ରାଜଧାନୀରେ ମାତିଛନ୍ତି ଲୁଟେରା ଗ୍ୟାଙ୍ଗ୍ ଆପାର୍ଟମେଣ୍ଟ ବି ଅସୁରକ୍ଷିତ

ରାଜଧାନୀରେ ମାତିଛନ୍ତି ଲୁଟେରା ଗ୍ୟାଙ୍ଗ୍ ଆପାର୍ଟମେଣ୍ଟ ବି ଅସୁରକ୍ଷିତ

ଭୁବନେଶ୍ୱରରୁ ଜିତେନ୍ଦ୍ର ସାହୁ :  କିଛିଦିନ ତଳେ ପାହାଳ ମେଟ୍ରୋ ସାଟେଲାଇଟ ସିଟିର ତିନି ଫ୍ଲାଟରେ ଲୁଟେରା ବୁଲାଇଥିଲେ କଳାକନା  । ପଥରଗାଡ଼ିଆ ରାଜବାଟିକା ଆପାର୍ଟମେଣ୍ଟରେ ବି ଲୁଟ ହୋଇଥିଲା  । ଗଲାକାଲି ରାତିରେ ବି ପାହାଳ ଓ ନନ୍ଦନକାନନର ଆପାର୍ଟମେଣ୍ଟରେ ଲୁଟ ହୋଇଛି  । ଗତ ୬ ମାସ ମଧ୍ୟରେ ପ୍ରାୟ ୧୦ ଆପାର୍ଟମେଣ୍ଟରେ ଲୁଟେରା ଆତଙ୍କ ଖେଳାଇ ଦେଇଛନ୍ତି  । ଏକଥା ଉଲ୍ଳେଖ କରିବାର କାରଣ ହେଉଛି, ଆପାର୍ଟମେଣ୍ଟକୁ ସବୁଠାରୁ ସୁରକ୍ଷିତ ବୋଲି କୁହାଯାଏ  । ସିକୁ୍ୟରିଟି ଗାର୍ଡ଼ ଓ ସିସିଟିଭି ଜଗିକି ବସିଥା’ନ୍ତି  । ହେଲେ ଆପାର୍ଟମେଣ୍ଟ ସୋସାଇଟର ଢିଲା ସୁରକ୍ଷା ବ୍ୟବସ୍ଥା ଓ ପୁଲିସର ଅପାରଗତା ପାଇଁ ଦିନକୁ ଦିନ ଆପାର୍ଟମେଣ୍ଟରେ ଲୁଟତରାଜ୍ ବଢ଼ିବାରେ ଲାଗିଛି  ।
ରାଜଧାନୀରେ ମାତିଛନ୍ତି ଚୋର ଓ ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗ୍  । 
ଗତ କିଛି ଦିନ ହେଲା ରାଜଧାନୀ ଓ ଉପକଣ୍ଠରୁ ବାରମ୍ବାର ଚୋରି ଓ ଲୁଟ୍ ହେଉଛି  । କିନ୍ତୁ କମିଶନରେଟ ପୁଲିସ ନା ଲୁଟେରାଙ୍କୁ ଧରିପାରୁଛି ନା ଚୋରିରେ ବ୍ରେକ୍ ଲଗାଇ ପାରୁଛି  । ଗତକାଲି ରାତିରେ ପାହାଳ ଓ ନନ୍ଦନକାନନ ଅଞ୍ଚଳର ଦୁଇ ଆପାର୍ଟମେଣ୍ଟରୁ ଚୋରି ଘଟଣା ପୁଲିସର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ଲଗାଇଛି  । ସୂଚନାଯୋଗ୍ୟଯେ, ପାହାଳ ଥାନା ଜଇପୁର ଅଞ୍ଚଳର ଶରତ ମହାନ୍ତିଙ୍କ ଘରୁ ଗୁରୁବାର ରାତିରେ ଚୋରି ହୋଇଛି  । ପରିବାର ଲୋକେ ଶୋଇଥିବା ବେଳେ ବାହାର ପଟୁ ତାଲା ପକାଇ ଲୁଟେରାମାନେ ପ୍ରାୟ ୩ ଲକ୍ଷ ଟଙ୍କାର ଗହଣା ଲୁଟି ନେଇଛନ୍ତି  । ସେହିପରି ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁର ନିକଟସ୍ଥ ଜିଡିଏସ ଟାୱାର ଆପାର୍ଟମେଣ୍ଟ ଏବଂ ସ୍ପ୍ରିଙ୍ଗ ଲିଫ ଆପାର୍ଟମେଣ୍ଟରେ ବି ଲୁଟ ହୋଇଛି  । ଦୁର୍ବୃତ୍ତ ମାନେ ରାତି ପ୍ରାୟ ୨ଟା ସମୟରେ ଏଭଳି କାଣ୍ଡ ଘଟାଇଛନ୍ତି । ଆପାର୍ଟମେଣ୍ଟର ଅଧିକାଂଶ ସିସିଟିଭି କ୍ୟାମେରା ଅଚଳ ହୋଇଯାଇଥିବାରୁ ଦୁର୍ବୃତ୍ତମାନେ ଏହାର ସୁଯୋଗ ନେଇ ଲୁଟପାଟ କରିଛନ୍ତି  । ଜିଡିଏସ ଟାୱାର ଆପାର୍ଟମେଣ୍ଟର ଫ୍ଲାଟ୍‌ ମାଲିକ ପ୍ରିୟଙ୍କା ଦାସଙ୍କ ସି-୩୦୪ ନଂ ଫ୍ଲାଟର କବାଟ ତାଡ଼ି କେହି ଦୁର୍ବୃତ୍ତ ଘର ଭିତରକୁ ପଶିଥିଲେ  । ସେହିପରି ନିକଟସ୍ଥ ସ୍ପ୍ରିଙ୍ଗ ଲିଫ୍ ଆପାର୍ଟମେଣ୍ଟର ୪୦୪ ନଂ ଫ୍ଲାଟର ମାଲିକ ପ୍ରଶାନ୍ତ କୁମାର ଜେନାଙ୍କ ଘରୁ ଦୁର୍ବୃତ୍ତ ମାନେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି । ଘର ମାଲିକ ପ୍ରଶାନ୍ତ ଅନୁଗୁଳ ଏନଟିପିସିରେ ଆଇଟି ସେକ୍ଟରରେ କାର୍ଯ୍ୟରତ ଥିବା ବେଳେ ଲୁଟ ଦିନ ରାତିରେ ସେ ତାଙ୍କ ଝିଅ ଘର ଖୋର୍ଦ୍ଧାକୁ ଯାଇଥିଲେ । ଦୁର୍ବୃତ୍ତମାନେ ଘରର କବାଟ ତାଡ଼ି ଝିଅ ପାଇଁ ରଖିଥିବା ୫ଲକ୍ଷ ଟଙ୍କାରୁ ଉର୍ଦ୍ଧ ମୂଲ୍ୟର ସୁନାଗହଣା ଲୁଟି ନେଇଥିଲେ  । ଫରେନସିକ ଟିମ ଏବଂ ଡଗ ସ୍କ୍ୱାର୍ଡଙ୍କ ସହ ନନ୍ଦନକାନନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚô ତଦନ୍ତ ଚଳାଇଛି । ଗତ କିଛିଦିନ ତଳେ କମିଶନରେଟ୍ ପୁଲିସର ସୁରକ୍ଷା ବ୍ୟବସ୍ଥାକୁ ଖୋଲା ଚାଲେଞ୍ଜ ଦେଇ ଆପାର୍ଟମେଣ୍ଟ୍ ଲୁଟେରା ଗ୍ୟାଙ୍ଗ୍ ଏକ ବଡଧରଣର ଲୁଟ୍ କରିଛନ୍ତି । ଭୁବନେଶ୍ୱର ପାହାଳା ଥାନା ଅଞ୍ଚଳର ମେଟ୍ରୋ ସାଟେଲାଇଟ ସିଟିର ତିନି ତିନିଟି ଫ୍ଲାଟରୁ ଲୁଟ୍ ହୋଇଛି । ମାତ୍ର ୪୦ ମିନିଟ୍ ମଧ୍ୟରେ ବ୍ଲକ-’ବି’ର ୩୦୩, ବ୍ଲକ-’ସି’ର ୩୦୮ ଏବଂ ବ୍ଲକ-’ଡି’ର ୩୦୮ ଫ୍ଲାଟରୁ ସୁନା ଅଳଙ୍କାର ସହ ଟଙ୍କା ଧରି ଚମ୍ପଟ ମାରିଛନ୍ତି । ସେହିପରି ଇନଫୋସିଟି ଥାନା ପଥରଗାଡିଆରେ ଥିବା ରାଜବାଟିକା ଆପାର୍ଟମେଣ୍ଟରୁ ମଧ୍ୟ ଲୁଟପାଟ ହୋଇଥିଲା । ୨୦୨୩ ଅକ୍ଟୋବର ୧୦ରେ ରାଜବାଟିକା ଆପାର୍ଟମେଣ୍ଟରୁ ଲୁଟ୍ ହୋଇଥିଲା । ଗତ ୬ ମାସ ମଧ୍ୟରେ ଭୁବନେଶ୍ୱରର ପ୍ରାୟ ୧୦ଟି ଆପାର୍ଟମେଣ୍ଟର ୨୫ଟି ଫ୍ଲାଟରୁ ଲୁଟପାଟ ହେଲାଣି । ହେଲେ ଢିଲା ପୁଲିସ ପାଟ୍ରୋଲିଂ ଓ ସୁରକ୍ଷା ବ୍ୟବସ୍ଥା ଯୋଗୁଁ ଏଭଳି ଲୁଟପାଟ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି ।