ମିଶ୍ରଣ ପର୍ବ ଦେଲା ଏକତାର ବାର୍ତ୍ତା

ମିଶ୍ରଣ ପର୍ବ ଦେଲା ଏକତାର ବାର୍ତ୍ତା

ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ଜୟ
ଶୋଭାଯାତ୍ରାରେ ସାମିଲ୍‌ ହେବେ ମୋହନ
ଠୁଳ ହେବେ ୩୦ ହଜାର କାର୍ଯ୍ୟକର୍ତ୍ତା

ଜୟ ଢୋଲକିଆ ହିଁ ପାଇବେ ବିଜେପି ଟିକେଟ୍‌ । ଏକଥା ଚୂଡ଼ାନ୍ତ ହେବା ପରେ ହିଁ ସେ ବିଜେପିରେ ସାମିଲ୍‌ ହୋଇଥିଲେ । ତେବେ ଦଳ ପକ୍ଷରୁ ଆଜି ବିଧିବଦ୍ଧ ଭାବେ ତାଙ୍କ ନାମ ଘୋଷଣା କରାଯାଇଛି । ଅପରପକ୍ଷରେ ଜୟଙ୍କ ସ୍ଥିତି ମଜବୁତ୍‌ କରିବା ପାଇଁ ବିଜେପି ପକ୍ଷରୁ କୋମନାରେ ଏକ ବିଶାଳ ମିଶ୍ରଣ ପର୍ବର ଆୟୋଜନ କରାଯାଇଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବିଜେଡ଼ି ଓ କଂଗ୍ରେସର ନେତାଙ୍କୁ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଛନ୍ତି ।

ଆଜିର ମିଶ୍ରଣ ପର୍ବ ଏକତାର ବାର୍ତ୍ତା ଦେଇଛି କହିଲେ ଭୁଲ୍‌ ହେବନାହିଁ । ଜୟ ବିଜେପିରେ ଯୋଗଦେବା ପରେ ଅନେକ ଆଶାୟୀ ଅସନ୍ତୁଷ୍ଟ ଥିଲେ । ବିଶେଷକରି ବସନ୍ତ ପଣ୍ଡା ଓ ତାଙ୍କ ପୁଅ ତଥା ବିଜେପି ପ୍ରାର୍ଥୀ ଥିବା ଅଭିନନ୍ଦନ ପଣ୍ଡା, ପ୍ରମୁଖ ଆଶାୟୀ ଯଦୁମଣି ପାଣିଗ୍ରାହୀ ଓ ପ୍ରସନ୍ନ ପାଢ଼ୀଙ୍କ ଶିବିରରୁ କ୍ଷୋଭ ପ୍ରକାଶ ପାଉଥିଲା । କିନ୍ତୁ ଜୟ ମିଶିବା ଦିନ ହିଁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସଂଗଠନ ସମ୍ପାଦକ ମାନସ ମହାନ୍ତି ବସନ୍ତଙ୍କୁ ବୁଝାଶୁଝା କରିବାରେ ସଫଳ ହୋଇଥିଲେ । ଜୟଙ୍କ ମିଶ୍ରଣ ପର୍ବରେ ବସନ୍ତ ସାମିଲ୍‌ ହୋଇ ମନର କୋହକୁ ଚାପି ସ୍ୱାଗତ କରିଥିଲେ । ପରେ ଜୟ ମଧ୍ୟ ବସନ୍ତଙ୍କୁ ସାକ୍ଷାତ କରି ଆଶୀର୍ବାଦ ନେଇଛନ୍ତି । ତେବେ ଅଭିନନ୍ଦନ ପଣ୍ଡାଙ୍କୁ କୌଣସି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିନାହିଁ । ଅପରପକ୍ଷରେ ଯଦୁମଣି ପାଣିଗ୍ରାହୀ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଉଚ୍ଚ ପଦାଧିକାରୀମାନେ ବୁଝାଶୁଝା କରିଥିଲେ । ତେବେ ତାଙ୍କ ମା’ଙ୍କ ପରଲୋକ ଯୋଗୁଁ ଯଦୁମଣି କୋମନା ବ୍ଳକ ମିଶ୍ରଣ ପର୍ବରେ ସାମିଲ୍‌ ହୋଇପାରିନଥିଲେ । 

