ଦୁଇ ଜଣଙ୍କୁ କଟୁରୀରେ ହାଣି ଲୁଟ୍; ୩ ଗିରଫ
ଭୁବନେଶ୍ୱର, ୨୦ା୧ : ଘରକୁ ଫେରିବା ବେଳେ ଅଭିଯୋଗକାରୀଙ୍କୁ କଟୁରୀରେ ହାଣି ଟଙ୍କା, ସୁନା ଓ ସ୍କୁଟି ବାଇକ ଲୁଟ୍ । ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ସେମାନଙ୍କଠାରୁ ଏକ କଟୁରୀ, ଏକ ଲୁହାରଡ, ୨ଟି ମୋବାଇଲ ଓ ଏକ ସ୍କୁଟି ଜବତ କରାଯାଇଛି । ଗିରଫ ୨ ଅଭିଯୁକ୍ତ ହେଲେ, ୟୁନିଟ୍-୬ ପିଚୁକୁଳି ବସ୍ତିର କାହ୍ନା ସାହୁ ଓ ନବୀନ ସତପଥୀ । ଆଜି ଦୁହିଙ୍କୁ କୋର୍ଟ ଚାଲାଣ କରାଯାଇଛି । ଅନ୍ୟପଟେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ମୈତ୍ରୀବିହାର ଥାନା ପୁଲିସ । ତାଠାରୁ ଏକ ମୋବାଇଲ ଓ ଏକ ଖଣ୍ଡା ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ହେଲା, ଅସିଫ୍ ଖାଁ ।
ସୂଚନାଯୋଗ୍ୟ ଯେ, ଗତ ୨୦୨୪ ଡିସେମ୍ବର ମାସ ୧ ତାରିଖ ମଧ୍ୟରାତ୍ରି ପ୍ରାୟ ୧ଟା ୧୫ ମିନିଟରେ ଅଭିଯୋଗକାରୀ ସୁନିଲ କୁମାର ସାହୁ ତାଙ୍କର କାର୍ଯ୍ୟରୁ ଘରକୁ ସ୍କୁଟି ଯୋଗେ ଘରକୁ ଫେରୁଥିଲେ । ସେହି ସମୟରେ ଦୁଇ ଅଭିଯୁକ୍ତ ଓ ତାଙ୍କର ଜଣେ ସହଯୋଗୀ ଏକ ସ୍କୁଟି ବାଇକରେ ଘଟଣା ସ୍ଥଳକୁ ଆସି ଏକ କଟୁରୀରେ ହଠାତ ଆକ୍ରମଣ କରିଥିଲେ । ପରେ ଅଭିଯୋଗକାରୀଙ୍କ ଠାରୁ ତାଙ୍କ ମୋବାଇଲ, ବ୍ୟାଗ୍, ପର୍ସ, ସୁନା ଚେନକୁ ଲୁଟ୍ କରି ଏକାମ୍ର କାନନ ଦିଗକୁ ଚାଲିଯାଇଥିଲେ । ଏନେଇ ଅଭିଯୋଗକାରୀ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ତଦନ୍ତ ଚଳାଇଥିବା ବେଳେ ଅଭିଯୁକ୍ତ ମାନେ ଫେରାର ରହିଥିଲେ । ପରେ ନୟାପଲ୍ଲୀ ଥାନା ପୁଲିସ ମୈତ୍ରୀବିହାର ଥାନା ପୁଲିସ ଦ୍ୱାରା ଗିରଫ ହୋଇଥିବା ଜଣେ ସହଯୋଗୀ ଲୁଟେରାକୁ କାବୁ କରିବା ସହ ତାକୁ ଥାନାରେ ଅଟକ ରଖି ପଚରାଉଚରା ବେଳେ ବାକି ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ । ଫଳରେ ମୈତ୍ରୀବିହାର ଥାନା ଓ ନୟାପଲ୍ଲୀ ଥାନା ପୁଲିସ ୨ଟି ମାମଲାରେ ସମ୍ପୃକ୍ତ ରହିଥିବା ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।