ସବୁରି ମୂଳରେ ଠିକାଦାରୀ : ବିଜେପି ମୁହାଁ ବିଜେଡ଼ି ଜିଲ୍ଲା ପରିଷଦ ସଭ୍ୟା

ବେଗୁନିଆ(ସ୍ୱ.ପ୍ର) :  ଯାହା ଆଶଙ୍କା କରାଯାଉଥିଲା ସେଇଆ ହିଁ ଘଟିବାକୁ ଯାଉଛି । ବିଜେଡ଼ି କ୍ଷମତାରୁ ଯିବା ପରେ ନବୀନ ପଟ୍ଟନାୟକଙ୍କ ଫ୍ୟାନ୍ମାନେ ଏବେ ବିଜେପି ମୁହାଁ ହେଉଛନ୍ତି । ନୂଆ ସରକାର ଆସିବା ପରେ ବିଜେଡ଼ି ଠିକାଦାରମାନଙ୍କର ଦାନା ପାଣି ବନ୍ଦ ହେବା ଆରମ୍ଭ ହେଲାଣି । କାହିଁକିନା ବିଜେପି ସହ ଥିବା ଠିକାଦାରମାନେ ଯେଭଳି କାମ ଦାମ ପାଇବେ ସେନେଇ ଅଲିଖିତ ନିଦେ୍ର୍ଦଶନାମା ଦିଆଯାଇଛି । ବିଧାନସଭାରେ ମଧ୍ୟ ବିଜେଡ଼ି ବିଧାୟକମାନେ ଏକଥା ଉଠାଇ ସ୍ପଷ୍ଟ କରି ସାରିଛନ୍ତି । ୨୦୨୯ ପର୍ଯ୍ୟନ୍ତ ବିଜେପି ସରକାର ଚାଲିବାକୁ ଥିବାରୁ ତୃଣମୂଳସ୍ତରର ପଞ୍ଚାୟତିରାଜ ପ୍ରତିନିଧିମାନେ ଏବେ ବିଜେପିକୁ ଯିବା ପାଇଁ ଯୋଜନା କରୁଥିବା ଦେଖିବାକୁ ମିଳିଛି  ।
ବେଗୁନିଆ ନିର୍ବାଚନମଣ୍ଡଳୀରେ ବି ଏହାର ଆଭାସ ମିଳିଲାଣି । ବିଶେଷକରି ଦକ୍ଷିଣ ବେଗୁନିଆର ଜିଲ୍ଲା ପରିଷଦ ସଭ୍ୟା ତନୁଜା ପାଟ୍ଟଶାଣୀ ବିଜେପି ସହ ଯୋଗାଯୋଗରେ ଥିବା ଜାଣିବାକୁ ମିଳିଛି । ଦଳ ଛାଡ଼ିଲେ ପଦ ପଳାଇଯିବ ବୋଲି ସେ ସିଧାସଳଖ ଭାବେ ବିଜେପିକୁ ଯାଇପାରୁନଥିବା କୁହାଯାଉଛି । ତାଙ୍କର ସମ୍ପର୍କୀୟମାନେ ଆରଡ଼ି ଓ ୱାର୍କସ କାମ କରୁଛନ୍ତି । ବିଶେଷକରି ତନୁଜାଙ୍କ ସ୍ୱାମୀ ଲଲାଟ ପାଟ୍ଟଶାଣୀ ଠିକା କାମ ଦାମ କରୁଛନ୍ତି ବୋଲି ବେଗୁନିଆ ରାଜନୀତି ସହ ଜଡ଼ିତ ପ୍ରାୟ ସବୁ ନେତା ଜାଣିଛନ୍ତି । ବିଜେଡ଼ି ଅମଳରେ ବହୁତ କାମ ଦାମ କରି ସେ ଲକ୍ଷ ଲକ୍ଷ ଟଙ୍କାର ଲାଭ ପାଇଛନ୍ତି  । କିନ୍ତୁ ଏବେ ବିଜେପି ସରକାର ଆସିବା ପରେ ପୂର୍ବାପେକ୍ଷା କାମ ଦାମ କମିଯାଇଛି । ଆଗାମୀ ଦିନରେ ମଧ୍ୟ ଆହୁରି କମିଯିବ । ତେଣୁ ସେମାନେ ଭିତିରିଆ ବିଜେପି ସହ ଯୋଗସୂତ୍ର ସ୍ଥାପନ କରିଛନ୍ତି ।
ପ୍ରଶାନ୍ତ ଜଗଦେ୍ଦବ ବେଗୁନିଆର ବିଧାୟକ ଥିବାବେଳେ ଦକ୍ଷିଣ ବେଗୁନିଆର ଟାଣୁଆ ନେତ୍ରୀ ଭାବେ ତନୁଜା ପାଟ୍ଟଶାଣୀ ଦବଦବା ଜାହିର କରିଥିଲେ । ବହୁବାର ପଞ୍ଚାୟତ ନିର୍ବାଚନରେ ଜିଣିବା ସହ ବ୍ଳକ ଉପାଧ୍ୟକ୍ଷ ମଧ୍ୟ ହୋଇଥିଲେ । ଏହା ପରେ ପରେ ବେଗୁନିଆ ରାଜନୀତିର ସମୀକରଣ ବଦଳି ଯାଇଥିଲା । ରାଜେନ୍ଦ୍ର ସାହୁ ବିଧାୟକ ହେବା ପରେ ତନୁଜାଙ୍କ ପୂର୍ବ ପତିଆରା କମି ଯାଇଥିଲା  । ତଥାପିବି ଗତ ନିର୍ବାଚନରେ ତାଙ୍କୁ ବିଜେଡ଼ି ଜିଲ୍ଲା ପରିଷଦ ଟିକେଟ୍ ମିଳିଥିଲା । ପ୍ରଦୀପ ସାହୁ ସେହି ସମୟରେ ବିଜେଡ଼ିରେ ଯୋଗ ଦେଇଥିବାରୁ ବିପୁଳ ଭୋଟରେ ସେ ବିଜୟୀ ହୋଇଥିଲେ । ଏବେ ପ୍ରଦୀପ ସାହୁ ବିଧାୟକ ଅଛନ୍ତି । ଆଉ ଆଗଭଳି ତନୁଜାଙ୍କର କାଟତି ନଥିବା ଚର୍ଚ୍ଚା ହେଉଛି । ସେପଟେ ତନୁଜାଙ୍କ ଗଡ଼ଫାଦର ପ୍ରଶାନ୍ତ ଜଗଦେ୍ଦବ ଏବେ ଖୋର୍ଦ୍ଧାର ବିଧାୟକ ଅଛନ୍ତି । ବେଗୁନିଆରେ ବିଜେପି ସଂଗଠନର ଭାର ମଧ୍ୟ ଗଣେଶଙ୍କୁ ଦିଆଯାଇଥିବା ନେଇ ଦଳୀୟ ଅଳିନ୍ଦରେ ଚର୍ଚ୍ଚା ହେଉଛି । ବେଗୁନିଆରେ ଗଣେଶ ଜଗଦେ୍ଦବଙ୍କର ଏବେବି କୋଡ଼ିଏ ହଜାରରୁ ଉଦ୍ଧ୍ୱର୍ ପକେଟ୍ ଭୋଟ୍ ରହିଛି । ଆଗାମୀ ଦିନରେ ବେଗୁନିଆରେ ବିଜେପିକୁ ଶକ୍ତିଶାଳୀ କରିବା ପାଇଁ ସାଂସଦ ଅପରାଜିତା ଷଡ଼ଙ୍ଗୀ ତାଙ୍କୁ ଦାୟିତ୍ୱ ଦେଇଛନ୍ତି  । ଖାଲି ସେତିକିନୁହେଁ ସମ୍ପ୍ରତି ମନ୍ତ୍ରୀ ରେସ୍ରେ ବି ଗଣେଶ ଅଛନ୍ତି । ଯଦି ତାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ୍ କରାନଯାଏ ତେବେ ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ହେବାର ବି ସମ୍ଭାବନା ରହିଛି । ତାଙ୍କର କାଟତି ଆଗାମୀ ଦିନରେ ବଢ଼ିବା ନିଶ୍ଚିତ । ଫଳରେ ତନୁଜାଙ୍କ ଭଳି ଅନେକ ନେତା ଓ ନେତ୍ରୀ ଗଣେଶଙ୍କର ଫ୍ୟାନ୍ ହୋଇଥିବାରୁ ସେମାନେ ବିଜେଡ଼ିକୁ ବାଏବାଏ କରି ବିଜେପିକୁ ଆସିଲେ ଆଶ୍ଚର୍ଯ୍ୟ ହେବାର ନାହିଁ । ଏ ନେଇ ପ୍ରଦୀପ ସାହୁ କି ରଣନୀତି କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।