ସମସ୍ୟାଘେରରେ ଦୁଇ ସ୍ୱାସ୍ଥ୍ୟକେନ୍ଦ୍ର


 କଟକ : କଟକ ଜିଲ୍ଲା ସଦର ବ୍ଲକ ଅଧୀନସ୍ଥ ବେଣ୍ଟକାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବର୍ତ୍ତମାନ ବହୁବିଧି ସମସ୍ୟା ରହିଥିବାବେଳେ ସରକାରୀ ଅର୍ଥକୁ ଏଠାରେ ହରିଲୁଟ୍ କରାଯାଇଛି । ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର କର୍ମଚାରୀ ଓ ଷ୍ଟାଫନର୍ସ ଅଭାବ କାରଣରୁ ଚିକିତ୍ସା ପାଇଁ ଆସୁଥିବା ଲୋକମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେହିପରି ସଦର ଥାନା ଅନ୍ତର୍ଗତ ସିଏମସି ୫୯ ନଂ ୱାର୍ଡ଼ ଅଧୀନ ତେଲେଙ୍ଗାପେଣ୍ଠ ସ୍ୱାସ୍ଥ୍ୟକେନ୍ଦ୍ରର ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ଉଭୟ ସ୍ୱାସ୍ଥ୍ୟ କେନ୍ଦ୍ରରେ କେତେବେଳେ ଡାକ୍ତର ନାହାନ୍ତି ତ କେତେବେଳେ ରୋଗୀକୁ ଇଂଜେକ୍ସସନ ଦେବାକୁ ଷ୍ଟାପ ନର୍ସ ନାହାନ୍ତି । ଏଠାରେ ରକ୍ତପରୀକ୍ଷା କେନ୍ଦ୍ର ବିଳମ୍ବରେ ଖୋଲୁଥିବାରୁ ରୋଗୀମାନେ ଘରୋଇ କ୍ଲିନିକରେ ରକ୍ତ ପରୀକ୍ଷା କରୁଛନ୍ତି । ବେଣ୍ଟକାର ଡାକ୍ତରଖାନାକୁ ଆସୁଥିବା ଅନୁଦାନ ରାଶିକୁ କିଛି ଅସାଧୁ କର୍ମଚାରୀ ଚଳୁ କରୁଥିବା ଅଭିଯୋଗ ହେଉଛି । ଏଠାରେ ଦୀର୍ଘଦିନ ଧରି ଅଧିକ୍ଷକଙ୍କ ପଦବୀ ଖାଲି ପଡ଼ିଥିବାରୁ ଉପରୋକ୍ତ ଅସାଧୁ କର୍ମଚାରୀମାନେ ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଜ କବ୍ଜାରେ ରଖିଛନ୍ତି । ଏପରି ସ୍ଥଳେ ଅର୍ଥ ହରିଲୁଟ କରିଥିବା କର୍ମଚାରୀଙ୍କ ବିରୁଦ୍ଧରେ ଭିଜିଲାନ୍ସ ତଦନ୍ତ ନିମନ୍ତେ ଆମ୍ବେଦକର ସ୍ମୃତି ପରିଷଦର ସଭାପତି ସୁକାନ୍ତ ସେଠୀଙ୍କ ସମେତ ପରିଷଦର ପ୍ରତିନିଧି ମଣ୍ଡଳୀ ଦାବି କରିଛନ୍ତି । 
ଏହି ଉଭୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ବହୁ ପଞ୍ଚାୟତ ଓ ୱାର୍ଡ଼ର ବହୁ ଜନସାଧାରଣ ନିର୍ଭର କରିଥାନ୍ତି । ୪୨ମୌଜା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ୫ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଯଥା କନ୍ଦରପୁର, କିଶନନଗର, ଅରଡ଼, ଶୁଭଦରାପୁର, ବମ୍ଫକୁଦ ଓ ତେଲେଙ୍ଗାପେଣ୍ଠ ରହିଛି । କିନ୍ତୁ ଏଠାରେ କୁକୁର-ବିଲେଇ କାମୁଡ଼ା, ସାପ କାମୁଡ଼ା ଇଞ୍ଜେକସନ ଏବଂ ସାଲାଇନ ଦେବାକୁ କୌଣସି ଷ୍ଟାପନର୍ସ ନାହାନ୍ତି । ଏଠାରେ ୫ଜଣ ଫାରମାଷ୍ଟିସ ଆବଶ୍ୟକ ଥିବାବେଳେ ମାତ୍ର ୨ ଜଣ ଫାରମାଷ୍ଟିସ କାର୍ଯ୍ୟ କରୁଛନ୍ତି । ସନ୍ଧ୍ୟା ୬ଟା ପର ଠାରୁ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କୁ ଛାଡ଼ି ଅନ୍ୟ କୌଣସି କର୍ମଚାରୀ ରହୁନଥିବାରୁ ରୋଗୀଙ୍କ ଚିକିତ୍ସାରେ ବାଧା ସୃଷ୍ଟି ହେଉଛି । ଏହି ମେଡ଼ିକାଲଟି ଆମ ହସ୍ପିଟାଲ ଯୋଜନାରେ ସାମିଲ ହୋଇଥିଲେ ମଧ୍ୟ ଏଠାରେ ମୌଳିକ ସୁବିଧାରୁ ବଞ୍ଚôତ ହେଉଛନ୍ତି ରୋଗୀ । ତେଣୁ ସରକାରଙ୍କୁ ବିନମ୍ର ନିବେଦନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ଅନୁସନ୍ଧାନ କରି ଏଠାରେ ହେଉଥିବା ଦୁର୍ନୀତିକୁ ହଟାଇବା ସହିତ ଅସାଧୁ କର୍ମଚାରୀଙ୍କ କବ୍ଜାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକୁ ଉଦ୍ଧାର କରାଯାଉ । ନଚେତ ଆଗାମୀ ଦିନରେ ଆନେ୍ଦାଳନ ପନ୍ଥା ଗ୍ରହଣ କରିବାକୁ ପଛେଇବୁ ନାହିଁ  ବୋଲି ଚେତାବନୀ ଦିଆଯାଇଛି । ଏ ନେଇ  ପରିଷଦର ସଭାପତି ତଥା ସମାଜସେବୀ ସୁକାନ୍ତ ସେଠୀଙ୍କ ନେତୃତ୍ୱରେ ରାଜ୍ୟସ୍ୱାସ୍ଥ୍ୟ ମନ୍ତ୍ରୀ ଓ ସ୍ୱାସ୍ଥ୍ୟ ସଚିବ ଉଦେ୍ଦଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ଅକ୍ଷୟ କୁମାର ସାମଲ, ସଂଜୟ କୁମାର ରାୟ, ତୃପ୍ତି ନାୟକ, ବିଜୟ ପାତ୍ର, ଜୁନେଦ ଖାନ, ବିଭୁ ପ୍ରସାଦ ସ୍ୱାଇଁ, ଧନେଶ୍ୱର ସେଠୀ, ସୌମେନ୍ଦ୍ର ସେଠୀ, ଝୁଲଣା ମାଝି, ଅନିମା ନାୟକ, ପ୍ରମୋଦ ମଲିକ, ରବିନ୍ଦ୍ର ବେହେରା, ପ୍ରବୋଧ ମଲିକ ପ୍ରମୁଖ ସାମିଲ ହୋଇଥିଲେ ।