ସମସ୍ୟା ସମାଧାନ ଦାବିରେ ଚାଷୀ ଦେଲେ ରଣହୁଙ୍କାର

କୃଷି ଏବଂ କୃଷକଙ୍କ ବହୁବିଧ ସମସ୍ୟା ନେଇ ବରଗଡ଼ ବିଜେଡି ସୋମବାର ଆନ୍ଦୋଳନକୁ ଓହ୍ଲାଇଛି। ଏହି କ୍ରମରେ ବିଜେଡି ପକ୍ଷରୁ ଏଠାରେ ବିରାଟ ଚାଷୀ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ବରଗଡ଼ ସମେତ ଆଖପାଖ ଜିଲାର ହଜାର ହଜାର ଚାଷୀ ଏବଂ ଦଳୀୟ କାର୍ଯ୍ୟକର୍ତ୍ତା ଏଥିରେ ସାମିଲ ହୋଇଛନ୍ତି। ସ୍ଥାନୀୟ ଗଣେଶରାମ ଭବନ ସମ୍ମୁଖରେ ସମସ୍ତେ ସମବେତ ହୋଇ ବିକ୍ଷୋଭ ଶୋଭାଯାତ୍ରାରେ ବାହାରିଛନ୍ତି। ଚାଷୀ ପଞ୍ଜୀକରଣ ପ୍ରକ୍ରିୟାକୁ ପୂର୍ବାପେକ୍ଷା ଅଧିକ ଜଟିଳ କରାଯିବା, ରାଜ୍ୟରେ ଡବଲ ଇଞ୍ଜିନ ସରକାର ଚାଲୁଥିବା କୁହାଯାଉଥିବାବେଳେ ରାଜ୍ୟରୁ କେନ୍ଦ୍ର ସରକାର ପ୍ରତିଶ୍ରୁତି ମୁତାବକ ଚାଉଲ ନ ଉଠାଇବା, କୃଷି ଅଭିବୃଦ୍ଧି ହାର ହ୍ରାସ ପାଇବା, କେନ୍ଦ୍ରରୁ କୃଷି ଅନୁଦାନ ହ୍ରାସ, ମଣ୍ଡି ଗୁଡିକରେ କଟନୀଛଟନୀ, ଦଲାଲରାଜ ଚାଲିବା, ସାର, କୀଟନାଶକ ସଂକଟ ସହିତ ଏହାର କଳାବଜାର ହେବା ଘଟଣା ଡବଲ ଇଞ୍ଜିନ ସରକାରଙ୍କ ଚାଷୀ ବିରୋଧୀ ନୀତିକୁ ପଦାରେ ପକାଇ ଦେଇଛି ବୋଲି ବିଜେଡି ଅଭିଯୋଗ କରିଛି।

ତେବେ ଉପରୋକ୍ତ ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ଗାନ୍ଧୀଛକରେ ଚାଷୀ ସମାବେଶ ଏବଂ ସମାବେଶ ପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ବିଜେଡିର ଏହି କାର୍ଯ୍ୟକ୍ରମକୁ ଚାଷୀମାନେ ଆସୁଥିବା ସମୟରେ ପୋଲିସ ବିଭିନ୍ନ ସ୍ଥାନରେ ନାନା ଆଳରେ ଗାଡ଼ିଗୁଡ଼ିକୁ ଅଟକାଉଥିବା ଅଭିଯୋଗ କରି ସେଠାରେ ଚାପା ଉତ୍ତେଜନା ଲାଗି ରହିଥିବା ସୂଚନା ମିଳିଛି। ବରଗଡ଼ ସହର ପୋଲିସ ଛାଉଣିରେ ପରିଣତ ହୋଇଥିବାବେଳେ ବିଭିନ୍ନ ଛକ ସ୍ଥାନରେ ପୋଲିସ ପଇଁତରା ମାରୁଛି। ବିକ୍ଷୋଭ କାର୍ଯ୍ୟକ୍ରମରେ ବିରୋଧୀ ଦଳ ଉପନେତା ତଥା ବିଜୁ କୃଷକ ସାମୁଖ୍ୟର ରାଜ୍ୟ ସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କ ସମେତ ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ, ରୀତା ସାହୁ, ସ୍ନେହାଙ୍ଗିନୀ ଛୁରିଆ, ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ, ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା,ବରଗଡ଼ ଜିଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ପୌରାଧ୍ୟକ୍ଷା କଳ୍ପନା ମାଝୀ, ବରଗଡ଼ ଜିଲା ବିଜେଡି ସଭାପତି ସୁଶାନ୍ତ ମହାପାତ୍ର, ବରଗଡ଼ ବ୍ଲକ ସଭାପତି ପ୍ରଫୁଲ୍ଲ ନାଏକ, ଭେଡେନ ବ୍ଲକ ସଭାପତି ହରିଶଙ୍କର ବେହେରା ପ୍ରମୁଖ ଉପସ୍ଥିତ ଅଛନ୍ତି।