ସେହିପରି ଅନ୍ୟତମ ଆଶାୟୀ ପ୍ରସନ୍ନ ପାଢ଼ୀ କୋମନା ମିଶ୍ରଣ ପର୍ବରେ ସଂଯୋଜନା କରୁଥିଲେ । ଫଳରେ ତାଙ୍କର ବି ମାନଭଞ୍ଜନ ହୋଇସାରିଛି । ଅପରପକ୍ଷରେ ଖରିଆର ରୋଡ଼ ଏନଏସି ଅଧ୍ୟକ୍ଷ ଡକ୍ଟର ସୋନିଆ ଜୈନ ମଧ୍ୟ ବିଜେପି ଟିକେଟ ରେସ୍‌ରେ ଥିଲେ  । ଆଜି ସେ ତାଙ୍କ ପୋଷ୍ଟରେ ଦଳର ନିଷ୍ପତ୍ତି ସର୍ବୋପରି ବୋଲି ଉଲ୍ଲେଖ କରିବା ସହ ଜୟଙ୍କ ପ୍ରାର୍ଥୀତ୍ୱକୁ ସ୍ୱାଗତ କରିଛନ୍ତି । ଗାଏମୋଟ୍‌ ଦେଖିଲେ ବିଜେପିର ଅସନ୍ତୁଷ୍ଟ ନେତାମାନେ ଭୋଟ୍‌ ବିଭାଜନ କରିବାର ଯେଉଁ ଆଶଙ୍କା ଥିଲା ତାହା ଦୂରୀଭୂତ ହୋଇଯାଇଛି ।

 ଆସନ୍ତାକାଲି ବିଶାଳ ଶୋଭାଯାତ୍ରାରେ ଜୟ ଢୋଲକିଆ ପ୍ରାର୍ଥୀପତ୍ର ଦାଖଲ କରିବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଠାରୁ ନେଇ ଅନେକ ବରିଷ୍ଠ କେନ୍ଦ୍ରୀୟ ନେତା, ରାଜ୍ୟ ମନ୍ତ୍ରୀମଣ୍ଡଳର ଅନେକ ସଦସ୍ୟ ବି ସାମିଲ୍‌ ହେବାର କାର୍ଯ୍ୟକ୍ରମ ରହିଛି । ମିଶ୍ରଣ ପର୍ବ ପରେ ମନମୋହନ କହିଛନ୍ତିଯେ, ନୂଆପଡ଼ା ଜିଲ୍ଲାର କୋମନାଠାରେ ଆୟୋଜିତ ବିଶାଳ ମିଶ୍ରଣ ପର୍ବରେ ଯୋଗଦେଇ ନୂତନ କାର୍ଯ୍ୟକର୍ତ୍ତାମାନଙ୍କୁ ବିଜେପିରେ ସାମିଲ କରାଇଲି । ଆଜି ବହୁ ସଂଖ୍ୟକ କର୍ମୀ ଓ ଜନସାଧାରଣ ବିଜେପି ପରିବାରରେ ଯୋଗଦାନ କରି ଦଳର ପ୍ରତି ନିଜର ବିଶ୍ୱାସ ଓ ଆସ୍ଥା ପ୍ରକାଶ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, କଳାହାଣ୍ଡି ସାଂସଦ ମାଳବିକା ଦେବୀ, ପୂର୍ବତନ ସାଂସଦ ବସନ୍ତ ପଣ୍ଡା, ବିଜେପିର ବିଧାୟକ ପ୍ରାର୍ଥୀ ଜୟ ଢୋଲକିଆ, ଜିଲ୍ଲା ସଭାପତି କମଳେଶ ଦୀକ୍ଷିତ ପ୍ରମୁଖ ଉପସ୍ଥିତ ଥିଲେ ।