ଗର୍ଭବତୀଙ୍କ ଠାରୁ୧୫ ହଜାର ଲୁଟିଲେ ସାଇବର ଠକ
ବ୍ରହ୍ମବରଦା : ରସୁଲପୁର ବ୍ଲକ ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନ ବ୍ରହ୍ମବରଦା ପଞ୍ଚାୟତର ଦୁଇଜଣ ଗର୍ଭବତୀ ମହିଳା ମମତା ଯୋଜନାରେ ସାଇବର ଠକେଇର ଶିକାର ହୋଇଛନ୍ତି । ଏକଥା ଜଣାପଡିବା ପରେ ଜଣେ ବ୍ରହ୍ମବରଦା ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ଅନ୍ୟଜଣେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲେ । ମାତ୍ର ମହିଳା ଦ୍ୱୟ ସେଠାରୁ ନିରାଶ ହେବା ପରେ ସାମାଜିକ କର୍ମୀ ମଣ୍ଟୁ ଦାସଙ୍କ ସହ ଉକ୍ତ ଘଟଣାକୁ ନେଇ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସୂଚନା ଅନୁଯାଇକି କିଛି ଦିନ ପୂର୍ବରୁ ବ୍ରହ୍ମବରଦା ପଠାନମହାଲାର ଦୁଇ ମହିଳାଙ୍କ ପାଖକୁ ଏକ ଫୋନ କଲ ଆସିଥିଲା । ଭୁବନେଶ୍ୱର ବିଭାଗୀୟ କାର୍ଯ୍ୟାଳୟରୁ ଅବିନାଶ ନାମକ ଏକ ବ୍ୟକ୍ତି ନିଜକୁ ଏକ ଅଧିକାରୀର ପରିଚୟ ଦେଇ ଗର୍ଭବତୀ ମହିଳା ଦ୍ୱୟଙ୍କୁ କଲ କରିଥିଲା । ଏହି ସମୟରେ ଉକ୍ତ ଅଞ୍ଚଳର ଆଶାକର୍ମୀଙ୍କୁ କନଫରେନ୍ସ କଲ କରି ସମସ୍ତ ତଥ୍ୟ ପଚାରି ବୁଝିଥିଲେ । ପରେ ମମତା ଯୋଜନାର ଟଙ୍କା ପାଇବାକୁ ହେଲେ ଏକ ଲିଙ୍କ ପଠାଇବେ ସେଥିରେ କ୍ଲିକ କଲେ ନିଜର ଲାଭାଂଶ ଟଙ୍କା ମିଳିବ ବୋଲି କହି ଦୁଇଜଣ ହିତାଧିକାରୀଙ୍କୁ ଠକିଥିଲେ । ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ପଠାନ ମହାଲାର ଦୁଇ ହିତାଧିକାରୀଙ୍କ ଆକାଉଣ୍ଟରୁ ଗତ ୫ ତାରିଖରରେ ୧୦ହଜାର ଓ ୫ ହଜାର କରି ମୋଟ୧୫ ହଜାର ଟଙ୍କା ଲୁଟି ନେଇଥିଲେ । ଉକ୍ତ ଘଟଣାରେ ବ୍ରହ୍ମବରଦା ଥାନା ଓ ଶିଶୁ ବିକାଶ ପ୍ରକଳ୍ପର ନୀରବତା ପରେ ସାମାଜିକ କର୍ମୀ ମଂଟୁ ଦାସ ଯାଜପୁର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗର ଗୁରୁତ୍ୱକୁ ଉପଲବ୍ଧି କରି ଜିଲ୍ଲାପାଳ ପି.ଅନ୍ୱେଷା ରେଡୀ ଯାଜପୁର ଏସପି ଓ ସିଡିଏମଓଙ୍କୁ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ନିଦେ୍ର୍ଦଶ ଦେଇଛନ୍ତି ।