ସର୍ବେଶ୍ୱର ଉଭାନ; ବିଦ୍ରୋହ ଅପେକ୍ଷାରେ ଲିକୁ

ସର୍ବେଶ୍ୱର ଉଭାନ; ବିଦ୍ରୋହ ଅପେକ୍ଷାରେ  ଲିକୁ

ନିର୍ବାଚନ ସମୟର କୁହ କି ପରେ କୁହ ଯାଜପୁର ଜିଲାର ଧର୍ମଶାଳା ଏକ ଚର୍ଚ୍ଚିର୍ତ ନାଁ ହୋଇଯାଇଛି । କଳାପଥର ଲୁଟପାଟ ହେଉ କି ଜମି କେଳେଙ୍କାରୀ ବା ବିଭିନ୍ନ ସରକାରୀ ଯୋଜନାରେ ଆଖିବୁଝା ଦୁର୍ନୀତି ଧର୍ମଶାଳାକୁ ଜିଲାରୁ ନେଇ ରାଜ୍ୟରେ ଚର୍ଚ୍ଚିତ କରିଛି । ଯଦି ରାଜନୈତିକ ଦିଗକୁ ଦେଖିବା ଧର୍ମଶାଳା ବି ଚର୍ଚ୍ଚାର ପରିସରକୁ ଆସିଛି । ଯେହେତୁ ମୁଣ୍ଡ ଉପରେ ନିର୍ବାଚନ, ତେବେ ରାଜନୀତିକୁ ଧର୍ମଶାଳା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଛି । ଚର୍ଚ୍ଚା ବିଜେପି ପ୍ରାର୍ଥୀ ଚୟନକୁ ନେଇ ହୋଇଥିବା ବେଳେ ଯାହାର ଯବନିକା ଭୋଟ ଗଣତି ପରେ ହିଁ ପଡ଼ିବ ବୋଲି ପାଣିପାଗକୁ ଦେଖିଲେ ଜଣାପଡ଼ିଯାଉଛି । ବିଜେଡ଼ିର ଗଡ଼ ହେଉଛି ଧର୍ମଶାଳା । ଯେଉଁଠି ବିରୋଧୀ ମୁଣ୍ଡ ଟେକିବାଟା ସହଜ ହେଇପାରୁନି । ବିଭିନ୍ନ ରଣକୌଶଳ କରି ଶାସକ ବିଜୁ ଜନତା ଦଳର ବିଧାୟକ ପ୍ରଣବ ବଳବନ୍ତରାୟ ଗଲା ଦୁଇଟି ନିର୍ବାଚନରେ ବିରୋଧୀଙ୍କୁ ପାଣି ପିଆଇ ପାରିଥିବା ବେଳେ ୨୪ ନିର୍ବାଚନରେ  ହ୍ୟାଟି୍ରକ ବିଜୟ ହାସଲ ଲକ୍ଷ୍ୟ ସାଧନ ପାଇଁ ଗୋଟି ଚାଳନା କରିଛନ୍ତି । ଯେଉଁ ଗୋଟି ଚାଳନା କ୍ରମେ ମଇଦାନରେ ଦଳୀୟ କାର୍ଯ୍ୟକର୍ତ୍ତା, ପଞ୍ଚାୟତ ପ୍ରତିନିଧିଙ୍କୁ ପରିଚାଳନା ଭାର ଟେକି ଦେଇ ପର୍ଯ୍ୟବେକ୍ଷକ ଥିବା କଳାହାଣ୍ଡିରେ ଡ଼ୋରା ପକାଇଛନ୍ତି । ଆଉ ଏସବୁ ସମ୍ଭବ ବିଜେପି ସ୍ମୃତିରେଖା ପହିଙ୍କୁ ପ୍ରାର୍ଥୀ କରିବା କାରଣରୁ ସମ୍ଭବପର ହୋଇପାରିଛି ବୋଲି ବିରୋଧୀ ଏବଂ ରାଜନୈତିକ ସମାଲୋଚକ ମହଲରେ ଆଲୋଚନା ହେଉଛି । ୨୦୧୪ ଏବଂ ୨୦୧୯ରେ ପ୍ରତିପକ୍ଷଙ୍କୁ ଅଧ ଲକ୍ଷେରୁ ଅଧିକ ଭୋଟ ବ୍ୟବଧାନରେ ହରାଇ ରେକର୍ଡ଼ କରିିଥିବା ପ୍ରଣବ ବଳବନ୍ତରାୟ ବା ଜିତୁଙ୍କ ଗାଦି ଟଳମଳ କରିବାକୁ ମନ ବଳାଇଥିବା