ସମାବେଶ ୨୦୨୫: ବିକାଶର ଏକ ଭିନ୍ନ ପ୍ରୟାସ: ‘ଆତ୍ମନିର୍ଭର ହେଉଛନ୍ତି ଦୃଷ୍ଟିବାଧିତ’
ଭୁବନେଶ୍ୱର: ରାଜ୍ୟ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସହାୟତାରେ ଭୁବନେଶ୍ୱରରେ ଏକ ଜାତୀୟ ସମ୍ମିଳନୀ- "ସମାବେଶ ୨୦୨୫’ ଅନୁଷ୍ଠିତ ହୋଇଛି । ଦିଲ୍ଲୀର ଏନ୍ଏବି ଇଣ୍ଡିଆ ସେଣ୍ଟର ଫର୍ ବ୍ଲାଇଣ୍ଡ ଓମେନ, ଏବଂ ସ୍କିଲ୍ କାଉନସିଲ୍ ଫର୍ ପରସନ୍ସ ୱିଥ୍ ଡିଜାବିଲିଟି (ଏସ୍ସିପିଡବ୍ଲୁ୍ୟଡି)ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମର ମୂଳ ଲକ୍ଷ ହେଉଛି ଦିବ୍ୟାଙ୍ଗ ଭାଇଭଉଣୀଙ୍କ ଦକ୍ଷତାକୁ କିଭଳି ବିକଶିତ କରାଯାଇ ସେମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରାଇବା । ଓଡ଼ିଶା ସରକାରଙ୍କ ଶିଳ୍ପ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ ।
ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ଯେ, ବର୍ତ୍ତମାନ ରାଜ୍ୟ ସରକାର ଦକ୍ଷତା ବିକାଶକୁ ପ୍ରାଧାନ୍ୟ ଦେଉଛନ୍ତି । ପ୍ରଧାନମନ୍ତ୍ରୀଙ୍କ ‘ସବ୍କା ସାଥ୍ ସବ୍କା ବିକାଶ ସବ୍କା ପ୍ରୟାସ’ ମନ୍ତ୍ରକୁ ପାଥେୟ କରି କିଭଳି ସମସ୍ତ ବର୍ଗର ବିକାଶ ହେବ ତାହା ଉପରେ ଗୁରୁତ୍ୱ ଦେଇ ଯୋଜନା ପ୍ରସ୍ତୁତ କରାଯାଉଛି । ଯୁବକଯୁବତୀମାନଙ୍କୁ ପ୍ରଶିକ୍ଷଣ ଦେବା ସହ ଦୃଷ୍ଟିବାଧିତଙ୍କୁ ସ୍ୱତନ୍ତ୍ର ତାଲିମ ପ୍ରଦାନ ମାଧ୍ୟମରେ ଆତ୍ମନିର୍ଭର କରାଯାଉଛି । ସ୍କିଲ୍ କାଉନସିଲ୍ ଫର ପରସନ୍ସ ୱିଥ୍ ଡିସାବିଲିଟିକୁ କେବଳ ଦୃଷ୍ଟିହୀନମାନଙ୍କୁ ତାଲିମ ଦେବା ପାଇଁ ନୁହେଁ, ବରଂ ସହାୟକ ପ୍ରଯୁକ୍ତିବିଦ୍ୟା ସହାୟତାରେ ଦୃଷ୍ଟିବାଧିତଙ୍କ ଦକ୍ଷତା ଏବଂ ନିଯୁକ୍ତି ବିଷୟରେ ସଚେତନତା ଆଣି ଓଡ଼ିଶାର ବ୍ୟବସାୟ କ୍ଷେତ୍ରରେ ଅନ୍ତର୍ଭୁକ୍ତ କରିବା ପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରିବା ପାଇଁ ଓଡ଼ିଶା ସରକାର ଦାୟିତ୍ୱ ଦେଇଛନ୍ତି । ଜଟଣୀ ଆଇଟିଆରେ ଏହି ଭିନ୍ନକ୍ଷମଙ୍କୁ ମାନୁ୍ୟଫାକ୍ଚରିଂ, ଆଇଟି, ଆପାରେଲ୍, ଗାରମେଣ୍ଟସ୍, ହେଲ୍ଥ୍କେୟାର, ଫିଜିଓଥେରାପି ଭଳି ବିଭିନ୍ନ କ୍ଷେତ୍ରରେ ତାଲିମ ଦିଆଯାଇ ନିଯୁକ୍ତି ଦିଆଯାଉଛି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏସ୍ଏସ୍ଇପିଡି ନିଦେ୍ର୍ଦଶିକା ନିୟତି ପଟ୍ଟନାୟକ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ନିଦେ୍ର୍ଦଶିକା ରଶ୍ମିତା ପଣ୍ଡା, ଏସ୍ସିପିଡବ୍ଲୁ୍ୟଡି ଅଧ୍ୟକ୍ଷା ଶାଳିନୀ ଖାନ୍ନା, ସିଆଆଇ ମୁଖ୍ୟ ପ୍ରଦୀପ୍ତ ମହାନ୍ତିଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ଏହି ଜାତୀୟ ସମ୍ମିଳନୀରେ ଚାରୋଟି ଅଧିବେଶନରେ ଦୃଷ୍ଟିବାଧିତମାନଙ୍କ ଦକ୍ଷତା ବୃଦ୍ଧି ନିଯୁକ୍ତି ନେଇ ଆଲୋଚନା ହୋଇଥିଲା । ସିଆଇଆଇ ଭଳି ବିଭିନ୍ନ ଉଦ୍ୟୋଗରୁ ଆସିଥିବା ମୁଖ୍ୟମାନେ ଏଥିରେ ସାମିଲ ହୋଇ ଏହାକୁ ଅଧିକ ବ୍ୟାପକ କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଓଡ଼ିଶା ସରକାରଙ୍କ ଏସ୍ଏସ୍ଇପିଡି ବିଭାଗ ପକ୍ଷରୁ ଦୃଷ୍ଟିବାଧିତ ଛାତ୍ରଛାତ୍ରୀମାନଙ୍କୁ ତାଲିମ ଦେବା ସହ ସେମାନଙ୍କୁ ଆର୍ଥିକ ସହାୟତା, ପେନ୍ସନ୍ ଭଳି ଯୋଜନା କାର୍ଯ୍ୟକାରୀ କରାଯାଇଛି ।