୧୩୦ କେଜି ଗଞ୍ଜେଇ ଜବତ ଘଟଣା : ୨ ଦିନିଆ ରିମାଣ୍ଡରେ ୫ ଗଞ୍ଜେଇ ବେପାରୀ
ଭୁବନେଶ୍ୱର, ୧୩ ।୯ : ଗତମାସ ୩୧ ତାରିଖରେ କନ୍ଧମାଳରୁ ଗଞ୍ଜେଇ ଆଣି କଲିକତା ଚାଲାଣ କରୁଥିବା ପୁଷ୍ପକ ଶ୍ରୀଚନ୍ଦନ ଗ୍ୟାଙ୍ଗ୍କୁ ଲକ୍ଷ୍ମୀସାଗର ବମିଖାଲ ଅଞ୍ଚଳରୁ ଗିରଫ କରିଥିଲା କମିଶନରେଟ୍ ପୁଲିସର ସ୍ପେଶାଲ କ୍ରାଇମ୍ ୟୁନିଟ୍ ଟିମ୍ । ସେମାନଙ୍କ ଠାରୁ ଦୁଇଟି ଦାମି କାର ଓ ୧୩୦ କେଜି ଗଞ୍ଜେଇ ଜବତ କରାଯାଇଥିଲା । ଏମାନଙ୍କ ଭିତରୁ ଦୁଇ ଜଣ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଥିଲା । ଗିରଫ ୫ ଅଭିଯୁକ୍ତ ହେଲେ, ଖୋର୍ଦ୍ଧା ଜିଲ୍ଲା ଜଙ୍କିଆର ମାଷ୍ଟର ମାଇଣ୍ଡ ପୁଷ୍ପକ ଶ୍ରୀଚନ୍ଦନ ଓରଫ ଜିତୁ, ଜଙ୍କିଆର ମିଲନ ନାୟକ ଓରଫ ଲିପୁ, ଯାଜପୁର ଜିଲ୍ଲାର ଏସକେ ଜମିରୁହ୍ଲା, ପଶ୍ଚିମବଙ୍ଗର ଆଜମିର ସେଇଖା ଓ ଏସକେ ସମିର । ଗତ ଅଗଷ୍ଟ ମାସ ୩୧ ତାରିଖ ଦିନ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏମାନଙ୍କ ସହ କନ୍ଧମାଳ ଓ ପଶ୍ଚିମବଙ୍ଗର କେଉଁ ମାଫିଅମାନେ ଲିଙ୍କରେ ରହିଛନ୍ତି, ତାହାର ତଦନ୍ତ ପାଇଁ ସମସ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ଅଣିବା ପାଇଁ ପୁଲିସ କୋର୍ଟରେ ଆବେଦନ କରିଥିଲା । ହେଲେ କୋର୍ଟ ଗୁରୁବାର ଠାରୁ ଦୁଇ ଦିନ ପାଇଁ ରିମାଣ୍ଡ ମଞ୍ଜୁର କରିଛନ୍ତି । ପୁଲିସ ଗୁରୁବାର ଠାରୁ ୫ ଜଣଙ୍କୁ ରିମାଣ୍ଡରେ ଆଣି ପଚରା ଉଚରା ଚଳାଇଥିବା ବେଳେ ଶନିବାର ରିମାଣ୍ଡ ଶେଷ ପରେ ପୁଲିସ ବହୁ ତଥ୍ୟ ପାଇବା ସହ କନ୍ଧମାଳର ମାଷ୍ଟର ମାଇଣ୍ଟ ଜିତ୍ କୁମାର ନାମକ ଗଞ୍ଜେଇ ମାଫିଆର ଠିକଣା ଜାଣିବାକୁ ପାଇଛି ।
ସୂଚନା ଯୋଗ୍ୟଯେ, ଗତ ୩ ମାସ ହେବ ମାଷ୍ଟର ମାଇଣ୍ଡ ପୁଷ୍ପକ ଶ୍ରୀଚନ୍ଦନ ଗ୍ୟାଙ୍ଗ୍ ରାତାରାତି କୋଟିପତି ହେବାର ଆଶା ନେଇ ପଶ୍ଚିମବଙ୍ଗ, କନ୍ଧମାଳର ଗଞ୍ଜେଇ ମାଫିଆ ଓ ଡ଼ିଲରଙ୍କ ସହ ଯୋଗାଯୋଗ ରଖି ତାର ସହଯୋଗୀଙ୍କ ସହ ମିଶି ଓ କିଛି ଯୁବତୀଙ୍କ ଜରିଆରେ କନ୍ଧମାଳ ଫିରିଙ୍ଗିଆ ଓ ବାଲିଗୁଡ଼ାରୁ ଲକ୍ଷ ଲକ୍ଷ ଟଙ୍କାର ଗଞ୍ଜେଇ ଭୁବନେଶ୍ୱର ଆଣୁଥିଲା । ଏଭଳି ଗତ ୩ ମାସ ଭିତରେ ୧୦ ଥର ଲକ୍ଷ ଲକ୍ଷ ଟଙ୍କାର ଗଞ୍ଜେଇ ବିକ୍ରି କରି ମାଲାମାଲ ହୋଇଥିଲେ । ଏହି ଟଙ୍କାରେ ସମସ୍ତେ କଲିକତାରୁ ଯୁବତୀଙ୍କୁ ଭଡ଼ାରେ ଆଣି ହୋଟେଲରେ ରଖି ମସ୍ତି କରିବା ସହ ସେମାନଙ୍କୁ କାରରେ ବିଭିନ୍ନ ସ୍ଥାନ ବୁଲାଇ ରିଲସ କରି ବିନଦାସରେ ବୁଲୁଥିଲେ ।