କାଣୀ ନଦୀ ପ୍ରକଳ୍ପ ଖନନ ପାଇଁ ଦାବି
ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଡାମରପୁର ଶ୍ରୀରାମପୁର, ବଳଭଦ୍ରପୁର ଶାସନ, ଚନ୍ଦନନଗର,ସଂସାରଫଳ ଓ ରାଜନଗର ବ୍ଲକର ବନ୍ଧପଡ଼ା ପଞ୍ଚାୟତର ଚତୁଃର୍ପାର୍ଶ୍ୱରେ ବ୍ରାହ୍ମଣୀନଦୀର ଶାଖା କାଣୀନଦୀ ଓ ଏହାର ଶାଖାନାଳ ଗୁଡିକ ଘେରି ରହିଛି । ଏହାର ଦୈର୍ଘ୍ୟ ପ୍ରାୟ ୧୭ କିଲୋମିଟର ଓ ଏହା ମୁଖ୍ୟତଃ ଜଳସେଚନ ଓ ଜଳ ନିଷ୍କାସନ ପାଇଁ ବ୍ୟବହାର କରାଯାଇଥାଏ । ସ୍ଥାନୀୟ ଅଞ୍ଚଳର ହଜାର ହଜାର ଏକର ଚାଷ ଜମିକୁ ଜଳସେଚନ ପାଇଁ କାଣୀ ନଦୀ ଓ ଏହାର ଶାଖା ନାଳ ଗୁଡିକ ବର୍ଷ ବର୍ଷ ଧରି ଉପଯୋଗୀ ହୋଇଆସିଛି । ବ୍ରାହ୍ମଣୀ ନଦୀ ସହିତ ଏହାର ସଂଯୋଗ ଥିବାରୁ ଏଥିରେ ଜୁଆର ଓ ଭଟ୍ଟା ଆସିଥାଏ ଓ କିନ୍ତୁ ବ୍ରାହ୍ମଣୀ ନଦୀରୁ ଏହାର ଉତ୍ପତ୍ତି ସ୍ଥଳ ( ମୁହାଣ ) କ୍ରମଶଃ ପୋତି ହୋଇପଡିବାରୁ ପୂର୍ବଭଳି ଏଥିରେ ଆଉ ଜୁଆର ଓ ଭଟ୍ଟା ସୃଷ୍ଟି ହେଉନାହିଁ । ଦୀର୍ଘଦିନରୁ କାଣୀ ନଦୀ ଓ ଏହାର ଶାଖା ନାଳ ଗୁଡିକ ଅଂଚଳର ହଜାର ହଜାର କୃଷକଙ୍କ ପାଇଁ ଆଶୀର୍ବାଦ ପାଲଟି ଥିଲା ଓ ମାତ୍ର ସମ୍ପ୍ରତି ଦଳ, ଅନାବନା ଗଛଲତା ଏବଂ ଆବର୍ଜନାରେ ଭର୍ତ୍ତି ହୋଇ ରହିଥିବାରୁ ଅଞ୍ଚଳବାସୀଙ୍କ ପାଇଁ ବସ୍ତୁତଃ ଅଭିଶାପ ପାଲଟିଛି । ଚାଷ ଜମିକୁ ଜଳସେଚନ ଓ ଜଳ ନିଷ୍କାସନ ପାଇଁ ଏହା ସମ୍ପୂର୍ଣ ଅନୁପଯୁକ୍ତ ହୋଇପଡିଛି । ସ୍ଥାନୀୟ ଅଂଚଳବାସୀଙ୍କ ଦାବିକୁ ବିଚାରକୁ ନେଇ କେନ୍ଦ୍ର ଯୋଜନା କମିଶନ ଏହାର ଖନନ ପାଇଁ ୧. ୫ କୋଟି ଟଙ୍କା ଅନୁଦାନ ଯୋଗାଇ ଦେଇଥିବାବେଳେ ରାଜନଗର ସାଲାଇନ ସବଡ଼ିଭିଜନ ଏହାର ଖନନ ଦାୟିତ୍ୱ ନେଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ନାବାର୍ଡ ପକ୍ଷରୁ ଏହାର ଖନନ, ନବୀକରଣ ଚେକଗେଟ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ୧୭ କି.ମି. ଦୀର୍ଘ କାଣୀ ନଦୀ ଓ ଶାଖା ନାଳ ଗୁଡିକର ଆବଶ୍ୟକ ଅନୁଯାୟୀ ଖନନ କାର୍ଯ୍ୟ ହୋଇପାରିନାହିଁ । ନାବାର୍ଡ ଅନୁଦାନରେ ଏହି ଖନନ କାର୍ଯ୍ୟର ଦାୟିତ୍ୱଡ୍ରେନେଜଡିଭିଜନ ନେଇ ଥିଲେ ମଧ୍ୟ ଅର୍ଥାଭାବ କାରଣରୁ ସଠିକ ଭାବେ ଖନନ କାର୍ଯ୍ୟ ହୋଇ ପାରି ନଥିବା ବିଭାଗ ପକ୍ଷରୁ କୁହାଯାଇଥିଲା । ଇତି ମଧ୍ୟରେ ୧୦/୧୨ ବର୍ଷ ବିତି ଯାଇଥିବା ବେଳେ କାଣୀ ନଦୀ ଓ ଏହାର ଶାଖା ନାଳ ଗୁଡିକ ସମ୍ପୂର୍ଣ ପୋତି ହୋଇପଡିଛି । ଫଳରେ କାଣୀ ନଦୀ ପ୍ରକଳ୍ପ ଅନ୍ତର୍ଭୁକ୍ତ ନଅଟି ପଞ୍ଚାୟତର ଉର୍ବର ଦୋଫସଲି ଚାଷ ଜମି ଏବେ ପଡିଆ ପଡିଛି । ଏହାକୁ ଶସ୍ୟ ଶ୍ୟାମଳ କରିବା ପାଇଁ ୧୭ କି.ମି. ଦୀର୍ଘ କାଣୀ ନଦୀର ଗଭୀର ଖନନ ଆବଶ୍ୟକତା ରହିଛି ବୋଲି ବର୍ଷିଆନ ରାଜନେତା ସମାଜସେବୀ ନୃସିଂହ ଚରଣ ଆଚାର୍ଯ୍ୟ,ଅଜୟ ସେନ , ମୁରଲୀଧର ସେଠି,ବସନ୍ତ ନାଥ ,ପର୍ଶୁରାମ ସାହୁ ପ୍ରମୁଖ ବିଭାଗ ମୁଖ୍ୟଯନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇବା ସହିତ ଅବିଳମ୍ବେ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।