ନିର୍ବାଚନୀ ଇତିହାସରେ କଳାହାଣ୍ଡି ରାଜନୀତି

ଭୁବନେଶ୍ୱର : ସାଧାରଣ ନିର୍ବାଚନ ପାଇଁ ମଇଦାନ ସରଗରମ ହୋଇଗଲାଣି । ରାଜନୀତିକ ମାହୋଲକୁ ନେଇ ଜୋରଦାର ଚର୍ଚ୍ଚା ବି ଆରମ୍ଭ ହୋଇଗଲାଣି । ଏଥର ଆମେ କଳାହାଣ୍ଡି ଲୋକସଭା ଆସନ ସଂକ୍ରାନ୍ତରେ ଆଲୋଚନା କରିବା । କିଏ କେତେଥର ମାରିଛି ବାଜି, କାହାର ଥିଲା ଗଡ଼, କେଉଁ ପରିବାର ରହିଛି ଦବଦବା ଆଦି ତମାମ ଦିଗ ଉପରେ ଆମେ ଆଲୋକପାତ କରିଛୁ । ନୂଆପଡ଼ା, ଖରିଆର, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା ଓ ନର୍ଲା ବିଧାନସଭା ନିର୍ବାଚନମଣ୍ଡଳୀକୁ ନେଇ କଳାହାଣ୍ଡି ଲୋକସଭା ନିର୍ବାଚନମଣ୍ଡଳୀ ଗଠିତ ହୋଇଛି । ପ୍ରଥମ ସାଧାରଣ ନିର୍ବାଚନରେ ବାଜିମାତ କରି ଗିରିଧର ଭୋଇ ପ୍ରଥମ ସାଂସଦ ହେବାର ସୌଭାଗ୍ୟ ପାଇଥିଲେ । ୧୯୫୭ରେ କଳାହାଣ୍ଡି ରାଜନୀତିରେ ପ୍ରତାପ କେଶରୀ ଦେଓଙ୍କ ପତିଆରା ଆରମ୍ଭ ହୋଇଥିଲା । ୧୯୫୭ରେ ସେ ଗଣତନ୍ତ୍ର ପରିଷଦ ଟିକେଟରେ ବିଜୟୀ ହୋଇଥିଲେ । ୧୯୬୨, ୧୯୬୭ ଓ ୧୯୭୧ରେ ପ୍ରତାପ ଦେଓ ସ୍ୱତନ୍ତ୍ର ପାର୍ଟିରୁ ବିଜୟ ଲାଭ କରିଥିଲେ । ତେବେ ୧୯୭୭ରେ ସ୍ୱାଧୀନ ଭାବେ ଲଢ଼ି ନିଜ ଲୋକପ୍ରିୟତାର ପ୍ରମାଣ ଦେଖାଇଥିଲେ । ସେହି ନିର୍ବାଚନରେ ଜିଣି ସେ ଲଗାତର ୫ଥର ସାଂସଦ ହେବାର ଗୌରବ ଅର୍ଜନ କରିଥିଲେ । ଏଯାବତ କଳାହାଣ୍ଡିରେ ତାଙ୍କର ରେକର୍ଡ଼ କେହି ଭାବି ପାରିନାହାନ୍ତି । ୧୯୮୦ ଦଶକରେ କଳାହାଣ୍ଡିରେ କଂଗ୍ରେସ ଦବଦବା ଜାହିର କରିଥିଲା । ୧୯୮୦ରେ ରାସ ବିହାରୀ ବେହେରା ଓ ୧୯୮୪ରେ ଜଗନ୍ନାଥ ପଟ୍ଟନାୟକ ବିଜୟୀ ହୋଇଥିଲେ । ୧୯୮୯ରେ ପ୍ରଥମ ଥର ପାଇଁ ଲୋକସଭାକୁ ଯାଇଥିଲେ ଭକ୍ତଚରଣ ଦାସ । ଜନତା ଦଳ ନେତା ଭାବେ ତାଙ୍କର ବେଶ ଲୋକପ୍ରିୟତା ଥିଲା । ୧୯୯୬ରେ ଭକ୍ତ ଦାସ ସମାଜବାଦୀ ଜନତା ପାର୍ଟିରୁ ବିଜୟୀ ହୋଇଥିବାବେଳେ ୨୦୦୯ରେ କଂଗ୍ରେସ ଟିକେଟରେ ସାଂସଦ ହୋଇଥିଲେ । ୧୯୯୧ରେ କଳାହାଣ୍ଡିର ସାଂସଦ ହୋଇଥିଲେ ସୁବାସ ଚନ୍ଦ୍ର ନାୟକ । ୧୯୯୮ରେ କଳାହାଣ୍ଡି ରାଜନୀତିରେ ବିଜେପି ପତିଆରା ଜାହିର କରିଥିଲା । ବିଜେଡ଼ି ଓ ବିଜେପି ମେଂଟ ଯୋଗୁଁ ବିକ୍ରମ କେଶରୀ ଦେଓ ୧୯୯୯, ୧୯୯୯ ଓ ୨୦୦୪ରେ ବିଜୟୀ ହୋଇଥିଲେ । ୨୦୧୪ରେ ବିଜେଡ଼ି ପ୍ରଥମ ଥର ପାଇଁ କଳାହାଣ୍ଡିରେ ବାଜି ମାରିଥିଲା । ରାଜ ପରିବାରର ତୃତୀୟ ପୀଢ଼ି ନେତା ଭାବେ ଅର୍କ କେଶରୀ ଦେଓ କଳାହାଣ୍ଡିରୁ ସାଂସଦ ହୋଇଥିଲେ । ତେବେ ୨୦୧୯ରେ ବିଜେଡ଼ି ଓ କଂଗ୍ରେସକୁ ପଛରେ ପକାଇ ବିଜେପି ନେତା ବସନ୍ତ ପଣ୍ଡା ସାଂସଦ ହୋଇପାରିଥିଲେ । ମୋଟାମୋଟି ଭାବେ ଦେଖିଲେ କଳାହାଣ୍ଡି ରାଜନୀତିରେ ରାଜ ପରିବାର ବେଶ ଦବଦବା ଜାହିର କରି ଆସିଛନ୍ତି । ପ୍ରତାପ କେଶରୀ ଦେଓ ୫ଥର ସାଂସଦ ହୋଇଥିବାବେଳେ ତାଙ୍କ ପୁଅ ବିକ୍ରମ କେଶରୀ ଦେଓ ୩ ଥର ସାଂସଦ ହୋଇଥିଲେ । ସେହିପରି ବିକ୍ରମଙ୍କ ପୁଅ ଅର୍କକେଶରୀ ମଧ୍ୟ ଥରେ ସାଂସଦ ହୋଇଛନ୍ତି ।