ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକୋତ୍ସବ
ନିଶ୍ଚିନ୍ତକୋଇଲି, : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ମଣ୍ଡଳ ଅଧିନସ୍ଥ ବଡକ୍ଷୀର ପଂଚାୟତ ଅଧିନ ନିଶ୍ଚିନ୍ତକୋଇଲି ସରସ୍ୱତୀ ଶିଶୁମନ୍ଦିରର ୨୫ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ମଞ୍ଚରେ ବିରାଜିତ ପରବ୍ରହ୍ମ ଓଁ ଭାରତ ମାତା ଓ ମା’ ସରସ୍ୱତୀଙ୍କୁ ଯଥାବିଧି ପୂଜାର୍ଚ୍ଚନା ଅତିଥି ଅଧିକାରୀମାନଙ୍କ ଦ୍ୱାରା କରାଯାଇଥିଲା । ପରେ ବିଦ୍ୟାଳୟର ଶିଶୁ ଭଉଣୀମାନଙ୍କ ଦ୍ୱାରା ବନ୍ଦନା ପ୍ରାର୍ଥନା କରାଯାଇଥିଲା । ଆୟୋଜିତ ଉତ୍ସବରେ ବିଦ୍ୟାଳୟ ପରିଚାଳନା ପରିଷଦର ସଭାନେତ୍ରୀ ଶ୍ରୀମତୀ ଦୀପାଞ୍ଚଳୀ ମିଶ୍ର ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ମାହାଙ୍ଗା ବିଧାୟକ ଶାରଦା ପ୍ରସାଦ ପ୍ରଧାନ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଶିକ୍ଷାବିକାଶ ସମିତିର ଉତ୍ତର ପୂର୍ବ ସମ୍ଭାଗର ସଦସ୍ୟା ସୁଶ୍ରୀ ଇନ୍ଦୁମତୀ ଦାଶ ଯୋଗ ଦେଇ ଶିକ୍ଷାବିକାଶ ସମିତିର ସରସ୍ୱତୀ ବିଦ୍ୟାମନ୍ଦିର ଓ ବିଦ୍ୟାଭାରତୀ ଉପରେ ସଂକ୍ଷିପ୍ତ ଟିପ୍ପଣୀ ଦେବା ସହ ରାଷ୍ଟ୍ର ଚେତନା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ପ୍ରଧାନ ବିଦ୍ୟାଳୟକୁ ୨୫ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦେବେ ବୋଲି କହିଥିଲେ । ବିଦ୍ୟାଳୟ ପରିଚାଳନା ପରିଷଦର ସଂପାଦକ ତପନ କୁମାର ଦାଶ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପ୍ରାଣ କୃଷ୍ଣ ମଲିକ ବାର୍ଷିକ ବିବରଣୀ ପାଠ କରିଥିଲେ । ବିଦ୍ୟାଳୟର ଶିଶୁ ଭାଇ ଓ ଭଉଣୀମାନଙ୍କ ଦ୍ୱାରା ସାମୂହିକ ସଂଗୀତ, ବ୍ୟକ୍ତିଗତ ସଂଗୀତ, ନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାର ବିଭିନ୍ନ ବିଭାଗରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମଞ୍ଚାସୀନ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା । ଶେଷରେ ବିଦ୍ୟାଳୟ ପରିଚାଳନା ପରିଷଦର ଉପସଭାପତି ଅଶୋକ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଆଚାର୍ଯ୍ୟ ସତ୍ୟାନନ୍ଦ ସାହୁ, ପ୍ରସନ୍ନ କୁମାର ମହାନ୍ତି, ବ୍ରଜ କିଶୋର ସାହୁ, ରବିନ୍ଦ୍ର ସାଥୁଆ, କିଶୋର କୁମାର ବାରିକ, ବିପିନ ବିହାରୀ ଦାଶ, ଆଚାର୍ଯ୍ୟା ନମିତା ସ୍ୱାଇଁ, ପ୍ରିୟଦର୍ଶନୀ ପ୍ରହରାଜ, ବିଜୟଲକ୍ଷ୍ମୀ ସ୍ୱାଇଁ, ଶ୍ରଦ୍ଧାଞ୍ଜଳୀ ମହାପାତ୍ର, ମାନସୀ ପରିଜା, ପୁଷ୍ପଲତା ପଲେଇ, ସରସ୍ୱତୀ ଦାସ, ଦେବସ୍ମିତା ଜେନା, ରାଧାରାଣୀ ସାହୁ, ସୋନାଲୀ ପଣ୍ଡା, ରାଜଶ୍ରୀ ସ୍ୱାଇଁ, ବର୍ଷାରାଣୀ ସେନାପତି, ମିନାକ୍ଷୀ ସେନାପତି ଓ ସାଗରିକା ନାୟକ ପ୍ରମୁଖ ସହଯୋଗ କରିଥିଲେ ।