ନୂଆ ସର୍ଭେ : ୪୪୫୩୬ ଘରଡିହହୀନ

 ଭୁବନେଶ୍ୱର: ରାଜ୍ୟରେ ଭୂମିହୀନ ପରିବାରଙ୍କୁ ଥଇଥାନ କରିବା ପାଇଁ ରାଜ୍ୟ ସରକାର ଯଥେଷ୍ଟ ଉଦ୍ୟମ କରୁଛନ୍ତି । ଗତ  ଅଗଷ୍ଟ ୭ ତାରିଖରେ ପତ୍ର ସଂଖ୍ୟା ୨୬୬୪୦ ମାଧ୍ୟମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ନୂତନ ସର୍ବେକ୍ଷଣ କରିଥିଲା । ଏହି ଅନୁଯାୟୀ ଆବେଦନ ହୋଇଥିବା ୩ଲକ୍ଷ ୫୫ହଜାର ୭୯୬ ଦରଖାସ୍ତ ମଧ୍ୟରୁ ୪୪ହଜାର ୭୪୩ ଜଣଙ୍କୁ ଯୋଗ୍ୟ ହିତାଧିକାରୀ ଭାବେ ଚିହ୍ନଟ କରାଯାଇଛି । ଚିହ୍ନଟ ହିତାଧିକାରୀଙ୍କ ମଧ୍ୟରୁ ୨୦୭ ଜଣ ଭୂମିହୀନଙ୍କୁ ପଟ୍ଟା ପ୍ରଦାନ କରାଯାଇଥିବା ବେଳେ ବଳକା ୪୪୫୩୬ ଜଣଙ୍କୁ ପଟ୍ଟା ପ୍ରଦାନ ପାଇଁ ଯୋଜନା କରାଯାଉଛି । ଗୁରୁବାର ଗୃହରେ ବିଧାୟକ ସୌଭିକ୍ ବିଶ୍ୱାଳଙ୍କ କେଉଁ ଜିଲ୍ଲାରେ କେତେ ଭୂମିହୀନ ପରିବାର ଚିହ୍ନଟ ହୋଇଛନ୍ତି ପ୍ରଶ୍ନର ଉତ୍ତରରେ ଏହା ପ୍ରକାଶ କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
ଏହାସହ ମନ୍ତ୍ରୀ ଆହୁରି କହିଛନ୍ତି ଯେ, ରାଜ୍ୟର ଗ୍ରାମାଞ୍ଚଳମାନଙ୍କରେ ୨୦୧୮ରେ କରାଯାଇଥିବା ସର୍ବେକ୍ଷଣ ଅନୁଯାୟୀ ସର୍ବମୋଟ ୮୩,୧୮୯ ସଂଖ୍ୟକ ଭୂମିହୀନ ପରିବାର ଚିହ୍ନଟ ହୋଇଥିଲେ । ସେଥିମଧ୍ୟରୁ  ଗତ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ୭୨,୧୯୧ ଜଣ ପରିବାରଙ୍କୁ ଘରଡିହ ଜମି ଯୋଗାଇ ଦିଆଯାଇଛି ।