ସମାଜ ଓ ସଂସ୍କୃତି ପକ୍ଷରୁ ‘ଏଇ ଆମରି ଗାଁ’

ଭୁବନେଶ୍ୱର : ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ସମାଜ ଓ ସଂସ୍କୃତି’ ପକ୍ଷରୁ ସଙ୍ଗୀତ କାର୍ଯ୍ୟକ୍ରମ ‘ଏଇ ଆମରି ଗାଁ’ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ନିଶିକାନ୍ତ ମିଶ୍ର କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ସମ୍ପାଦକ ଗିରିଜା ଶଙ୍କର ଦାଶଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଜଣାଶୁଣା କଣ୍ଠଶିଳ୍ପୀମାନେ ଯୋଗ ଦେଇ ସଙ୍ଗୀତ ପରିବେଷଣ କରିଥିଲେ । ମୁଖ୍ୟତଃ ଗ୍ରାମ୍ୟ ଜୀବନ, ପରମ୍ପରା ଓ ସଂସ୍କୃତିକୁ ନେଇ ବିଭିନ୍ନ ସମୟରେ କରାଯାଇଥିବା ମନଛୁଆଁ ଗୀତଗୁଡିକ ଏଥିରେ ସ୍ଥାନ ପାଇଥିଲା । ସହରବାସୀଙ୍କ ମଧ୍ୟରେ ଗ୍ରାମ୍ୟ ଜୀବନର ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ ଏପରି କାର୍ଯ୍ୟକ୍ରମ ପରିକଳ୍ପନା କରାଯାଇଛି ବୋଲି ସମ୍ପାଦକ ଶ୍ରୀ ଦାଶ କହିଥିଲେ । ଗତ ୧୦ ବର୍ଷ ହେଲା ଅନୁଷ୍ଠାନ ପକ୍ଷରୁ ଭୁବନେଶ୍ୱରରେ ଏହିପରି କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଆସୁଛି ।