କାହାକୁ ମିଳିବ ‘ସୁଭଦ୍ରା’, କିଏ ହେବେ ଲକ୍ଷପତି ?
Subhadra and Lakhyapati Didi, BJD-BJP

ଭୁବନେଶ୍ୱର : କାହାକୁ ମିଳିବ ସୁଭଦ୍ରା ଯୋଜନା । କେଉଁ ମହିଳାଙ୍କୁ ଦିଆଯିବ ଅଗ୍ରାଧିକାର ? ୨ ବର୍ଷରେ ୫୦ ହଜାର ପାଇବେ କିଏ ? କିଏ ହେବେ ଲକ୍ଷପତି ଦିଦି ? ଏନେଇ ଏବେ ଗାଁରେ ଜୋରଦାର ଚର୍ଚ୍ଚା ଚାଲିଛି । ଲକ୍ଷପତି ଦିଦି ଓ ସୁଭଦ୍ରା ଯୋଜନା ଫାଇଦା ନେବାପାଇଁ ବିଜେଡ଼ି ଓ ବିଜେପି କର୍ମୀମାନେ ଉତ୍ସାହିତ ହୋଇପଡ଼ିଛନ୍ତି । ଗୋଟିଏ ପଟେ ସରକାର ଆସିଥିବାରୁ ବିଜେପି କର୍ମୀମାନେ ଏସବୁ ଯୋଜନାରେ ବେଶୀ ଫାଇଦା ପାଇବେ ବୋଲି କୁହାଯାଉଛି । ସେପଟେ ଗାଁ ଗାଁରେ ବିଜେଡ଼ି ସରପଞ୍ଚ ଓ ବ୍ଳକ ଅଧ୍ୟକ୍ଷ ଥିବାରୁ ବିଜେଡ଼ି କର୍ମୀମାନେ ନିଜ ଦଳୀୟ ସହଯୋଗୀଙ୍କୁ ଯୋଜନାର ହିତାଧିକାରୀ କରିବାକୁ ଯୋଜନା କରିଛନ୍ତି । ଏହାକୁ ନେଇ ଗାଁ ରାଜନୀତି ସରଗରମ ହେବାରେ ଲାଗିଛି । ଯୋଜନାର ରୂପରେଖ ଘୋଷଣା ପରେ ବିଡ଼ିଓମାନେ ନାକେଦମ ହେବା ନିଶ୍ଚିତ । ତେବେ ମିଳିଥିବା ସୂଚନା ଅନୁଯାୟୀ ସୁଭଦ୍ରା ଯୋଜନା ଓ ଲକ୍ଷପତି ଦିଦିର ପାୱାର ପଞ୍ଚାୟତକୁ ମିଳିବ ନାହିଁ । ଅର୍ଥାତ୍ ସରପଞ୍ଚମାନେ ଏହା ଚୟନ କରିବେ ନାହିଁ । ଜିଲ୍ଲାପାଳଙ୍କ ହାତରେ ବେଶୀ କ୍ଷମତା ରହିବ । ଜିଲ୍ଲାପାଳମାନେ ସ୍ଥାନୀୟ ବିଜେପି ନେତାଙ୍କୁ ହିଁ ଅଧିକ ଗୁରୁତ୍ୱ ଦେବେ । ସେହିପରି ବିଜେପି ବିଧାୟକମାନଙ୍କୁ ମଧ୍ୟ ଏଥିପାଇଁ ବେଶୀ କ୍ଷମତା ଦିଆଯିବ ବୋଲି ଜାଣିବାକୁ ମିଳିଛି । ଅଲିଖିତ ଭାବେ ଜିଲ୍ଲାପାଳଙ୍କୁ ଏଭଳି ନିର୍ଦ୍ଦେଶ ଦିଆଯିବ ।