ସାଂସଦଙ୍କ ନବନିର୍ମିତ ଫ୍ଲାଟ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ 

 ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ବାବା ଖରକ ସିଂହ ମାର୍ଗରେ ସାଂସଦମାନଙ୍କ ପାଇଁ ନବନିର୍ମିତ ୧୮୪ଟି ଟାଇପ୍ - ୭ ବହୁତଳ ବିଶିଷ୍ଟ ଫ୍ଲାଟ୍ ଉଦଘାଟନ କରିଛନ୍ତି । ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସେ କିଛି ଦିନ ତଳେ କର୍ତ୍ତବ୍ୟ ପଥଠାରେ କର୍ତ୍ତବ୍ୟ ଭବନ ଭାବରେ ଜଣାଶୁଣା ସାଧାରଣ କେନ୍ଦ୍ରୀୟ ସଚିବାଳୟକୁ ଉଦଘାଟନ କରିଥିଲେ ଓ ଆଜି ତାଙ୍କୁ ସାଂସଦମାନଙ୍କ ପାଇଁ ଏକ ନବନିର୍ମିତ ଆବାସିକ କମ୍ପ୍ଲେକ୍ସ ଉଦଘାଟନ କରିବାର ସୁଯୋଗ ମିଳିଛି । ଭାରତର ଚାରୋଟି ମହାନ ନଦୀର ନାମ, ଯଥା : କୃଷ୍ଣା, ଗୋଦାବରୀ, କୋଶୀ ଏବଂ ହୁଗଳି ନାମରେ ନାମିତ ହୋଇଥିବା ଏହି କମ୍ପ୍ଲେକ୍ସର ଚାରୋଟି ଟାୱାର ସମ୍ପର୍କରେ ସେ ଉଲ୍ଲେଖ  କରି କହିଥିଲେ ଯେ ଲକ୍ଷ ଲକ୍ଷ ଲୋକଙ୍କୁ ଜୀବନ ଦେଉଥିବା ଏହି ନଦୀଗୁଡ଼ିକ ଏବେ ଜନପ୍ରତିନିଧିଙ୍କ ଜୀବନରେ ଆନନ୍ଦର ଏକ ନୂତନ ଧାରା ପ୍ରବାହିତ କରିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ନଦୀକୁ ନେଇ ନାମକରଣ ପରମ୍ପରା ଦେଶକୁ ଏକତାର ସୂତ୍ରରେ ବାନ୍ଧିଥାଏ । ନୂତନ କମ୍ପ୍ଲେକ୍ସ ଦିଲ୍ଲୀରେ ସାଂସଦମାନଙ୍କ ପାଇଁ ଜୀବନଧାରଣର ସହଜତା ବୃଦ୍ଧି କରିବ ବୋଲି ମୋଦି ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ ସମସ୍ତ ସାଂସଦଙ୍କୁ ଅଭିନନ୍ଦନ ଜଣାଇଥିଲେ ଓ ଫ୍ଲାଟ ନିର୍ମାଣରେ ସାମିଲ ହୋଇଥିବା ଯନ୍ତ୍ରୀ ଓ ଶ୍ରମଜୀବୀଙ୍କୁ ପ୍ରକଳ୍ପ ସମାପ୍ତ କରିବାରେ ସେମାନଙ୍କର ଉସôର୍ଗୀକୃତ ମନୋଭାବ ଏବଂ କଠିନ ପରିଶ୍ରମକୁ ପ୍ରଶଂସା କରିଥିଲେ ।
ଦିଲ୍ଲୀରେ ପ୍ରଥମ ଥର ପାଇଁ ନିର୍ବାଚିତ ସାଂସଦମାନଙ୍କୁ ବାସଗୃହ ମିଳିବା ନେଇ  ସେମାନେ ସାମନା କରୁଥିବା ଆହ୍ୱାନଗୁଡ଼ିକୁ ସ୍ୱୀକାର କରି ମୋଦି କହିଛନ୍ତି ଯେ, ନବନିର୍ମିତ ଫ୍ଲାଟ୍ ଗୁଡିକ ଏହି ଅସୁବିଧାକୁ ଦୂର କରିବାରେ ସାହାଯ୍ୟ କରିବ । ୧୮୦ ରୁ ଅଧିକ ସାଂସଦ ଏହି ବହୁତଳ ବିଶିଷ୍ଟ କୋଠାରେ ଏକାଠି ରହିବେ ଏବଂ ସେ ମଧ୍ୟ ନୂତନ ଗୃହ ନିର୍ମାଣ ପଦକ୍ଷେପର ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ ଦିଗକୁ ରେଖାଙ୍କିତ କରିଥିଲେ । ଦେଶ ଏହାର ସାଂସଦମାନଙ୍କ ପାଇଁ ନୂତନ ଗୃହ ନିର୍ମାଣ କରିବା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ୪ କୋଟି ଗରିବ ପରିବାର ପାଇଁ ଗୃହ ମାଲିକାନା ସୁବିଧା ମଧ୍ୟ ଯୋଗାଇ ଦେଉଛି । ଦେଶ ଏକ ନୂତନ ସଂସଦ ଭବନ ନିର୍ମାଣ କରୁଥିବା ବେଳେ ଏହା ଶହ ଶହ ନୂତନ ମେଡିକାଲ କଲେଜ ମଧ୍ୟ ପ୍ରତିଷ୍ଠା କରୁଛି । ପ୍ରଧାନମନ୍ତ୍ରୀ ସମସ୍ତ ସାଂସଦ ଏକ ଦଳ ଭାବରେ ଏକାଠି କାମ କରିବେ ଏବଂ ସେମାନଙ୍କ ସାମୂହିକ ପ୍ରୟାସ ଦେଶ ପାଇଁ ଏକ ଆଦର୍ଶ ଭାବରେ କାର୍ଯ୍ୟ କରିବ ବୋଲି ଆଶା ପ୍ରକାଶ କରି ତାଙ୍କ ବକ୍ତବ୍ୟ ଶେଷ କରିଥିଲେ । ସେ ମନ୍ତ୍ରଣାଳୟ ଏବଂ ଗୃହ କମିଟିକୁ ସାଂସଦଙ୍କ ବିଭିନ୍ନ ଆବାସିକ କମ୍ପ୍ଲେକ୍ସ ମଧ୍ୟରେ ସ୍ୱଚ୍ଛତା ପ୍ରତିଯୋଗିତା ଆୟୋଜନ କରିବାକୁ ମଧ୍ୟ ଅନୁରୋଧ କରିଥିଲେ । ଏହି ସଂକଳ୍ପ ସହିତ ସେ ପୁଣି ଥରେ ସମସ୍ତ ସାଂସଦଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା, କେନ୍ଦ୍ର ମନ୍ତ୍ରୀ ଏବଂ ସାଂସଦମାନେ ଉପସ୍ଥିତ ଥିଲେ ।