ସନ୍ତୋଷ ବ୍ଲକ ଆତ୍ମା ଅଧ୍ୟକ୍ଷ
ବୁଗୁଡ଼ା : ସ୍ଥାନୀୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ପରିସରରେ ବ୍ଲକ କୃଷି ଅଧିକାରୀ ଦିବ୍ୟ ରଞ୍ଜନ ମାଝିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇ ଏଗ୍ରିକଲଚରାଲ ଟେକ୍ନୋଲୋଜି ମ୍ୟାନେଜମେଣ୍ଟ ଏଜେନ୍ସି (ଆତ୍ମା)ର ଅଧ୍ୟକ୍ଷ ନିର୍ବାଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସୁଧାଂଶୁ ରାଉତ, ଦେବାଶିଷ ଦୋରା , ସଂସ୍କୃତି ପାଦ୍ରା , ହରପ୍ରିୟା ବେହେରା , ଶ୍ରେୟାଶ୍ରୀ ପଟ୍ଟନାୟକ, ପ୍ରଶାନ୍ତ କୁମାର ସାହୁ ପ୍ରମୁଖ କୃଷି ଅଧିକାରୀଙ୍କ ସମେତ ଆତ୍ମାର ୨୦ ଜଣ ସଦସ୍ୟ ଉପସ୍ଥିତ ରହିଥିଲା ବେଳେ ଆତ୍ମାର ନୂତନ ଅଧ୍ୟକ୍ଷ ଭାବେ ସନ୍ତୋଷ କୁମାର ସାହୁ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ । ଏହି ଅବସରରେ ପ୍ରାକ୍ତନ ଆତ୍ମା ଅଧ୍ୟକ୍ଷ ମକୁନ୍ଦ ନାୟକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ ସାଙ୍ଗକୁ ନୂତନ ଅଧ୍ୟକ୍ଷଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା । ଏଥି ସହ କୃଷି ସମ୍ବନ୍ଧୀୟ ପ୍ରଯୁକ୍ତି ବିଦ୍ୟା ପରିଚାଳନା ସାଙ୍ଗକୁ ଅଞ୍ଚଳରେ କୃଷି ଓ କୃଷକଙ୍କ ଉନ୍ନତିରେ ସହାୟକ ବିଭିନ୍ନ ଯୋଜନା ସମ୍ପର୍କେ ଏବଂ ଆଲୋଚନା କରାଯାଇଥିଲା ।