ବିଜେପିର ସର୍ବେଶ୍ୱର ବେହୁରାଙ୍କୁ ବିଜେପି ନିରାଶ କରିବା ପରେ ସେ ଧର୍ମଶାଳାରୁ ଏକପ୍ରକାର ଉଭାନ ହୋଇଯାଇଛନ୍ତି । ଧର୍ମଶାଳାରୁ ବିଜେପି ଟିକେଟ ଦୌଡ଼ରେ ରହି ନିରାଶ ହୋଇଥିବା ସର୍ବେଶ୍ୱରଙ୍କୁ ଗଲା କିଛି ଦିନ ହେଲା ଖୋଜିଲେ ମିଳୁନଥିବା ବେଳେ ମୋବାଇଲକୁ ନଟ୍ରିଚେବୁଲ କରି ରଖିଛନ୍ତି । ଯାହା ଫଳରେ ସେ ରାଜନୈତିକ ମଇଦାନରେ ଅବତୀର୍ଣ୍ଣ ହେବେ କି ନାହିଁ, ତାହା ସ୍ପଷ୍ଟ ହୋଇପାରୁନି । କିନ୍ତୁ ତାଙ୍କର କିଛି ଖାସ୍ ସମର୍ଥକ ସର୍ବେଶ୍ୱରଙ୍କୁ ଦଳ ଉପେକ୍ଷା କରିଥିବାରୁ ସେ ନିର୍ବାଚନ ଲଢିବେନି ବୋଲି ସ୍ପଷ୍ଟ କରିଛନ୍ତି । ସୂଚନା କର୍ମୀଭାବେ ପରିଚିତ ସର୍ବେଶ୍ୱର ଧର୍ମଶାଳାରେ କୋଟି କୋଟି ଟଙ୍କାର କଳାପଥର ଲୁଟ୍ କଥା ହେଉ କି ପାନୀୟ ଜଳ, ରାସନ, ଆବାସ ରାସ୍ତା ଆଦି କ୍ଷେତ୍ରରେ ବ୍ୟାପକ ଟଙ୍କା ହରିଲୁଟ ଅଭିଯୋଗ ଆଣି ଶାସକ ଦଳ ସହ ବିଧାୟକଙ୍କୁ ଘେରି ଆସିଛନ୍ତି । ବ୍ୟାପକ ଦୁର୍ନୀତିର ଭଣ୍ଡାର ରଖିଥିବା ସର୍ବେଶ୍ୱର ବିଜେପିରୁ ନିରାଶ ପରେ ହଠାତ୍ ଉଭାନ ହୋଇଯିବା ଘଟଣା ଧର୍ମଶାଳାରେ ଆଲୋଚନାର ବିଷୟ ହୋଇପଡ଼ିଛିା ଅନ୍ୟପକ୍ଷରେ ଟିକେଟ ଆଶାରେ ରହି ନିରାଶ ହୋଇଥିବା ଲିକୁ ବିଜେପି ବିରୁଦ୍ଧରେ ବିଦ୍ରୋହ ଅପେକ୍ଷାରେ ରହିଛନ୍ତି । ଦଳ ପକ୍ଷରୁ ସ୍ମୃତିରେଖା ପହିଙ୍କ ନାଁ ଘୋଷଣା ପରେ ଲିକୁଙ୍କ ସମର୍ଥକ ବିଜେପି ରାଜ୍ୟ କାର୍ଯ୍ୟାଳୟ ଘେରାଉ କରିବା ହେଉ କି ଲିକୁ ଧର୍ମଶାଳାରେ ଶକ୍ତି ପ୍ରଦର୍ଶନ ରାଜ୍ୟ ନେତୃତ୍ୱଙ୍କ ଉପରେ କୌଣସି ପ୍ରଭାବ ପକାଇପାରିନି । ଏପରି ସ୍ଥଳେ ସେ ଦଳ ନିଷ୍ପତ୍ତି ବିରୁଦ୍ଧରେ ବିଦ୍ରୋହି ପ୍ରାର୍ଥୀ ହେବାକୁ ସଜ ହେଉଛନ୍ତି । ଯାହା ବିଜେଡ଼ି ବିଧାୟକ ପ୍ରାର୍ଥୀ ଜିତୁଙ୍କୁ ଆଶ୍ୱସ୍ଥ କରିଛିା ଧର୍ମଶାଳାରେ ବଳ ଦେଖାଇବାକୁ ସମର୍ଥ ହୋଇଥିବା ବିଜେପି ତିନିଭାଗରେ ବିଭକ୍ତ ହୋଇଯାଇଥିବାରୁ ଜିତୁ ସ୍ମୃତିରେଖା ତାଙ୍କ ବିଜୟ ପଥରେ ପ୍ରତିବନ୍ଧକ ହୋଇପାରିବେନି ବୋଲି ଧରି ନେଇଛନ୍ତି । ଯେଉଁଥି ପାଇଁ ଜିତୁ ଧର୍ମଶାଳାରେ କମ କଳାହାଣ୍ଡିରେ ଅଧିକ ସମୟ କାଟୁଛନ୍ତି । କଳାହାଣ୍ଡିରେ କିଭଳି ବିଜେଡ଼ିକୁ ବିଜୟ ଦେବେ, ସେଥି ନେଇ ରଣନୀତି ପ୍ରସ୍ତୁତ କରିବା ହେଉ କି ମିଶ୍ରଣ ପର୍ବରେ ମାତିଛନ୍ତି । ଧର୍ମଶାଳାରେ କଂଗ୍ରେସ ସୁଧୁରିବା ଅବସ୍ଥାରେ ନଥିବା ବେଳେ ବିଜେପି ହିଁ ବିଜେଡ଼ିର ବିକଳ୍ପ ହୋଇପାରିବ ବୋଲି ଭୋଟର ଧରି ନେଇଥିଲେ । ଆଉ ଲିକୁ ହିଁ ଜିତୁଙ୍କ ଗଡ଼କୁ ଦୋହଲାଇ ପାରିବେ ବୋଲି ପରିସ୍ଥିତି ସୃଷ୍ଟି କରିଥିଲେ । ହେଲେ ଦଳ ପହିଙ୍କ ଉପରେ ଭରସା କଲା । ୨୦୧୯ନିର୍ବାଚନରେ ହାତ ଚିହ୍ନରୁ ଲଢି ସ୍ମୃତିରେଖା ୧୮୫୮୮ ଭୋଟ ପାଇଥିଲେ । ଉକ୍ତ ନିର୍ବାଚନରେ ବିଜେପିରୁ ଲଢୁଥିବା ରମେଶ ପରିଡ଼ା ୪୮୬୨୫ ଭୋଟ ପାଇଥିଲେ । ବିଜେଡ଼ିର ଜିତୁ ୧୦୧୩୬୪ ଭୋଟ ପାଇ ଅଧଲକ୍ଷରୁ ଅଧିକ ଭୋଟରେ ଜିତିଥିଲୋ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ ପହି । ଆଉ ପଞ୍ଚାୟତ ନିର୍ବାଚନରେ ଧର୍ମଶାଳାବାସୀ ୬୦ହଜାରରୁ ଅଧିକ ଭୋଟ ଦେଇଥିଲେ । ପଞ୍ଚାୟତ ନିର୍ବାଚନରେ ବିଜେପିର ଭୋଟ ହାର ବଢିବା ପହିଙ୍କୁ ଉତ୍ସାହିତ କରିଥିଲା । କିନ୍ତୁ ଯଦି ଦେଖିବା ବିଧାନସଭାରେ ବିଜେଡ଼ି ଯେତିକି ଭୋଟ ପାଇଥିଲା ପଞ୍ଚାୟତ ନିର୍ବାଚନରେ ତା ଠାରୁ ୧୭ହଜାର ଭୋଟ ଅଧିକ ହତେଇଥିଲା । ପଞ୍ଚାୟତ ନିର୍ବାଚନରେ ବିଜେପିକୁ ମିଳିଥିବା ଭୋଟ  ତାଙ୍କ ମେହେନତିର ବୋଲି ଦର୍ଶାଇ ପହି ଟିକେଟ ହାତେଇଥିଲେ ହେଁ ନିର୍ବାଚନ ପ୍ରଚାରକୁ ଗଲା ବେଳେ ବିଭିନ୍ନ ସ୍ଥାନରେ ଦଳୀୟ କର୍ମୀଙ୍କ ବିରୋଧର ସମ୍ମୁଖିନ ହେଉଛନ୍ତି । ଯାହା ବିଜେଡ଼ିକୁ ସୁହାଇବା ପରି ହୋଇଛିା ଲିକୁଙ୍କ ବିଦ୍ରୋହ ପହିଙ୍କ ପାଇଁ କଣ୍ଟା ହେବାକୁ ଯାଉଥିବାରୁ ପଞ୍ଚାୟତ ନିର୍ବାଚନରେ ବିଜେପି ଯେତିକି ଭୋଟ ପାଇଥିଲା, ତାହା ବଳବତ୍ତର ରହିବକି ନାହିଁ ତାହା ସାଧାରଣରେ ସନେ୍ଦହ ସୃଷ୍ଟି କରିଛି ।