ସହରବାସୀଙ୍କ ସୁରକ୍ଷା ନେଇ ଚିନ୍ତାରେ ପୁଲିସ
ପିସିଆର କର୍ମଚାରୀଙ୍କ ପ୍ରତିକ୍ରିୟା ସମୟ ଯାଞ୍ଚ କଲେ ଅତିରିକ୍ତ ସିପି
ଭୁବନେଶ୍ୱର,୨୦ା୧: ଦିନକୁ ଦିନ ରାଜଧାନୀରେ ଅପରାଧ, ନିଶା କାରବାର, ହତ୍ୟା, ଲୁଟ୍, ଡକାୟତି, କୁକର୍ମ, ଅସମାଜିକ ଖଟି ସହ ଲୋକାଲ ଦାଦାଙ୍କ ପାଦ୍ରୁଭାବକୁ ନେଇ ଚିନ୍ତାରେ କମିଶନରେଟ୍ ପୁଲିସ । ଯାହାକୁ ନେଇ ରାଜଧାନୀବାସୀଙ୍କ ସୁରକ୍ଷା ଲାଗି କମିଶନରେଟ ପୁଲିସ ଏବେ ଚିନ୍ତାରେ ପଡ଼ିଯାଇଛି । ଏହାର କାରଣ ପ୍ରାୟ ସମୟ ରାଜଧାନୀରେ ଅପରାଧୀ, ନିଶାଡି, ନିଶା ବେପାରୀ, ଲୋକାଲ ଦାଦା ଓ ଅସମାଜିକ ଯୁବକ ମାନେ ବିଭିନ୍ନ ଥାନାର ପିସିଆର ଡ୍ରାଇଭର ମାନଙ୍କୁ ହାତଗୁଞ୍ଜା ଦେଇ ଅପରାଧ ଘଟାଇ ଘଟଣା ସ୍ଥଳରୁ ଫେରାର ହୋଇଯାଉଛନ୍ତି । ଯାହାକୁ ନେଇ ସ୍ଥାନୀୟ ଥାନାରେ ଅଭିଯୋଗ ହେଲେ ତାହା କାଗଜ କଲମରେ ନିମିତ ରହିଯାଉଛି । ଏଭଳି ଘଟଣା ପ୍ରାୟ ସମୟ ରାଜଧାନୀରେ ଦେଖାଯିବା ଦ୍ୱାରା ଅପରାଧୀମାନେ ଖୁଲମଖୁଲା ପୁଲିସକୁ ଚ୍ୟାଲେଞ୍ଚ ଦେଇ ଅପରାଧ ଘଟାଉଛନ୍ତି । ଫଳରେ ସାଧାରଣ ଲୋକଟି ଆକ୍ରମଣର ଶିକାର ହେବା ସହ ପୁଲିସ ଠାରୁ ନ୍ୟାୟ ପାଇବାରେ ବଞ୍ଚିତ ହେଉଛି ।
ଏହାକୁ ଦୃଷ୍ଟିରେ ରଖି ସୋମବାର ଅତିରିକ୍ତ ପୁଲିସ କମିଶନର ଉମାଶଙ୍କର ଦାଶ ହଠାତ ସନ୍ଧ୍ୟାରେ ଟ୍ରାଫିକ ଥାନା ୧ରେ ପହଞ୍ଚି ପିସିଆର କର୍ମଚାରୀମାନେ କୌଣସି ଖବର ପାଇବା ପରେ କେତେ ସମୟ ମଧ୍ୟରେ ପ୍ରତିକ୍ରିୟା ଦେଉଛନ୍ତି ତାହାର ତଦାରଖ କରିଥିଲେ । ଏହିକ୍ରମରେ ଅତିରିକ୍ତ ପୁଲିସ କମିଶନରଙ୍କ ଗ୍ରୁପ କଲ ହେବାର ମାତ୍ର ୫ରୁ ୧୨ ମିନିଟ ମଧ୍ୟରେ କ୍ୟାପିଟାଲ, ଖାରବେଳନଗର ଏହାର ଆଖାପାଖ ଅଞ୍ଚଳରେ ଥିବା ୭ଟି ପିସିଆର ତୁରନ୍ତ ଟ୍ରାଫିକ ଥାନାରେ ପହଞ୍ଚି ବରିଷ୍ଠ ଅଧିକାରୀଙ୍କୁ ରିପୋର୍ଟ ତଲବ କରିଥିଲେ । ପରେ ଅତିରିକ୍ତ ପୁଲିସ କମିଶନର ଶ୍ରୀ ଦାଶ ପିସିଆର ଗାଡ଼ିରେ ଯେଉଁ ସବୁ କିଟ ରହିବା କଥା ତାହା ରହିଛି କି ନାହିଁ ଯାଞ୍ଚ କରିବା ସହ ପିସିଆର କର୍ମଚାରୀମାନେ କୌଣସି ସୂଚନା ପାଇଲେ ସେମାନଙ୍କର ପ୍ରତିକ୍ରିୟା କିପରି ଅଭିଯୋଗକାରୀଙ୍କ ପ୍ରତି ରହିବ ସେ ନେଇ ବରିଷ୍ଠ ପୁଲିସ ଅଧିକାରୀ ସେମାନଙ୍କୁ ବୁଝାଇଥିଲେ । ଏନେଇ ପ୍ରତିକ୍ରିୟା ଦେଇ ଶ୍ରୀ ଦାଶ କହିଛନ୍ତି ଯେ, ବହୁ ସମୟରେ ପିସିଆର କର୍ମଚାରୀମାନେ ନିଜ କାର୍ଯ୍ୟରେ ଢ଼ିଲା ମାରିଥାନ୍ତି, ଏହାକୁ ଦୃଷ୍ଟିରେ ରଖି ମୁଁ ଏହି ଅଚାନକ ଯାଞ୍ଚ କରିଥିଲି । ଏହା ନିୟମିତ ବ୍ୟବଧାନରେ କରିବା ଉଚିତ । ଯାହାକୁ କମିଶନରେଟ ପୁଲିସର ବରିଷ୍ଠ ଅଧିକାରୀମାନେ ନିୟମିତ କରୁଥିବା ଶ୍ରୀ ଦାଶ ସୂଚନା ଦେଇଛନ୍ତି ।