏବଂ ହତ୍ୟା କରାଯାଇଥିବା ସଂକ୍ରାନ୍ତରେ ସଙ୍ଗୀନ ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇବା ପରେ ପୁଲିସ ତୁରନ୍ତ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ନାବାଳିକାଙ୍କ ସମ୍ପର୍କୀୟ ମାମୁଁ କାଳିଆ ନାହାକ ଏହି ଘଟଣାରେ ସମ୍ପୃକ୍ତ ଥିବା ପୁଲିସ ପ୍ରମାଣ ପାଇ ଗିରଫ କରିଥିଲା । ଅଭିଯୁକ୍ତ କାଳିଆ ନିଜ ଭାଣିଜୀକୁ ଅପହରଣ କରିବା ପରେ ବଳାକôାର କରି ହତ୍ୟା କରିଥିଲା । ପରେ ମୃତ ଶରୀରକୁ ଗାଁର ଏକ ନିର୍ମାଣାଧୀନ କୋଠାରେ ଫିଙ୍ଗି ଦେଇଥିଲା । ପୁଲିସ ପକ୍ଷରୁ ୫୦ ଦିନ ମଧ୍ୟରେ ମାମଲାର ଚାର୍ଜସିଟ୍ ଦାଖଲ କରାଯାଇଥିବା ବେଳେ ସଠିକ ସମୟ ମଧ୍ୟରେ ୨୦ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା । ଫଳରେ ଘଟଣାର ୧୨୧ ଦିନରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବାକୁ ପୁଲିସ ପକ୍ଷରୁ ଡିଏନଏ ବିଶ୍ଳେଷଣ ଏବଂ ଫୋରେନସିକ୍ ପ୍ରମାଣ ଭଳି ଅତ୍ୟାଧୁନିକ ବୈଜ୍ଞାନିକ କୌଶଳର ବ୍ୟବହାର କରାଯାଇଥିଲା । ଆଜି, କୋର୍ଟ ଏହି ରାୟ ପ୍ରକାଶ କରି, ଭାରତୀୟ ନ୍ୟାୟ ସଂହିତା (ବିଏନଏସ) ତଥା ପୋକ୍ସୋ ଆଇନ ଅନୁଯାୟୀ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡ ଏବଂ ୧୦,୦୦୦ ଟଙ୍କା ଜରିମାନା ଦଣ୍ଡିତ କରିଛନ୍ତି । ଏହା ସହ ପୀଡିତା ନାବାଳିକାଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ କୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ଓଡ଼ିଶା ପୁଲିସର ତଦନ୍ତ ଶୈଳୀ, ବୃତ୍ତିଗତ ଦକ୍ଷତା, ପୀଡିତା ଏବଂ ସାକ୍ଷୀ ମାନଙ୍କ ବୟାନ ଯୋଗୁଁ ଏହି ମାମଲାରେ ପୁଲିସକୁ ଉଲ୍ଲେଖନୀୟ ସଫଳତା ମିଳିଛି । ଗଞ୍ଜାମ ଏସପି ଶୁଭେନ୍ଦୁ ପାତ୍ରଙ୍କ ତତ୍ତ୍ୱାବଧାନରେ ଇନ୍ସପେକ୍ଟର ଦୀପ୍ତି ରଞ୍ଜନ ବେହେରା ଏହି ମାମଲାର ତଦନ୍ତ କରିଥିଲେ ।