ଆରମ୍ଭରୁ ଦୁର୍ନୀତିିିର ଗନ୍ଧ : ବ୍ରାହ୍ମଣୀ ନଦୀବନ୍ଧ କାର୍ଯ୍ୟକୁ ବିରୋଧ
ବ୍ରହ୍ମବରଦା: ସରକାର ରାଜକୋଷରୁ ବ୍ରାହ୍ମଣୀ ନଦୀବନ୍ଧର ଉଭୟପାର୍ଶ୍ୱ ରାସ୍ତାକୁ ଉନ୍ନତୀକରଣ ପାଇଁ କୋଟି କୋଟି ଟଙ୍କା ବରାଦ କରିଛନ୍ତି । ହେଲେ ବିଭାଗୀୟ ଅଧିକାରୀ ଏବଂ ଠିକାଦାର ସରକାରୀ ଅର୍ଥକୁ ଦୁର୍ନୀତି ଉପାୟରେ ଚଳୁ କରିବାକୁ ମସୁଧା କରୁଛନ୍ତି । କାର୍ଯ୍ୟ ଆରମ୍ଭରୁ ଏଭଳି ଅନୁଭବ କରିବା ପରେ ସ୍ଥାନୀୟ ଲୋକେ କାର୍ଯ୍ୟକୁ ବିରୋଧ କରିଛନ୍ତି । ଏହା ଜାରକା ଜଳସେଚନ ବିଭାଜନ ଅଧିନ ବ୍ରାହ୍ମଣୀ ନଦୀବନ୍ଧ ସମ୍ପ୍ରସାରଣ କ୍ଷେତ୍ରରେ ଦେଖିବାକୁ ମିଳିଛି । ସୂଚନାନୁଯାୟୀ ରସୁଲପୁର ବ୍ଲକ ବ୍ରହ୍ମବରଦା ବଜାରଘାଟ ବ୍ରିଜ ଠାରୁ ଧର୍ମଶାଳା ବ୍ଲକ ଦେଓଦା ପଂଚାୟତ ବାସୁଦେବପୁର ଗ୍ରାମ ପର୍ଯ୍ୟନ୍ତ ବ୍ରାହ୍ମଣୀ ନଦୀର ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ହୋଇଛି । କିନ୍ତୁ ଘରେ ପଶୁ ମୁଣ୍ଡରେ ଚାଳ ବାଜିବା ସଦୃଶ ନିର୍ମାଣ କାର୍ଯ୍ୟ ଆରମ୍ଭରୁ ଦୁର୍ନୀତିର ଗନ୍ଧ ବାରିଥିବା ସ୍ଥାନୀୟ ଲୋକେ କାର୍ଯ୍ୟକୁ ନେଇ ପ୍ରତିବାଦ କରିବା ସହ ଅଧିକାରୀ ଓ ଠିକାଦାରଙ୍କ ଆଡ଼କୁ ଅଙ୍ଗୁଳି ଉଠାଇଛନ୍ତି । ଅନ୍ୟପକ୍ଷରେ ସ୍ଥାନୀୟ ଲୋକେ ଯେଉଁ କଥା ଉଠାଇଛନ୍ତି ତାହା ଅଯୁକ୍ତିକର ବୋଲି କୁହାଯାଇପାରିବନି । ସଂପୃକ୍ତ ନଦୀବନ୍ଧ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଠିକାଦାର କିନ୍ତୁ ସୂଚନା ଫଳକ ଲଗାଇବାକୁ ଉଚିତ ମଣି ନାହାନ୍ତି । ଏପରିକି ବିଭାଗୀୟ ଅଧିକାରୀ ମଧ୍ୟ ଏହାକୁ ନେଇ ଠିକାଦାରଙ୍କୁ ତାଗିଦା କରିବାକୁ ଇଛା କରି ନାହାନ୍ତି । ବିନା ସୂଚନା ଫଳକ ଓ କାର୍ଯ୍ୟର ସମ୍ପୂର୍ଣ୍ଣ ବିବରଣୀ ବିନା ନଦୀବନ୍ଧ ରାସ୍ତା କାମ ଆରମ୍ଭ କରାଯାଇଥିବା ବେଳେ ଠିକାଦାର ପୂର୍ବରୁ ନଦୀ ବନ୍ଧରେ ବ୍ୟବହୃତ ହୋଇଥିବା ଗୋଡି, ପଥର, ମେଂଟାଲ ଆଦିକୁ ମେସିନ ସାହାଯ୍ୟରେ ଟ୍ରାକ୍ଟର ଲଗାଇ ଅନ୍ୟତ୍ର ସ୍ଥାନାନ୍ତରଣ କରାଯିବା ଘଟଣା ମଧ୍ୟ ଏବେ ସନେ୍ଦହ ପ୍ରକାଶ ପାଇଛଇ । ରାସ୍ତା କାର୍ଯ୍ୟର ସରକାରୀ ଅନୁଦାନ, ଏହାର ଅବଧି ଓ ସବିଶେଷ ବିବରଣୀ ବିଷୟରେ ଜାଣିବାରୁ ବଞ୍ଚିତ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଣୁ ଉକ୍ତ ନଦୀବନ୍ଧ ରାସ୍ତା କାମ ଆରମ୍ଭରୁ ହିଁ ଦୁର୍ନୀତିର ଗନ୍ଧ ବାରିହୋଇପଡିଛି ବୋଲି ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି । ଅଭିଯୋଗ ସମ୍ପର୍କରେ ଜାଣିବାକୁ ଜାରକା ଜଳସେଚନ ବିଭାଜନ ଅଧିକ୍ଷଣ ଯନ୍ତ୍ରୀ କାମଦେବ ଦାସଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ ।