ସମ୍ବିଧାନ ଧରି ଶପଥ ନେଲେ ପ୍ରିୟଙ୍କା

 ନୂଆଦିଲ୍ଲୀ: ଶପଥ ନେଲେ ପ୍ରିୟଙ୍କା ଗାନ୍ଧି ଭଦ୍ରା । କେରଳର ୱାୟନାଡରୁ ବିଜୟୀ ହୋଇଥିବା କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଆଜି ପ୍ରଥମ ଥର ପାଇଁ ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି । ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ହାତରେ ସମ୍ବିଧାନର ଏକ କପି ଧରି ସେ ଶପଥ ପାଠ କରିଛନ୍ତି । ଲୋକସଭା ବାଚସ୍ପତି ଓମ ବିର୍ଲା ଏବଂ ସଂସଦରେ ବସିଥିବା ସାଂସଦଙ୍କ ଉପସ୍ଥିତିରେ ସେ ଶପଥ ଗ୍ରହଣ କରିଛନ୍ତି । ଏହି ସମୟରେ ଲୋୟର ହାଉସର ଗ୍ୟାଲେରୀରେ ତାଙ୍କ ସ୍ୱାମୀ ରବର୍ଟ ଭଦ୍ରା ଓ ତାଙ୍କ ପିଲାମାନେ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଉପସ୍ଥିତ ଥିଲେ । ଶପଥ ଗ୍ରହଣ ସମୟରେ ପ୍ରିୟଙ୍କା ଗାନ୍ଧି କେରଳର ପାରମ୍ପାରିକ କାସାଭୁ ଶାଢି ପିନ୍ଧିଥିବା ନଜରରେ ଆସିଥିଲେ । ମଲୟାଲି ଉସôବରେ ସ୍ୱତନ୍ତ୍ର ରୂପେ ଗୋଲ୍ଡେନ୍ ବର୍ଡର ଥିବା ଧଳା ରଙ୍ଗର କାସାଭୁ ଶାଢି ପିନ୍ଧାଯାଏ । ପ୍ରିୟଙ୍କା ଶପଥ ଗ୍ରହଣ ବେଳେ ଶାଢି ପିନ୍ଧି ୱାୟନାଡରେ ସେ ସକ୍ରିୟ ଭାବରେ କାମ କରିବାକୁ ନେଇ ଇସାରା ଦେଇଛନ୍ତି । ୫୨ ବର୍ଷୀୟା ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ଲୋକସଭାରେ ପ୍ରବେଶ ସହିତ ସଂସଦ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ଗାନ୍ଧି ପରିବାରର ତିନିଜଣ ସଦସ୍ୟଙ୍କୁ ଏକାଠି ଦେଖିବାକୁ ମିଳିବ । ପ୍ରିୟଙ୍କା ଗାନ୍ଧି ଏବଂ ରାହୁଲ ଗାନ୍ଧି ଲୋକସଭାରେ ବସିଥିବା ବେଳେ ସେମାନଙ୍କ ମା' ସୋନିଆ ଗାନ୍ଧି ରାଜ୍ୟସଭାରେ ନଜର ଆସିବେ । ସାଂସଦ ଭାବେ ଶପଥ ଗ୍ରହଣ କରିବାରେ ସୋନିଆ ଗାନ୍ଧି ଏବଂ ତାଙ୍କ ଜେଜେମାଆ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ପରେ ପ୍ରିୟଙ୍କା ଗାନ୍ଧି ପରିବାରର ତୃତୀୟ ମହିଳା । ସେପଟେ ପ୍ରିୟଙ୍କା ଗାନ୍ଧି ସାଂସଦ ହେବା ପରେ ଖୁସି ବ୍ୟକ୍ତ କରିଛନ୍ତି କଂଗ୍ରେସ ସାଂସଦ ଶଶି ଥରୁର । ଉଭୟ ୱାୟନାଡ ଏବଂ ରାବେରେଲିରୁ ଜିତିବା ପରେ ରାହୁଲ ଗାନ୍ଧି ୱାୟନାଡ ଆସନ ଛାଡ଼ିଥିଲେ । ପରିବାରର ଭିତ୍ତିଭୂମି ବଜାୟ ରଖିବାକୁ ନିଷ୍ପତ୍ତି ନେଇ ୱାୟାନାଡରୁ ଭଉଣୀ ପ୍ରିୟଙ୍କାଙ୍କୁ ଉପ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରିୟଙ୍କା ନିର୍ବାଚନ ଲଢି ରାହୁଲଙ୍କଠାରୁ ବି ଅଧିକ ଭୋଟ୍ରେ ବିଜୟୀ ହୋଇଛନ୍ତି ।