ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର
ରାଜକନିକାରୁ ଆଦିତ୍ୟ ଓ ଅଲିଭା
ରାଜକନିକା : ଜିଲ୍ଲାସ୍ତରୀୟ ଗୁରୁଦିବସ ଉତ୍ସବ ଅବସରରେ ମୁଖ୍ୟଅତିଥି ଭାବେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର ଆୟାର ମାଧ୍ୟମିକ ବିଦ୍ୟାଳୟରୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର -୨୦୨୪ ପାଇଁ ରାଜକନିକା ବ୍ଲକ ମଦରଙ୍ଗାପାଟ କ୍ଲଷ୍ଟର ଅଧିନସ୍ଥ ତାରାମଣି କପିଳେଶ୍ୱର ଉଚ୍ଚ ବିଦ୍ୟାଳୟ କାଟଣାର ଆଦିତ୍ୟ ବାରିକ୍ ଓ ଅଲିଭା ମଞ୍ଜରୀ ନାୟକଙ୍କୁ ପୁରସ୍କାର, ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଛନ୍ତି ।
ବରୀରୁ ୨ ଶିକ୍ଷୟିତ୍ରୀ
ବରୀ: ବରୀ ଶିକ୍ଷାମଣ୍ଡଳୀ ଅଧିନ ନବଭାରତୀ ସରକାରୀ ଉଚ୍ଚ ବିଦ୍ୟାଳୟର ୨ଜଣ ଶିକ୍ଷୟିତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ଗୌରବମୟ ପୁରସ୍କାର ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି । ସାମାଜିକ ବିଜ୍ଞାନର ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ସନ୍ଧ୍ୟାରାଣୀ ଜେନା, ବିଦ୍ୟାଳୟର କ୍ରୀଡା ଶିକ୍ଷୟିତ୍ରୀ ମନସ୍ମିତା ମହାନ୍ତିଙ୍କୁ ଜିଲ୍ଲା ଶିକ୍ଷାଅଧିକାରୀ ଜିଲ୍ଲା ସଂସ୍କୃତି ଭବନରେ ଏହି ପୁରସ୍କାର ପ୍ରଦାନ କରିଥିଲେ । ଏଥି ନିମନ୍ତେ ଦୁଇ ଶିକ୍ଷୟିତ୍ରୀଙ୍କୁ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ, ବିଦ୍ୟାଳୟ ଶିକ୍ଷକ, ଶିକ୍ଷା କର୍ମଚାରୀ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।
ଜଟଣୀରୁ ଇତିଶ୍ରୀ
ଜଟଣୀ: ଖୋର୍ଦ୍ଧାଜିଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ନୂଆପଡା ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଇତିଶ୍ରୀ ରାଉତଙ୍କୁ ଶିକ୍ଷାବର୍ଷ ୨୦୨୪-୨୫ ରେ ଉତ୍ତମ ଶିକ୍ଷାଦାନ ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ମିଳିଛି । ଶ୍ରୀମତୀ ରାଉତଙ୍କୁ ଏହି ପୁରସ୍କାର ପ୍ରାପ୍ତ ହେବାପରେ ବିଦ୍ୟାଳୟ, ଅଭିଭାବକ, ଛାତ୍ରଛାତ୍ରୀ ଓ ଶୁଭେଛୁ ମାନଙ୍କ ଠାରୁ ଶୁଭେଚ୍ଛା ଜଣାଯାଇଛି ।
ନୂଆପଡ଼ାରୁ ସିଦ୍ଧାର୍ଥ
ନୂଆପଡା : ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ତୁକଲା ସରକାରୀ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ସିଦ୍ଧାର୍ଥ ଦାଶ ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ବିଜ୍ଞାନ ବିଷୟରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଛନ୍ତି । ସେ ଜଣେ ଛାତ୍ରବତ୍ସଳ ଓ କର୍ତ୍ତବ୍ୟନିଷ୍ଠ ଶିକ୍ଷକ ଭାବରେ ସମଗ୍ର ନୂଆପଡା ଜିଲ୍ଲାରେ ପରିଚିତ । ବିଜ୍ଞାନ ଶିକ୍ଷା ପ୍ରତି ଆଗ୍ରହ ପ୍ରକାଶ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥାନ୍ତି । ତାଙ୍କ ତତ୍ତ୍ୱାବଧାନରେ ଗତ ବର୍ଷ ତୁକୁଲା ଉଚ୍ଚ ବିଦ୍ୟାଳୟର ଛାତ୍ର ଜାତୀୟ ଶିଶୁ ବିଜ୍ଞାନ ମଧ୍ୟପ୍ରଦେଶର ଭୋପାଳ ଠାରେ ଅଂଶଗ୍ରହଣ କରି ଜିଲ୍ଲା ପାଇଁ ଗୌରବ ଅର୍ଜନ କରିଥିଲେ । ତାଙ୍କର ଏହି ସଫଳତା ପାଇଁ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ, ଅନ୍ୟ ଶିକ୍ଷକ ଓ ଶୁଭେଚ୍ଛୁଗଣ ଶୁଭେଚ୍ଛା ଜଣାଇଥିଲେ ।