ସରକାର ବଦଳିବା ପରେ ଅଟକିଗଲା ଅର୍ଥ? ଅନିଶ୍ଚିତତା ଭିତରେ ବରୁଣେଶ୍ୱର ମନ୍ଦିର ସୌନ୍ଦର୍ଯ୍ୟକରଣ
ବିଞ୍ଝାରପୁର : ବିଞ୍ଝାରପୁର ବ୍ଲକ ଅରେଇ ପଂଚାୟତରେ ଅବସ୍ଥିତ ପ୍ରସିଦ୍ଧ ଶୈବ ପୀଠ ଆରାଧ୍ୟ ଦେବ ବାବା ବାରୁଣେଶ୍ୱର ପୀଠ ଜିଲା ନୁହଁ ସମଗ୍ର ଓଡିଶାରେ ଏହି ଶୈବ ପୀଠର ନାଁ ରହିଛି । ମକର ସମୟରେ ଜିଲା ଓ ଜିଲ୍ଲା ବାହାରୁ ଲକ୍ଷାଧିକ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ବାବା ବରୁଣେଶ୍ୱର । ଏହିପୀଠର ସୌାନ୍ଦର୍ଯ୍ୟକରଣ ନିମନ୍ତେ ବିଜେଡି ସରକାର ସମୟରେ ୬କୋଟି ଟଙ୍କା ଘୋଷଣା କରାଯାଇଥିଲା । ହେଲେ ଘୋଷଣାର ଦୁଇ ବର୍ଷ ଛୁଇଁବାକୁ ବସିଥିବା ବେଳେ ଘୋଷଣା କେବଳ ଘୋଷଣାରେ ରହିଯାଇଛି । ଉକ୍ତ କାର୍ଯ୍ୟ ନିମନ୍ତେ ପୂର୍ତ୍ତବିଭାଗ ପକ୍ଷରୁ ଏକ ଟେଣ୍ଡର କରାଯାଇ ଏକ ଠିକା ସଂସ୍ଥାକୁ କାର୍ଯ୍ୟ ହସ୍ତାନ୍ତର କରାଯାଇଥିଲା । ଠିକା ସଂସ୍ଥା କାର୍ଯ୍ୟ ନିମନ୍ତେ ଆବଶ୍ୟକ କଞ୍ଚାମାଲ ବାରୁଣେଶ୍ୱରଙ୍କ ନିକଟରେ ମହଜୁତ କରିଥିଲେ । ହେଲେ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ସରକାର ବଦଳି ଗଲା । ତେବେ ରାଜ୍ୟରେ ସରକାର ବଦଳିଯାଇଥିଲେ ହେଁ ବିଞ୍ଝାରପୁର କିନ୍ତୁ ପ୍ରମିଳା ମଲିକଙ୍କ ଦଖଲରେ ରହିଲା । ପ୍ରମିଳା ବିଧାୟିକା ଥିଲେ ବି ବରୁଣେଶ୍ୱର ସୌନ୍ଦର୍ଯ୍ୟ କାର୍ଯ୍ୟ କିନ୍ତୁ ଅଟକିରହିଛି । କାହିଁକି ଏବଂ କ’ଣ ପାଇଁ ତାହା ଭକ୍ତଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି । ଯାହା ଆଲୋଚନା ହେଉଛି କୁଆଡେ ସରକାରୀ ଦଳର ନେତା ନେତ୍ରୀ କାର୍ଯ୍ୟକୁ ଦୃଢ଼ ବିରୋଧ କରିବା ଯୋଗୁ ଠିକାସଂସ୍ଥା କାର୍ଯ୍ୟ କରିପାରୁନି ।
କାର୍ଯ୍ୟକୁ ବନ୍ଦ କରି ବରୁଣେଶ୍ୱରଙ୍କ ଭାବବେଗ ପ୍ରତି କୁଠାର ଘାତ କରିଥିବା ଅଞ୍ଚଳର ବିଜେଡ଼ି ନେତା ଅଭିଯୋଗ ରଖୁଛନ୍ତି । ବିଜେପି ଅଞ୍ଚଳର ବିକାଶ ନୁହଁ ପୁରା ରାଜ୍ୟର ବିକାଶ ଚାହୁଁ ନଥିବା ବେଳେ ବରୁଣେଶ୍ୱର କାର୍ଯ୍ୟ ହୋଇ ଗଲେ ପତିଆରା ଆଉ ରହିବ ନାହିଁ ଓ ବରୁଣେଶ୍ୱର ପାଇଁ ଏମିତି କେବେ ଏସରକାରୀ ଦଳ କରିପାରିବନି ବୋଲି ବିଜେଡି ବିଧାୟିକା ପ୍ରମିଳା ମଲିକ ନିଜ ମତ ରଖିଛନ୍ତି । ଯାହାର ପ୍ରଶ୍ନରେ କେବଳ ପିସି ନେଇ ଏହାକୁ ବରୁଣେଶ୍ୱରଙ୍କ ନାମରେ ହରିଲୁଟ କରାଯାଇଥାଆନ୍ତା । ଏହାକୁ ବନ୍ଦ କରାଯାଇ ବରୁଣେଶ୍ୱର ଗାରିମା ନଷ୍ଟ ହେଇନି ବରଂ ବିଜେଡ଼ିର ପିସି କାରବାରକୁ ବନ୍ଦ କରାଯିବା ନେଇ ଉତର ରଖିଛନ୍ତି ବିଜେପି ନେତା ନେତ୍ରୀ । ବିଜେଡି-ବିଜେପି କାର୍ଯ୍ୟକୁ ନେଇ କାଦୁଆ ପିଙ୍ଗା ଫିଙ୍ଗିରୁ ବର୍ଷେ ହେବ ଅଟକିଛି ବାବା ବାରୁଣେଶ୍ୱର ମନ୍ଦିର ପ୍ରକଳ୍ପ । ଉଭୟ ରାଜନୈତିକ ଦଳର ଏଭଳି କାର୍ଯ୍ୟକୁ ଦେଖି କାର୍ଯ୍ୟ ପାଇଁ ଚୁକ୍ତି କରିଥିବା ଠିକା ସଂସ୍ଥା କାର୍ଯ୍ୟ ନକରି ପକାଇଥିବା କଞ୍ଚାମାଲକୁ ଉଠାଇ ନେଇଛି । ଯାହାକୁ ନେଇ ଅର୍ଥ ଫେରିଯାଇଥିବା କଥା ଚର୍ଚ୍ଚା ହେଉଛି । ଉଭୟ ବିଜେଡି-ବିଜେପି ବରୁଣେଶ୍ୱର ମନ୍ଦିରକୁ ଢାଲ କରି ନିଜର ପତିଆରା ଯାହିର କରୁନାହାନ୍ତି ବରଂ ଉଭୟ ଦଳ ନିଜନିଜ ସ୍ୱାର୍ଥ ପାଇଁ ବରୁଣେଶ୍ୱରଙ୍କ ନାମରେ ରାଜନୀତି କରି ହୀନ ମାନସିକତାର ପରିଚୟ ଦେଇଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ଆଉ ବରୁଣେଶ୍ୱର ନିଶ୍ଚିତ ଏହାର ବିଚାର କରିବେ ବୋଲି ମତ ରଖୁଛନ୍ତି । ତେବେ ରାଜ୍ୟ ସରକାର ଏହାର ଅନୁଧ୍ୟାନ କରି ବରୁଣେଶ୍ୱର ମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପଛର ରହସ୍ୟ ସାଧାରଣଙ୍କୁ ଅବଗତ କରିବାକୁ ଦାବି କରାଯାଇଛି ।